ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା ବୈଠକ

ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏଥିରେ ଅଧ୍ୟକ୍ଷତା କରିଥିଲେ।ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ରାଜ୍ୟ ସରକାରଙ୍କ ପ୍ରମୁଖ ‘ସୁଭଦ୍ରା’ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, “ଯେତେବେଳେ ସରକାରୀ ସହାୟତା ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଏ, ତାହା ସେମାନଙ୍କ ଆର୍ଥିକ ସ୍ୱାଧୀନତା ଓ ସଶକ୍ତିକରଣକୁ ସୁନିଶ୍ଚିତ କରିଥାଏ।” ଏଥି ସହ ସେ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ‘ତିଥି ଭୋଜନ’ ଆୟୋଜନ ତଥା ପୋଷଣ ଦିବସ ଅଥବା ପୋଷଣ ସପ୍ତାହ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ନାଗରିକ ଏବଂ ସରକାରଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ରାଜ୍ୟରୁ ଅପପୁଷ୍ଟି ନିର୍ମୂଳ କରିବାରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି । ଓଡ଼ିଶାର ଗ୍ରାମାଞ୍ଚଳରେ ସରକାରଙ୍କର ବିଭିନ୍ନ ଯୋଜନାର ସକରାତ୍ମକ ପ୍ରଭାବ ଦେଖି ସେ ସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର-ରାଜ୍ୟ ସମନ୍ୱୟ ମାଧ୍ୟମରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ, ମହିଳାଙ୍କ ସାମଗ୍ରିକ ସଶକ୍ତିକରଣ ଓ ଶିଶୁଙ୍କ ସୁରକ୍ଷିତ ଭବିଷ୍ୟତ ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା। ଆସନ୍ତା ୮ ମାର୍ଚ୍ଚ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଜମା ହେବାକୁ ଯାଉଥିବାରୁ, ଏହାର ସମୟୋପଯୋଗୀ ଓ ପାରଦର୍ଶୀ ବିତରଣ ପାଇଁ ବିଭାଗ କାମ କରୁଛି। ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଚାଲିଥିବା ଯୋଜନାଗୁଡ଼ିକ ମାଧ୍ୟମରେ ମହିଳା ଓ ଶିଶୁଙ୍କ ଜୀବନମାନ ଉନ୍ନତ କରିବା ଦିଗରେ ଓଡ଼ିଶା ଆଗୁଆ ହେଉଛି ବୋଲି ସେ ମତ ରଖିଥିଲେ । ବୈଠକରେ ପୋଷଣ, ସୁରକ୍ଷା ଓ ଶିକ୍ଷା , ଏହି ତିନି ମୂଳ ମାର୍ଗରେ ଶିଶୁ ଓ ମହିଳାଙ୍କ ବିକାଶ ପାଇଁ ଚାଲିଥିବା କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା ହୋଇଥିଲା। ମିଶନ ବାତ୍ସଲ୍ୟ, ଆଶୀର୍ବାଦ, ଯଶୋଦା ଏବଂ ବେଟି ବଚାଓ ବେଟି ପଢ଼ାଓ ପରି ଯୋଜନାର ପ୍ରଭାବ ଉପରେ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଦୂରଗାମୀ ଓ ଜନଜାତି ଅଞ୍ଚଳରେ କାର୍ଯ୍ୟାନ୍ୱୟନ, କୁପୋଷଣ ଓ ଶିଶୁ ବିବାହ ପରି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ ଓ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସହ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୀକ୍ଷା ବୈଠକ ମାଧ୍ୟମରେ ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ନୂତନ ଦିଗ ନିର୍ଦ୍ଦେଶ ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *