କାହିଁକି ଅମାନତ ହରାଉଛି କଂଗ୍ରେସ

Spread the love

() କାହିଁକି କଂଗ୍ରେସ ହାରୁଛି। କାହିଁକି ଅମାନତ ଟିକକ ବି ରଖିପାରୁନି। ଧାମନଗରରୁ ନେଇ ପଦ୍ମପୁର। ସବୁଠି ସମାନ ଦୁର୍ଦ୍ଦଶା। ଯିଏ ବି ହାରୁଛି, ପ୍ରତିପକ୍ଷ ବିଜେତା ହାତକୁ କଂଗ୍ରେସ ଭୋଟ ଚାଲିଗଲା ବୋଲି କହୁଛି। ଆଉ କଂଗ୍ରେସ କାହିଁକି କ୍ରମାଗତ ଶୋଚନୀୟ ପରାଜୟର ମୁହଁ ଦେଖୁଛି, ତାକୁ ନେଇ ଦଳ ଭିତରେ ବି ଆରମ୍ଭ ହୋଇଗଲାଣି ଝଗଡ଼ା।

ଧାମନଗର, ପଦ୍ମପୁର। ସବୁଠି ସମାନ ଦୁର୍ଦ୍ଦଶା। ଅମାନତ ଉଡ଼ିଗଲା କଂଗ୍ରେସ ପ୍ରାର୍ଥୀଙ୍କର। ଯଦିଓ ସବୁ ଉପ-ନିର୍ବାଚନରେ ଦଳ ଏକ, ନେତା ଏକାଠିର ବାର୍ତ୍ତା ଦେଇଛି ଦଳ। ପ୍ରାର୍ଥୀଙ୍କ ଲାଗି ମାରାଥନ ପ୍ରଚାର ବି କରିଛନ୍ତି ନେତାଏ। କିନ୍ତୁ ନିର୍ବାଚନର ଫଳ ବାହାରିବା ଆଗରୁ ଆଗୁଆ ହାତ ଟେକିଦିଅନ୍ତି। ଆଉ ଘୋଷା ଡାଇଲଗ୍,ଟଙ୍କାରେ ବିଜେଡି ବିଜେପି ସହ ପାରିଲୁନି। ଅର୍ଥ ନଥିଲା। ସଦ୍ୟ ପଦ୍ମପୁର ଫଳ ପରେ ଏଭଳି ହାର୍ କୁ ଲଜ୍ଜାଜନକ ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି। ଯେଉଁଠି ଦଳର ୩୦ହଜାର ପକେଟ ଭୋଟ୍ ଥିଲା, ସେଠି ପ୍ରାର୍ଥୀ ମାତ୍ର ୩ହଜାର୫୯୪ ଭୋଟ୍ ପାଇ ଅମାନତ ହରାଇଦେଲା। ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ସମୀକ୍ଷା କରିବା ସହ ନିଜକୁ ପରଖନ୍ତୁ। ଫଳ ବାହାରିବା ଆଗରୁ ନିଜେ ମିଡିଆରେ ହାରୁଛୁ ବୋଲି କେମିତି କହିଲେ। ଏଭଳି ଭୋଟ୍ ମିଳିଲେ, କଂଗ୍ରେସ ଲୋପ୍ ପାଇଯିବ। ବ୍ୟକ୍ତିଗତ ସ୍ୱାର୍ଥରେ ଆଉ କେତେଦିନ ମାତିବେ ବୋଲି ବାହିନୀପତି ଆକ୍ଷେପ ଲଦିଛନ୍ତି।

ସେପଟେ ମୋକିମ୍ ଆଉ ଦୁଇ ପାଦ ଆଗେଇଯାଇ ଏଭଳି ରେଜଲ୍ଟ ପାଇଁ ଧିକ୍କାର କରିଛନ୍ତି  ପିସିସି ସଭାପତିଙ୍କୁ। ସମ୍ୱଳ ନଥିଲେ ଲୋକହସା ହେବାକୁ ଦଳ କାହିଁକି ପ୍ରାର୍ଥୀ ଦେଉଛି ବୋଲି ପଚାରିଛନ୍ତି। ୟୁପି, ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଲୋପ ପାଇଯିବ। ଉପ-ନିର୍ବାଚନ କିଛି ଲୋକଙ୍କ ପକେଟ ଗରମ କରି ଦଳର ପକେଟ ଭୋଟକୁ କାଟିବାର ମଉକା ଆଣୁଛି। ଦଳର ସେନାପତି ବିଶ୍ୱାସଘାତକ କଲେ ଦଳ କୁଆଡ଼େ ଯିବ। ଆଗକୁ କଂଗ୍ରେସ ନୋଟା ସହ ଲଢ଼େଇ କରିବ। ୨୪ରେ ୯ରୁ ୯୦ ଟାର୍ଗେଟ ହାସ୍ୟାସ୍ପଦ।

ସେପଟେ କଂଗ୍ରେସର ବିପର୍ଯ୍ୟୟ ପ୍ରତିପକ୍ଷକୁ ସୁହାଉଛି ବୋଲି ଏହି କଟା ଘାରେ ଚୂନ ଦେଇଛନ୍ତି ଉଭୟ ବିଜେଡି ଓ ବିଜେପି।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱକୁ ନେଇ ଅଙ୍ଗୁଳି ଉଠାଇବାକୁ ଧାମନଗର ପରେ ପଦ୍ମପୁରରେ ଶୋଚନୀୟ ପରାଜୟ ଯେମିତି ଆଧାର ସାଜିଛି। କେତେଦିନ ଅର୍ଥ ନାହିଁ କହି ଟାଳିବ ଦଳ। ମୈଦାନରେ ବିନା ସାଧନରେ ଲଢ଼ିବ। ଏମିତି ତମାମ ପ୍ରଶ୍ନ ଜାଲରେ ଛନ୍ଦି ହୋଇଛି ପୁରୁଣା ଦଳ କଂଗ୍ରେସ।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *