ଗୋଆରୁ କଂଗ୍ରେସ ଛୋଡୋ ଅଭିଯାନର ଶୁଭାରମ୍ଭ: ପ୍ରମୋଦ ସାବନ୍ତ

ପାନାଜି: ଗୋଟିଏ ପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ନେତୃତ୍ବରେ ଚାଲିଛି ଭାରତ ଯୋଡ କାର୍ଯ୍ୟକ୍ରମ। ଅନ୍ୟପଟେ କିନ୍ତୁ କଂଗ୍ରେସ ହାତ ଛାଡିବାରେ ଲାଗିଛନ୍ତି ଜଣେ ପରେ ଜଣେ ନେତା। ଏହା ଉପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ। ସାବନ୍ତ କହିଛନ୍ତି, କଂଗ୍ରେସର ୮ ବିଧାୟକ ବିଜେପିରେ ସାମିଲ ପାଇଁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଭଲ କାମ କରୁଛନ୍ତି। ଗୋଆରେ ଡବଲ ଇଞ୍ଜିନ କାମ କରୁଛି। ଯେଉଁମାନେ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ବାଗତ।
ସେ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି, ରାହୁଲ ଭାରତ ଯୋଡ ଯାତ୍ରା କରୁଥିବା ବେଳେ ଗୋଆରୁ କଂଗ୍ରେସ ଛୋଡୋ ଅଭିଯାନ ଆରମ୍ଭ ହୋଇଯାଇଛି। ଗୋଆରେ ଆଉ ଯେଉଁ ନେତା କଂଗ୍ରେସରେ ଅଛନ୍ତି ସେମାନେ ଦଳ ଛାଡିବାକୁ ପ୍ରସ୍ତୁତ। ସେମାନେ ରାଷ୍ଟ୍ରର ହିତ ପାଇଁ ବିଜେପିରେ ସାମିଲ ହେବେ। ଉଲ୍ଲେଖ ଯୋଗ୍ୟ, ୮ ତାରିଖରେ ଗୋଆର ୧୧ ବିଧାୟକ ବିଜେପିରେ ସାମିଲ ହୋଇଥିଲେ।
ତେବେ କଂଗ୍ରେସରେ ରହିଯାଇଥିବା ୩ ବିଧାୟକଙ୍କ ସମ୍ପର୍କରେ ପଚରା ଯିବାରୁ ସାବନ୍ତ କହିଛନ୍ତି କି, କଂଗ୍ରେସର ବିଧାୟକମାନେ ବିନା କୌଣସି ସର୍ତରେ ବିଜେପିରେ ସାମିଲ ହୋଇଛନ୍ତି। ସେମାନେ ବିଜେପିରେ ସାମିଲ ହେବାକୁ ଚାହୁଁଥିଲେ। ଆମେ ସେମାନଙ୍କ ସହ ସମ୍ପର୍କ କରି ନ ଥିଲୁ। କଂଗ୍ରେସରେ ଆଉ ସେ ନେତୃତ୍ବ ନାହିଁ। ଅନ୍ୟ ଏକ ପ୍ରଶ୍ନରେ ସେ କହିଛନ୍ତି କି, ମୁଁ ଏହି ବିଧାୟକଙ୍କ ସହ ଦିଲ୍ଲୀ ଯିବି। ତେବେ ବର୍ତ୍ତମାନ ପାଇଁ କ୍ୟାବିନେଟରେ କୌଣସି ପରିବର୍ତ୍ତନର ଯୋଜନା ନାହିଁ। ମାଇକଲ ଲୋବୋଙ୍କ ସମ୍ପର୍କରେ ସାବନ୍ତ କହିଛନ୍ତି, ଲୋବୋ କଂଗ୍ରେସକୁ ଯିବା ପରେ ନିଜ ଭୁଲ ବୁଝିଥିଲେ।