ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା ସମ୍ମାନ’

ରାଜ୍ୟର ସଡକ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ, ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ସହିତ ରାଜ୍ୟ ରାଜଧାନୀର କାୟାକଳ୍ପ ହେଲାଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ଓ ଦେଶରେ ବଢୁଥିବା ସଡକ ଦୁର୍ଘଟଣା ଯୋଗୁ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସମସ୍ତଙ୍କୁ ସଡକ ସୁରକ୍ଷାର ନିୟମ ପାଳନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଡକ ସୁରକ୍ଷା ପାଇଁ ରାଜ୍ୟ ସରକାର ଚାରିଟି ‘E’ ପାଳନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ସେଗୁଡିକ ହେଲା ଏଜୁକେସନ ବା ଶିକ୍ଷା, ଏନ୍‌ଫୋର୍ସମେଣ୍ଟ ବା ନିୟମର କଡାକଡି ଅନୁପାଳନ, ଇଞ୍ଜିନିୟରିଂ ବା ଯୋଗାଯୋଗ ଭିତ୍ତିଭୂମି ଓ ଯାନବାହନରେ ଉନ୍ନତ ଇଞ୍ଜିନିୟରିଂ ବିଦ୍ୟା ପ୍ରୟୋଗକରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଏମର୍ଜେନ୍‌ସି ବା ଜରୁରୀ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ। ଏହି ଚାରିଟି ନିୟମ ଅନୁପାଳନ ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଉ ଦୁଇଟି ‘E’ ଅନୁପାଳନ ପାଇଁ ପରାମର୍ଶ ଦେଇଥିଲେ। ଏହାହେଲା ଏନ୍‌ଭିରନ୍‌ମେଣ୍ଟ ଓ ଇଭାଲ୍ୟୁଏସନ। ଯାନବାହନର ପ୍ରଦୂଷଣ ନିୟମକୁ ସଠିକ୍ ଭାବେ ପାଳନ କରିବା ସହିତ ସଡକ ସୁରକ୍ଷାର ଯେଉଁ ନିୟମ ଗୁଡିକ ଅଛି, ତାହାର ଫଳାଫଳ ସମ୍ପର୍କରେ ଉପଯୁକ୍ତ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ମୂଲ୍ୟାୟନକୁ ଭିତ୍ତିକରି ବିଭିନ୍ନ ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ପରିବର୍ତ୍ତନ କିମ୍ବା ଆହୁରି ଉନ୍ନତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସଡକ ସୁରକ୍ଷା ଉପରେ ଗୁରୁତ୍ବ ଆରୋପ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଆଜିଠାରୁ ସଡକ ସୁରକ୍ଷାକୁ ସୁଶାସନ ବା Good Governanceର ଅଂଶ ଭାବେ ଗ୍ରହଣ କରାଗଲା। ଏହାଦ୍ବାରା ସରକାରୀ ଅଧିକାରୀମାନେ ଏହା ଉପରେ ଅଧିକ ସତର୍କ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଏହାକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ‘ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା ସମ୍ମାନ ଘୋଷଣା କରିଥିଲେ। ଏହି ଯୋଜନାରେ ସମସ୍ତ ଜିଲ୍ଲା, ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ଗୁଡିକୁ ସଡକ ସୁରକ୍ଷା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ଭିତ୍ତିକରି ସମ୍ମାନିତ କରାଯିବ।  ଯେଉଁ ଜିଲ୍ଲାଗୁଡିକ ଭଲ ପ୍ରଦର୍ଶନ କରିବେ, ସେମାନେ ପୁରସ୍କାର ପାଇବେ ଏବଂ ଯେଉଁମାନଙ୍କ ପ୍ରଦର୍ଶନ ଖରାପ ହେବ, ସେମାନଙ୍କୁ ଉତ୍ତରଦାୟୀ କରାଯିବ। ସେହିପରି ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନ ଗୁଡିକୁ ମଧ୍ୟ ସଡକ ସୁରକ୍ଷା ପାଇଁ ଗ୍ରହଣ କରିଥିବା ଉତ୍ତମ ପଦକ୍ଷେପ ଭିତ୍ତିରେ ପୁରସ୍କାର ପ୍ରଦାନ କରାଯିବ। ଏହାଦ୍ବାରା ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧିହେବ ଏବଂ ଦୁର୍ଘଟଣା କମିବାରେ ଏହି ପଦକ୍ଷେପ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡକୁ ଲୋକାର୍ପିତ କରିଛନ୍ତି। ୧୫୬.୫୩ କୋଟି ଟଙ୍କା ବ୍ୟୟରେ ଏହି ବସ୍‌ଷ୍ଟାଣ୍ଡ ଗୁଡିକ ରାଜ୍ୟର ୧୦ଟି ଜିଲ୍ଲାରେ ନିର୍ମିତ ହୋଇଛି। ପୂର୍ବରୁ ୫୫ଟି ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ ହୋଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା, ଉପଖଣ୍ଡ, ପଞ୍ଚାୟତ ସମିତି ଓ ପୌରପାଳିକା ଗୁଡିକରେ ଅଟଳ ବସଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ୪୬ କୋଟି ଟଙ୍କା ମୂଲ୍ୟର ୧୦୦ଟି ନୂତନ BS-୬ ମାନର ଆଧୁନିକ ବସ୍ ଚଳାଚଳର ଶୁଭାରମ୍ଭ କରାଯାଇଛି। ନିଗମର ପୁରୁଣା ବସ୍ ବଦଳରେ ଏହି ସବୁ ପରିବେଶ ଅନୁକୂଳ ଅତ୍ୟାଧୁନିକ ନୂଆ ବସ୍ କିଣାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିବହନ ନିଗମ ପକ୍ଷରୁ ପରିଚାଳିତ ବସ୍‌ଗୁଡିକ ପାଇଁ ‘Closed Loop Smart Transit Card’ ବା ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି କାର୍ଡ ବ୍ୟବହାର କରି ଯାତ୍ରୀମାନେ କ୍ୟାସଲେସ୍ ଟିକେଟ୍ କାଟି ସୁବିଧାରେ ଯାତ୍ରା କରିପାରିବେ। ସେହିପରି ରାଜ୍ୟରେ ଏକ ନୂତନ ଅତ୍ୟାଧୁନିକ ଲୋକସେବା ଭବନ ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି। ୭୧.୧୩ ଏକର ଜାଗାରେ ଗୋଟିଏ କ୍ୟାମ୍ପସ ଭିତରେ ଲୋକସେବା ଭବନ ଓ ରାଜ୍ୟ ବିଧାନସଭା ରହିବ। ଡିଲିମିଟେସନକୁ ଦୃଷ୍ଟିରେ ରଖି ବିଧାନସଭାକୁ ୩୦୦ ଆସନ ବିଶିଷ୍ଟ କରାଯିବ। ଏଥିପାଇଁ ୩,୬୨୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମୁଦାୟ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥି ମଧ୍ୟରୁ ପ୍ରାୟ ୫,୬୩୦ କୋଟି ଟଙ୍କା ବିନିଯୋଗରେ ୩୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ପ୍ରାୟ ୧,୦୭୦ କୋଟି ଟଙ୍କା ବିନିଯୋଗରେ ୩୨ ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *