ରାଜନୀତିରାଜ୍ୟ

ଗୋଆ ବାର ମାମଲା: ସ୍ମୃତିଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ସଂସଦରୁ ନେଇ କାଠଗଡ଼ା ଯାଏ। ବେଶ୍ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସ୍ମୃତିଙ୍କ ବିରୁଦ୍ଧରେ ବିରୋଧୀଙ୍କଠୁ ନେଇ କିଛି ବ୍ୟକ୍ତିବିଶେଷ ସଙ୍ଗୀନ ଅଭିଯୋଗ ଆଣିବା ସହ ଅଦାଲତ ବି ଯାଇଛନ୍ତି। କିନ୍ତୁ ସବୁଠି ଯେମିତି ବାଜି ମାରିନେବା ଭଳି ସ୍ଥିତିରେ ସ୍ମୃତି। ଗୋଆରେ ଝିଅ ନାଁରେ ବାର୍ ଲାଇସେନ୍ସ କଥା ହେଉ ଅବା ସ୍ମୃତି ଦୁର୍ନୀତିରେ ଜଡିତ ଥିବାର ଅଭିଯୋଗ ଆଣିଥିବା ସୁଟର୍ ଭର୍ତ୍ତିକା ସିଂଙ୍କ କଥା ହେଉ। ଦରବୃଦ୍ଧି ପ୍ରସଙ୍ଗରେ ସ୍ମୃତିଙ୍କୁ ବିରୋଧୀଙ୍କ ତୀବ୍ର କଟାକ୍ଷ ହେଉ ଅବା ଅଧୀରଙ୍କ ରାଷ୍ଟ୍ରପତ୍ନୀ ପ୍ରସଙ୍ଗରେ ସୋନିଆଙ୍କ ସହ ସଂସଦରେ ସ୍ମୃତିଙ୍କ ମୁହାଁମୁହିଁ ସ୍ଥିତି। ଆଗ ଗୋଆରେ ବାର୍ ଲାଇସେନ୍ସ ପ୍ରସଙ୍ଗ କଥା ଦେଖାଯାଉ। ସ୍ମୃତି ଓ ତାଙ୍କ ଝିଅ ଜୋଇଶଙ୍କ ନାଁରେ ଗୋଆରେ କୌଣସି ରେଷ୍ଟୁରାଣ୍ଟ କି ବାର୍ ନଥିବା ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିସାରିଛନ୍ତି। ସେ କିମ୍ୱା ତାଙ୍କ ଝିଅ ଗୋଆ ବାର୍‌ର ମାଲିକ ନୁହଁନ୍ତି। ସ୍ମୃତି ଓ ତାଙ୍କ ଝିଅଙ୍କ ବିରୁଦ୍ଧରେ କଂଗ୍ରେସର  ଜୟରାମ ରମେଶ, ପଓ୍ୱନ ଖେରା, ଏନ ଡିସୁଜାଙ୍କ ଭଳି ନେତା ଏଭଳି ଅଭିଯୋଗ ଆଣିଥିଲେ। କିନ୍ତୁ ରେକର୍ଡ ଦେଖିଲା ବେଳକୁ ଏ ସବୁ ଭୁଲ୍। ସ୍ମୃତି ଓ ତାଙ୍କ ଝିଅଙ୍କ ନୈତିକ ଚରିତ୍ର ଓ ସମ୍ମାନ କ୍ଷୁର୍ଣ୍ଣ କରିବାକୁ ଏଭଳି ଅଭିଯୋଗ ହୋଇଥିଲା ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଶୁଣନ୍ତୁ ସ୍ମୃତିଙ୍କ ଝିଅ ଉପରେ ଲାଗିଥିବା ଆରୋପ ଓ ଏହାକୁ କିଭଳି ଚ୍ୟାଲେଞ୍ଜ କରିଥିଲେ ସ୍ମୃତି ସେତେବେଳେ।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ରାଷ୍ଟ୍ରପତ୍ନୀ ଟିପ୍ପଣୀ ଝଡ଼କୁ ନେଇ ଗୃହ କମ୍ପିଥିଲା। ଆଉ ଫ୍ରଣ୍ଟଲାଇନରେ ଥିଲେ ସ୍ମୃତି। ସଂସଦରେ କଂଗ୍ରେସ ଓ ଏହାର ଅଧ୍ୟକ୍ଷା ସୋନିଆଙ୍କ ଉପରେ ଯେଭଳି ଘାଇଲା ବାଘୁଣୀ ଭଳି ବର୍ଷିଥିଲେ ସ୍ମୃତି, ତାକୁ ନେଇ ଦେଖିଥିଲା ପୁରା ଦୁନିଆ। ଦେଶର ସର୍ବୋଚ୍ଚ ସାମ୍ୱିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କ ପ୍ରତି କଂଗ୍ରେସର ଏଭଳି ଅପମାନକୁ ବରଦାସ୍ତ କରାଯିବନି କହି ଗର୍ଜିଥିଲେ। ଅନ୍ୟ ବିଜେପି ନେତାଙ୍କ ତୁଳନାରେ ଲାଗୁଥିଲା ଯେମିତି ସବୁଠୁ ଆକ୍ରମଣାତ୍ମକ ଭଙ୍ଗୀରେ ଥିଲେ ସ୍ମୃତି।

