କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ସୁପ୍ରିମ୍‌କୋର୍ଟରୁ ଲାଗିଛି ବଡ଼ ଝଟକା

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ସୁପ୍ରିମ୍‌କୋର୍ଟରୁ ଲାଗିଛି ବଡ଼ ଝଟକା। ଏହାର ସିବିଆଇ ତଦନ୍ତ ରଦ୍ଦ କରିବାକୁ ପଡ଼ିଥିବା ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଏସସି ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି, କର୍ଣ୍ଣାଟକ ହାଇକୋର୍ଟର ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେନି। ସେପଟେ ଦୁର୍ନୀତି ଅଭିଯୋଗରେ ଇଡି କଷ୍ଟଡିକୁ ଯାଇଥିବା ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ରଙ୍କୁ ନେଇ କର୍ଣ୍ଣାଟକ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶିବକୁମାରଙ୍କୁ ସୁପ୍ରିମ୍ ଝଟକା। ସିବିଆଇ ତଦନ୍ତ ରଦ୍ଦ କରିବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ  ଡି.କେ.ଶିବକୁମାର। ହେଲେ ଶିବକୁମାରଙ୍କ ଆବେଦନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟର ଦୁ଼୍ଇ ଜଣିଆ ଖଣ୍ଡପୀଠ। ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଏସସି ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି, କର୍ଣ୍ଣାଟକ ହାଇକୋର୍ଟର ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେନି। ଭ୍ରଷ୍ଟାଚାର ମାମଲାରେ ସିବିଆଇର ତଦନ୍ତକୁ ରଦ୍ଦ କରାଯାଉ ବୋଲି ଏହା ପୂର୍ବରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଶିବକୁମାର। କିନ୍ତୁ ହାଇକୋର୍ଟରୁ ବି ଆଶ୍ୱସ୍ତି ପାଇନଥିଲେ ଶିବକୁମାର। ତିନି ମାସ ଭିତରେ ମାମଲାର ଯାଞ୍ଚ କରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ୨୦୧୩ରୁ ୨୦୧୮ ଭିତରେ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲା ବେଳେ ଶିବକୁମାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଥିଲା। ସେପ୍ଟେମ୍ୱର ୩, ୨୦୨୦ରେ ସିବିଆଇ ଏହି ଘଟଣାରେ ଏତଲା ରୁଜୁ କରିଥିଲା। ଡି.କେ. ଶିବକୁମାର ୨୦୨୧ରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ୨୦୧୭ ଅଗଷ୍ଟରେ ଦିଲ୍ଲୀ ସମେତ ଅନେକ ଜାଗାରେ ରେଡ୍ ମାରିଥିଲା ଆଇଟି। ଏହି ରେଡ୍‌ରେ ଆୟକର ବିଭାଗ ୮ କୋଟି ୬୦ ଲକ୍ଷ ଟଙ୍କା ଜବତ କରିଥିଲା। ଏଥିରୁ ଶିବକୁମାରଙ୍କ ପାଖରୁ ୪୧ ଲକ୍ଷ ଟଙ୍କା ମିଳିଥିଲା।

 ଗଲା ବର୍ଷ ନଭେମ୍ୱର ୨୩, ୨୦୨୩ରେ ଉପ-ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ବିରୁଦ୍ଧରେ ଚାଲିଥିବା ସିବିଆଇ ତଦନ୍ତକୁ ରଦ୍ଦ କରିବାକୁ କର୍ଣ୍ଣାଟକ ସରକାର ବିଧାନସଭାରେ ଏହି ପ୍ରସ୍ତାବ ଉପରେ ମୋହର ମାରିଥିଲେ। କର୍ଣ୍ଣାଟକର କଂଗ୍ରେସ ସରକାର କହିଥିଲେ, ବିଜେପି ସରକାର ସିବିଆଇକୁ ମାମଲା ଦେବା ବେଳେ ଆଇନକୁ ଅନୁପାଳନ କରିନାହାନ୍ତି। ଏପରିକି ତତ୍କାଳୀନ ବିଜେପି ସରକାର ସିବିଆଇକୁ ମାମଲା ହସ୍ତାନ୍ତର ପୂର୍ବରୁ ବିଧାନସଭା ବାଚସ୍ପତିଙ୍କ ଅନୁମତି ବି ନେଇନଥିଲେ। ସେତେବେଳେ କଂଗ୍ରେସ କହିଥିଲା ଯେ, ରାଜ୍ୟରେ ୫୭୦ରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ମାମଲା ରୁଜୁ ହୋଇଥିଲା। କିନ୍ତୁ କେବଳ ଶିବକୁମାରଙ୍କୁ ଛାଡ଼ିଦେଲେ କୌଣସି ଗୋଟିଏ ବି ମାମଲାର ତଦନ୍ତ ଭାର ସିବିଆଇକୁ ବିଜେପି ସରକାର ଦେଇନଥିଲେ।

ସେପଟେ ୮୮ କୋଟି ଟଙ୍କାର ଘୋଟାଲାରେ ଗିରଫ ହୋଇଥିବା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ବି. ନଗେନ୍ଦ୍ରଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଇଡି। ନଗେନ୍ଦ୍ର ବଲ୍ଲାରୀ ଗ୍ରାମୀଣ ଆସନରୁ କଂଗ୍ରେସରୁ ବିଧାୟକ ଅଛନ୍ତି। ଶୁକ୍ରବାର ଦୀର୍ଘ ସମୟ ଧରି ଜେରା ପରେ ବିଳମ୍ୱିତ ରାତିରେ ନଗେନ୍ଦ୍ରଙ୍କୁ ଗିରଫ କରିଥିଲା ଇଡି। କର୍ଣ୍ଣାଟକ ମହର୍ଷି ବାଲ୍ମିକୀ ଅନୁସୂଚିତ ଜନଜାତି ବିକାଶ ନିଗମରେ ହୋଇଥିବା ଘୋଟାଲାରେ ସଂପୃକ୍ତି ଥିବାର ପ୍ରମାଣ ପାଇଛି ଇଡି। ୧୦ରୁ ୧୨ ଜୁଲାଇ ଯାଏ ନଗେନ୍ଦ୍ରଙ୍କ ଅନେକ ଠିକଣାରେ ଚଢ଼ାଉ କରିଥିଲା ଇଡି। ୧୨ ତାରିଖ ସକାଳେ ବେଙ୍ଗାଲୁରୁର ଶାନ୍ତିନଗର ଇଡି ଅଫିସରେ ଜେରା କରିଥିଲା ଇଡି। ୮୮ କୋଟି ଟଙ୍କାର ଗଡ଼ବଡ଼ି ସେତେବେଳେ ସାମ୍ନାକୁ ଆସିଥିଲା। ଯେତେବେଳେ ନିଗମର ଜଣେ କର୍ମଚାରୀ ଏନ.ଚନ୍ଦ୍ରଶେଖରନ ପାଣ୍ଠି ହେରଫେର ନେଇ ସୂଚନା ଦେବା ପରେ ମେ ୨୬ରେ ଆତ୍ମହତ୍ୟା କରିଦେଇଥିଲେ। ସୁଇସାଇଡ୍ ନୋଟରେ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ହିଁ ଦୋଷୀ ଓ ଦାୟୀ ବୋଲି ଲେଖିଥିଲେ। ସେତେବେଳେ ନଗେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଥିଲେ। ନିଗମ ଦାୟିତ୍ୱ ବି ତାଙ୍କ ଅଧୀନରେ ଥିଲା। ଏହି ଦୁର୍ନୀତି ପଦାକୁ ଆସିବା ପରେ ଜୁନ୍ ୬ରେ ଇସ୍ତଫା ଦେଇଥିଲେ ନଗେନ୍ଦ୍ର। ଏହି ଦୁର୍ନୀତିର ତଦନ୍ତ ଏସଆଇଟି, ସିବିଆଇ ଓ ଇଡି କରୁଛି। ଏସଆଇଟି ୧୧ ଲୋକଙ୍କୁ ଗିରଫ କରି ୧୪.୫ କୋଟି ଟଙ୍କା ଜବତ କରିଛି। ନଗେନ୍ଦ୍ରଙ୍କ ଗିରଫଦାରି ପରେ ଏବେ ଗିରଫଦାରିର ଖଣ୍ଡା ବୁଲୁଛି ଅନ୍ୟତମ ବିଧାୟକ ତଥା ନିଗମ ଅଧ୍ୟକ୍ଷ ଥିବା ବସନଗୌଡ଼ା ଦଦ୍ଦାଲଙ୍କ ଉପରେ। ରାୟଚୂର ଗ୍ରାମୀଣ ଆସନର ବିଧାୟକ ବସନଗୌଡ଼ାଙ୍କୁ ବି ଇଡି ଆଗରୁ ଜେରା କରିଛି। ବସନଗୌଡ଼ା କହିଛନ୍ତି, ସେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ। ତଦନ୍ତରେ ସବୁପ୍ରକାର ସହଯୋଗ କରୁଛି।

ସେ ଏଯାଏ ଇଡି ନୋଟିସ୍ ପାଇନାହାନ୍ତି। ଏହି ମାମଲାକୁ ନେଇ କର୍ଣ୍ଣାଟକ ବିଧାନସଭା ହୁଲସ୍ତୁଲ ହୋଇଛି। ମହର୍ଷି ବାଲ୍ମିକୀ ଅନୁସୂଚିତ ଜାତି ନିଗମରେ ହୋଇଥିବା ପାଣ୍ଠି ହେରଫେର ମାମଲାରେ ବିଜେପି ନେତା ବିଧାନସୌଧକୁ ପଦଯାତ୍ରା କରି ପ୍ରତିବାଦ କରିଥିଲା। ଦଳିତଙ୍କ ଅର୍ଥକୁ ହଡ଼ପ କରି ନିଜ ନିର୍ବାଚନୀ ପ୍ରଚାରରେ କଂଗ୍ରେସ ଖର୍ଚ୍ଚ କରିଥିବା ଆରୋପ ଲଦିଛି ବିଜେପି। ଦଳିତ, ଆଦିବାସୀଙ୍କୁ ନ୍ୟାୟ ମିଳିବା ଯାଏ ସଂଘର୍ଷ ଜାରି ରହିବ ବୋଲି କହିଛି ବିଜେପି। କଂଗ୍ରେସ କହିଛି, ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ। କିନ୍ତୁ ଆଲୋଚନାକୁ ପଛଘୁଞ୍ଚା ଦେଇ ବିଧାନସଭାକୁ ଅଚଳ କରି ରାଜନୈତିକ ମାଇଲେଜ୍ ନେବାକୁ ଅପପ୍ରୟାସ କରୁଛି ବିଜେପି। ଏସଆଇଟି ତଦନ୍ତ କରୁଛି। ଆଗ ରିପୋର୍ଟ ଆସୁ। ଅନୁସୂଚିତ ଜାତି କମିଶନ ଅଧ୍ୟକ୍ଷ କହିଛନ୍ତି, ଏ ନେଇ କମିଶନ ନିଜ ଆଡ଼ୁ ସଂଜ୍ଞାନ ନେଇଛନ୍ତି।

ଫସିଛନ୍ତି କର୍ଣ୍ଣାଟକର ଦୁଇ ହେଭିଓ୍ୱେଟ୍। ଜଣେ ଆୟ ବର୍ହିଭୂତ ସମ୍ପତ୍ତିରେ ତ ଅନ୍ୟ ଜଣେ ଦଳିତଙ୍କ ପାଣ୍ଠି ହେରଫେରରେ ଇଜି ହାଜତରେ। ଦେଖିବାର କଥା ଶାସକ କଂଗ୍ରେସ ଏହାକୁ ଆଗାମୀ ଦିନରେ ବିରୋଧୀଙ୍କ ଷଣ୍ଢୁଆସି ଆକ୍ରମଣକୁ କେତେଦୂର ମୁକାବିଲା କରିପାରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *