ସଂଖ୍ୟା ଦୃଷ୍ଟିରୁ ଜିତିଲା ଏନଡିଏ। ଏନଡିଏର ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲା ସମ୍ମାନଜନକ ପଦବୀ ପୁଣି ଥରେ ଅଳଙ୍କୃତ କଲେ। କିନ୍ତୁ ସହମତିରେ ଏଥର ବାଚସ୍ପତି ଚୟନ ହୋଇପାରିନଥିବାରୁ ଦୀର୍ଘ ୪୮ ବର୍ଷ ପରେ ନିର୍ବାଚନ ହୋଇଥିଲା। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କେ.ସୁରେଶ ବାଚନିକ ଭୋଟରେ ହାରିଯାଇଥିଲେ ବି କୌଣସି ପରିସ୍ଥିତିରେ ଏନଡିଏକୁ ଇଣ୍ଡିଆ ମେଣ୍ଟ ଛାଡ଼ିବା ପରିସ୍ଥିତିରେ ନାହିଁ ବୋଲି ଆରମ୍ଭରୁ ଏହି ନିର୍ବାଚନ ସଙ୍କେତ ଦେଇସାରିଛି। ଏମିତିରେ ଗୃହର ନେତା ପ୍ରଧାନମନ୍ତ୍ରୀ ଥିଲା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହୋଇଥିବାରୁ ଏଥର ରୋଚକ ସ୍ଥିତି ସୃଷ୍ଟି ହେବାକୁ ଯାଉଛି ସଂସଦରେ ବୋଲି ସବୁଠି ଚର୍ଚ୍ଚା।
ଦୀର୍ଘ ୪୮ ବର୍ଷ ପରେ ବାଚସ୍ପତି ପଦ ପାଇଁ ହେଲା ନିର୍ବାଚନ। ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ.ସୁରେଶଙ୍କ ଭିତରେ ହୋଇଥିଲା ଲଢ଼େଇ। ଏମିତିରେ ଦେଖିବାକୁ ଗଲେ ସଂଖ୍ୟା ଦୃଷ୍ଟିରୁ ଓମ୍ ବିର୍ଲା ଜିତିବା ପକ୍କା ଥିଲା। ଠିକ୍ ୧୧ଟା ବେଳେ ସଂସଦରେ ଆରମ୍ଭ ହୋଇଥିଲା ବାଚସ୍ପତି ନିର୍ବାଚନ ପ୍ରକ୍ରିୟା। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ନିର୍ବାଚନ ପରିଚାଳନା କରିଥିଲେ। ଓମ୍ ବିର୍ଲାଙ୍କ ନାଁ ବାଚସ୍ପତି ଭାବେ ପ୍ରଧାନମନ୍ତ୍ରୀ ମୋଦି ପ୍ରସ୍ତାବ ରଖିଥିଲା ବେଳେ ଏହାକୁ ସମର୍ଥନ କରିଥିଲେ ରାଜନାଥ ସିଂ। ସେପଟେ କେ.ସୁରେଶଙ୍କ ନାଁ ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାଓ୍ୱନ୍ତ ପ୍ରସ୍ତାବ ରଖିଥିଲେ। ଆଉ ଶେଷରେ ବାଚନିକ ଭୋଟରେ ବିଜୟୀ ହୋଇଥିଲେ ଓମ୍ ବିର୍ଲା। ଓମ ବିର୍ଲାଙ୍କୁ ବିଜେତା ବୋଲି କାମଚଳା ବାଚସ୍ପତି ଭର୍ତ୍ତୃହରି ଘୋଷଣା କରିଥିଲେ।

ଏହା ପରେ ଓମ୍ ବିର୍ଲାଙ୍କୁ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦି, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ମୋଦି ଓ ରାହୁଲ ପରସ୍ପର ସହ କରମର୍ଦ୍ଦନ କରିଥିଲେ। ପୁରା ସଂସଦ ଭବନ କରତାଳିରେ ଫାଟିପଡ଼ିଥିଲା। ଓମ୍ ବିର୍ଲାଙ୍କୁ ଶୁଭେଛା ଦେଇଥିଲେ ପ୍ରଧାନମନ୍ତ୍ରୀ। ଦ୍ୱିତୀୟ ଥର ବାଚସ୍ପତି ଆସନ ଅଳଙ୍କୃତ କରି ବଳରାମ ଝାକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ଓମ୍ ବିର୍ଲା। ବାଚସ୍ପତି ଆସନରେ ବସି ପୁଣି ଥରେ ସଂସଦକୁ ନିର୍ବାଚିତ ହେବା କଷ୍ଟକର ବୋଲି କହିଥିଲେ ମୋଦି। ଓମ୍ ବିର୍ଲାଙ୍କ ହସ ହସ ମୁହଁ, ଗୃହ ପରିଚାଳନାରେ ଅଭିଜ୍ଞତା ଗଲା ୫ ବର୍ଷ ଧରି ଯେମିତି ସଂସଦର ଗାରିମା ବଜାୟ ରଖିପାରିଥିଲା, ଆସନ୍ତା ୫ ବର୍ଷ ଅନୁରୂପ ଭାବେ କାଏମ ରହିବ ବୋଲି ଆଶା ରଖିଛନ୍ତି ମୋଦି। ସଂସଦର ସୌଭାଗ୍ୟର ମୂହୂର୍ତ୍ତ ବୋଲି ବିବେଚନା କରିଥିଲେ ମୋଦି। କୋଟାରୁ ୩ ଥରର ସାଂସଦ ଓମ୍ ବିର୍ଲା ନିଜ ସଂସଦୀୟ କ୍ଷେତ୍ରରେ ଯେଭଳି ଅନେକ ମହତ୍ତ୍ୱପୂର୍ଣ୍ଣ କାମ କରିଥିଲେ, ସେ କଥାର ଅବତାରଣା କରିଥିଲେ ମୋଦି।
ସେପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସପା ସାଂସଦ ଅଖିଳେଶ ଯାଦବ, ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ପ୍ରମୁଖ ଓମ୍ ବିର୍ଲାଙ୍କୁ ଶୁଭେଛା ଦେଇଥିଲେ। ହେଲେ ଗୃହର ଗାରିମା ବଜାୟ ରଖିବା ସହ ବିରୋଧୀ ଦଳକୁ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ବିରୋଧୀଙ୍କ ସ୍ୱର ଚାପିବା ଅଗଣତାନ୍ତ୍ରିକ ବୋଲି କହିଥିଲେ ରାହୁଲ। ବିରୋଧୀଙ୍କ ପାଖରେ ଜନତାଙ୍କ ସ୍ୱର ଅଛି। ସମସ୍ତଙ୍କୁ ସମାନ ସୁଯୋଗ ଦିଅନ୍ତୁ। ଗୃହରୁ ନିଲମ୍ୱନ ଓ ବହିଷ୍କାର ଭଳି ଅଧ୍ୟାୟର ଯେଭଳି ଏଥର ପନୁରାବୃତ୍ତି ନ ହୁଏ, ତାକୁ ଧ୍ୟାନ ଦେବାକୁ ଅପିଲ୍ କରିଥିଲ ଅଖିଳେଶ।
ବାଚସ୍ପତି ପଦ ପୁଣି ଥରେ ଅଳଙ୍କୃତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓମ୍ ବିର୍ଲା। ଗୃହ ପରିଚାଳନାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଅଷ୍ଟାଦଶ ଲୋକସଭାର ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ କାନ୍ଧରେ ଗୁରୁଦାୟିତ୍ୱର ଭାର ପଡ଼ିଛି। ଏଥର ବିରୋଧୀ ଦୁର୍ବଳ ନାହାନ୍ତି। ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୨୩୨ ଥିଲା ବେଳେ ଏନଡିଏ ମେଣ୍ଟର ସଦସ୍ୟ ସଂଖ୍ୟା ୨୯୩ ଅଛି। ସେଥିଲାଗି ସଂସଦରେ ରୋଚକ ସ୍ଥିତି ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now