କେବଳ ସୋନିଆ ନୁହଁନ୍ତି, ରାହୁଲଙ୍କୁ ବି ଛାଡ଼ିନଥିଲେ ସ୍ମୃତି। ଏମିତିରେ ଆମେଥିରୁ ରାହୁଲଙ୍କୁ ହରାଇଛନ୍ତି ସ୍ମୃତି। ସଂସଦ ଯେତେବେଳେ କ୍ରମାଗତ ଅଚଳ ହୋଇଥିଲା। ସୋନିଆଙ୍କୁ ଇଡ଼ି ସମନ ଓ ହାଜିରା ନେଇ ବିଜୟଚୌକ ଯାଏ କଂଗ୍ରେସର ପଦଯାତ୍ରା ବେଳେ ସଂସଦରେ ରାହୁଲଙ୍କ ଉପସ୍ଥାନକୁ ନେଇ ପ୍ରଶ୍ନ ଓ ତାଙ୍କ ଷଡ଼ଯନ୍ତ୍ର ଲାଗି ସଂସଦ ଅଚଳ ହେଉଥିବାର ଆରୋପ ଲଗାଇଥିଲେ ସ୍ମୃତି। ତେବେ ଲୋକସଭାରେ ଦରବୃଦ୍ଧି  ଉପରେ ଆଲୋଚନା ବେଳେ ଅର୍ଥମନ୍ତ୍ରୀଙ୍କ ବଦଳରେ ବିରୋଧୀ ବେଶୀ ଖୋଜିଥିଲେ ସ୍ମୃତିଙ୍କୁ। ଟିଏମସି ସାଂସଦ କାକଳୀ ଘୋଷ ତ ସ୍ମୃତି ଯେତେବେଳେ ସତ୍ତାରେ ନଥିଲେ, କିଭଳି ସିଲିଣ୍ଡର ଧରି ଗୃହିଣୀ କାନ୍ଦୁଛି କହି ପ୍ରତିବାଦ କରୁଥିଲେ ତାକୁ ମନେ ପକାଇ କୁଆଡ଼େ ଗଲେ ସେ ଏବେ ବୋଲି ନାଁ ନ ନେଇ କଟାକ୍ଷ ପିଙ୍ଗିଥିଲେ।

ଏ ତ ଗଲା ସଂସଦର କଥା। ସେପଟେ ଅଦାଲତରେ ପହଞ୍ଚିଥିଲା ସ୍ମୃତିଙ୍କ ନାଁରେ ଆସିଥିବା ଆଉ ଏକ ଦୁର୍ନୀତିର ଅଭିଯୋଗ। ଜାତୀୟ ମହିଳା କମିଶନର ସଦସ୍ୟା ଭାବେ ନିଯୁକ୍ତି ଦେବାକୁ କୁଆଡ଼େ ଆନ୍ତର୍ଜାତୀୟ ସୁଟର ଭର୍ତ୍ତିକା ସିଂଙ୍କଠୁ ସ୍ମୃତି ଇରାନୀ ଓ ଅନ୍ୟମାନେ ଅର୍ଥ ଦାବି କରିଥିଲେ। କିନ୍ତୁ ଏଥିରେ ଭର୍ତ୍ତିକା ପାଲଟା ଫସିଯାଇଥିଲେ। ୟୁପିର ଆମେଥି ଜିଲ୍ଲାରେ ଭର୍ତ୍ତିକାଙ୍କ ନାଁରେ ଏତଲା ହୋଇଛି। ସ୍ମୃତି ଇରାନୀଙ୍କ ବିରୁଦ୍ଧରେ ଜାଲି ତଥ୍ୟ କୁଆଡ଼େ ସୋସିଆଲ ମିଡିଆରେ ସର୍କୁଲେଟ କରିଥିଲେ ଭର୍ତ୍ତିକା। ସ୍ମୃତିଙ୍କ ସମ୍ମାନ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏଭଳି ଅମୂଳକ ଅଭିଯୋଗ ଓ ଜାଲି ତଥ୍ୟ ସୋସିଆଲ ମିଡିଆରେ ପ୍ରଚାର କରିଥିବାରୁ ଭର୍ତ୍ତିକାଙ୍କ ବିରୁଦ୍ଧରେ ମାମଲା ହୋଇଥିଲା। ୨୦୨୧ରେ ବିଧାୟକ ଓ ସାଂସଦଙ୍କ ଉପରେ ହେଉଥିବା ଅଭିଯୋଗର ଶୁଣାଣୀ ପାଇଁ ଥିବା ସୀତାପୁରର ସ୍ପେଶିଆଲ  କୋର୍ଟ ଭର୍ତ୍ତିକାଙ୍କ ଅଭିଯୋଗକୁ ଖାରଜ କରିଦେଇଥିଲେ। ଗଲା ସପ୍ତାହରେ ଆହ୍ଲାବାଦ ହାଇକୋର୍ଟ ବି ଭର୍ତ୍ତିକାଙ୍କ ରିଭିଜନ ପିଟିସନକୁ ଖାରଜ କରିଦେଇଛନ୍ତି। ଆଉ ଏବେ ସୁପ୍ରିମକୋର୍ଟ ଭର୍ତ୍ତିକାଙ୍କ ବିରୁଦ୍ଧରେ ଅପରାଧିକ ମାମଲାର ପ୍ରୋସଡିଂ ଉପରେ ରହିତାଦେଶ ଜାରି କରିଛନ୍ତି। କହିବାକୁ ଗଲେ ଅନେକ ଆରୋପ ଲାଗିଛି ସତ,ହେଲେ ସବୁଠି ନିଜର ଭାବମୂର୍ତ୍ତିକୁ ମଳିନ ପଡିବାକୁ ଦେଇନାହାନ୍ତି ସ୍ମୃତି। ସେଥିଲାଗି ତ ଅନେକ କହୁଛନ୍ତି, ମୋଦି ଟିମ୍‌ର ସେ ଫ୍ରଣ୍ଟଲାଇନର ଫାଇଟର।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button