କାହାର ହେବ ପଦ୍ମପୁର?

Spread the love

ପଦ୍ମପୁର:  ପଦ୍ମପୁର ଉପନିର୍ବାଚନ ପାଇଁ କସରତ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ପ୍ରାର୍ଥୀ ଚୟନ ଓ ପଦ୍ମପୁର ବାଜି ଜିତିବାକୁ ତିନି ପ୍ରମୁଖ ଦଳ ଭିତରେ ଆରମ୍ଭ ହୋଇଛି ଘମାସାନ। ଧାମନଗରରେ ବାଜି ହାରିବା ପରେ ବିଜେଡି ବିଜେପୁର ଢାଞ୍ଚାରେ ମୈଦାନକୁ ଓହ୍ଲାଇପାରେ। ସେପଟେ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଉଭୟ ବେଶ୍ ଦମଦାର ଫାଇଟର୍।

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଆଉ ବିଜ୍ଞପ୍ତି ପ୍ରକାଶକୁ ତାଳ ଦେଇ ତିନି ପ୍ରମୁଖ ଦଳ ଭିତରେ ପଦ୍ମପୁର ଦଖଲ ଲାଗି ଆରମ୍ଭ ହୋଇଗଲାଣି କସରତ। ସଦ୍ୟ ଧାମନଗରରେ ହାରିଥିବା ବିଜେଡି ବିଜେପୁର ଢାଞ୍ଚାରେ ପଦ୍ମପୁରରେ ଜିତିବାକୁ ରଣନୀତି କରିପାରେ। ସେପଟେ କିନ୍ତୁ ପଦ୍ମପୁରର ବିଜେଡି ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ଟିକଟ ଦିଆଯିବ, ତାକୁ ନେଇ ଅଙ୍କକଷା ଜାରି ଭିତରେ ବରିହାଙ୍କ ପରିବାରରୁ ଅନେକ ମୁଣ୍ଡ ଟେକିଲେଣି। ବରିହାଙ୍କ ପତ୍ନୀଙ୍କ ସମେତ ତାଙ୍କ ପୁତୁରା ବୋହୂ ବି ଟିକଟ ଆଶାୟୀ ଥିବା ଜଣାପଡିଛି। ଏଭଳି ସ୍ଥଳେ କାହାକୁ ଟିକଟ ଦିଆଯିବ, ସେ ନିଷ୍ପତ୍ତି ସଭାପତି ନେବେ ବୋଲି କହିଛନ୍ତି ଦଳୀୟ ନେତା। ବରଗଡ଼ ସର୍କିଟ ହାଉସରେ ଏ ନେଇ ବିଜେଡି ମାନସମନ୍ଥନ କରିଛି।

ଧାମନଗରରେ ବିଜେପି ଜିତିବା ପରେ ଉଲ୍ଲସିତ ହୋଇପଡ଼ିଛି। ପଦ୍ମପୁରରେ ଏମିତିରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଆପାତତଃ ବିଜେପି ପ୍ରାର୍ଥୀ କରିବାର ଅଧିକ ସମ୍ଭାବନା ରହିଛି। ବିଜୟଙ୍କଠୁ ଅଳ୍ପ ବ୍ୟବଧାନରେ ବି ହାରିଥିଲେ ପ୍ରଦୀପ। ପଦ୍ମପୁରରେ ଶାସକ ଦଳର କୌଣସି ପ୍ରଲୋଭନ କି ବଳ କାଟୁ କରିବନି ବୋଲି ଚେତେଇ ଦେଲେଣି ଏବେଠୁ ପ୍ରଦୀପ। ଆଉ କଂଗ୍ରେସ କହିଛି, ପ୍ରାର୍ଥୀ ଚୟନ ନେଇ ପଦ୍ମପୁର ଯାଇଥିବା ପର୍ଯ୍ୟବେକ୍ଷକ ଟିମ୍ ଦିନେ ଦୁଇଦିନ ଭିତରେ ରିପୋର୍ଟ ଦେଲେ ସେଥିରେ ମୋହର ବାଜିବ। ଅତିଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଗଲା ନିର୍ବାଚନରେ ପୂର୍ବତନ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ବେଶ୍ ଭଲ ଫାଇଟ୍ ଦେଇଥିବାରୁ ଦଳ ତାଙ୍କୁ ରିପିଟ୍ କରିବାର ସମ୍ଭାବନା ରହିଛି।

ପଦ୍ମପୁର କାହାର ହେବ। ଧାମନଗରରେ ବିଜେଡିର ବିଜୟ ରଥରେ ବ୍ରେକ୍ ଲଗାଇଥିବା ବିଜେପି ପଦ୍ମପୁରରେ କମାଲ୍ କରିବ କି। ନା ବିଜେଡି ତାହାର ବିଜୟଧାରା ପୂର୍ବବତ୍ ଅବ୍ୟାହତ ରଖିବ। ଅଥବା କଂଗ୍ରେସ କିଛି କରିସ୍ମା କରିବ। ଧାମନଗର ଭଳି ପଦ୍ମପୁରରେ ବିଜେଡିର କେହି ବିଦ୍ରୋହୀ ଭାରିଲେ ତାକୁ କେମିତି ମୁକାବିଲା କରିବ ଶାସକ ଦଳ, ତାକୁ ନେଇ ଟେନସନ୍।

ବରଗଡ଼ରୁ ଧୃବ କର୍ମୀଙ୍କ ସହ ଭୁବନେଶ୍ୱରରୁ ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *