ଓଡ଼ିଶାରାଜନୀତି

ପଦ୍ମପୁର: ସରୁନି ବିଜେଡିର ଅଙ୍କକସା

ପଦ୍ମପୁର:  ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ l ଜୋରଦାର ପ୍ରସ୍ତୁତ ହେଉଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ l ଆସନ୍ତା କାଲି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିବା କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତା ୧୭ ତାରିଖ ଦିନ ନାମାଙ୍କନ ଭରିବ କଂଗ୍ରେସ l ସେପଟେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଏପର୍ଯ୍ୟନ୍ତ ଅଙ୍କକସା ସରିନାହିଁ l କିନ୍ତୁ ସେପଟେ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ବାରିହାଙ୍କୁ କିମ୍ବା ତାଙ୍କ ପରିବାରରେ କାହାକୁ ପାର୍ଥୀ କରିବାକୁ ନବୀନ ନିବାସ ଆସି ଦାବି କରିଛି ବିଂଝାଲ ସମାଜ l

ସରଗରମ ହେଉଛି ପଦ୍ମପୁର ଉପନିର୍ବାଚନୀ ମାହୋଲ l ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା l ଆସନ୍ତା କାଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଭରିବେ ନାମାଙ୍କନ l  ସାଂସଦ,ବିଧାୟକ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତ ରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ l ଭାରତୀୟ ଜନତା ପାର୍ଟି ସାଂଗଠନିକ ଦୃଷ୍ଟି ରୁ ପୂରା ପ୍ରସ୍ତୁତ ଥିବା ବେଳେ ଦଳର ପ୍ରାର୍ଥୀ ମଧ୍ୟ ନିଜ ସ୍ତରରୁ ପ୍ରଚାର ଏକପ୍ରକାର ଆରମ୍ଭ କରି ସାରିଛନ୍ତି । ପ୍ରତିପକ୍ଷଙ୍କ ପ୍ରାର୍ଥୀ ଚୟନର ସ୍ପଷ୍ଟତା ନାହିଁ କହି ବିଜେଡି କୁ କାଉଣ୍ଟର କରିଛି ବିଜେପି l ସେପଟେ ପଦ୍ମପୁର ଲମ୍ବା ସମୟ ଧରି ଅଣଦେଖା ଓ ଅବହେଳା ର ଶିକାର ହୋଇଛି l ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି l

ତେଣୁ ତାର ପରିଣାମ ବିଜେପି ସପକ୍ଷରେ ଯିବ ବୋଲି ଦଳ ଆଶାବାଦୀ l ଅନ୍ୟପଟେ କଂଗ୍ରେସ ଆସନ୍ତା ୧୭ ତାରିଖ ଦିନ ନାମାଙ୍କନ ଭରିବାକୁ ପ୍ରସ୍ତୁତ ହୋଇଛି l ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଙ୍କ ସମେତ ସୁର ରାଉତରାୟ ଓ ବରିଷ୍ଠ କଂଗ୍ରେସ ନେତା ନାମାଙ୍କନ ଦିନ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି l ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ମଧ୍ୟ ଉପସ୍ଥିତ ରହିବେ l ଯେହେତୁ ସତ୍ୟଭୂଷଣ ସାହୁଙ୍କ କ୍ରେଜ ରହିଛି ଓ ସାଂଗଠନିକ ଦକ୍ଷତା ଦୃଷ୍ଟିରୁ ସ୍ଥିତି ଭଲ l ତେଣୁ କଂଗ୍ରେସ ଭଲ କରିବ ବୋଲି ଆଶା ରଖିଛି ଦଳ।

ସେପଟେ କିଏ ହେବ ବିଜେଡ଼ି ପ୍ରାର୍ଥୀ ଚାପ ବଢୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପଦ୍ମପୁର ବିଂଝାଲ ସମାଜ। ନବୀନ ନିବାସରେ ପହଞ୍ଚି, ପଦ୍ମପୁର ଉପନିର୍ବାଚନରେ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ବାରିହାଙ୍କୁ କିମ୍ବା ତାଙ୍କ ପରିବାରରୁ ଆଉ କାହାକୁ ପ୍ରାର୍ଥୀ କରିବାକୁ ଦାବି କରିଛି ବିଂଝାଲ ସମାଜ l ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ଜଣାପଡିଛି ।  ତେବେ ସବୁ ଦୃଷ୍ଟି କୋଣରୁ ଚିନ୍ତା କରି ସଠିକ ସମୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବ ଶିଘ୍ର ପ୍ରାର୍ଥୀ ଘୋଷଣା କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଜେନା ।

ନିଜ ନିଜ ଦଳର ଷ୍ଟ୍ରାଟେଜିକୁ ନେଇ ଉପନିର୍ବାଚନ ମଇଦାନରେ ପ୍ରସ୍ତୁତ ହେଉଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ l ତଥାପି କାହାର କ୍ରେଜ କେମିତି ଓ ପଦ୍ମପୁର ବାସୀ କାହାକୁ ବିଶ୍ୱାସ କରୁଛନ୍ତି ତାହା ଦେଖିବାର କଥା….

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button