ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର ଚାଲିଛି ମାନସମନ୍ଥନ । କିଏ ଆଗ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ତାହାକୁ ନେଇ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା । ବ୍ରଜରାଜନଗର ଉପନିର୍ବାଚନ ନେଇ ବିଜେପିର ଘନ ଘନ ବୈଠକ । କାହାକୁ ବିଜେପି ପ୍ରାର୍ଥୀ କରିବ ତାହାକୁ ନେଇ ଏବେ ଚାଲିଛି ଜୋରଦାର ଆଲୋଚନା । ପୂର୍ବତନ ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ଏଥର ମଧ୍ୟ ପ୍ରାର୍ଥୀ ହେବା ନେଇ ଆଶା ରଖିଛନ୍ତି । ତାହାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ଆଲୋଚନା କରାଯାଉଛି । ହେଲେ ସେପଟେ ନୂଆ ପ୍ରାର୍ଥୀ ଦେବା ପାଇଁ ମଧ୍ୟ ବିଜେପି ପକ୍ଷରୁ ଚିନ୍ତା କରାଯାଉଛି ।
ବିଜେପି ର ନୂଆ ପ୍ରାର୍ଥୀ ଭାବେ ସୁଜିତ୍ ସିଂଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା । ବ୍ରଜରାଜନଗର ଉନିର୍ବାଚନରେ ନୂଆ ମୁହଁ ଭାବେ ସୁଜିତ ସିଂଙ୍କୁ ବିଜେପି ପ୍ରାର୍ଥୀ କରିପାରେ । ଏ ନେଇ ବିଜେପିର ଉପର ମହଲରେ ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି । ମେ ୩୧ କୁ ହେବାକୁ ଯାଉଥିବା ବ୍ରଜରାଜନଗର ଉନିର୍ବାଚନରେ ଭାରତୀୟ ଜନତା ପାର୍ଟି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଙ୍କ ବଦଳରେ ସୁଜିତ୍ ସିଂ କୁ ପ୍ରାର୍ଥୀ କରିବାର ସମ୍ଭାବନା ଉପୁଜିଛି ।
ସୁଜିତ ଏବିଭିପି ରୁ ନିଜ ରାଜନୀତି ଆରମ୍ଭ କରି ବିଜେପି ଯୁବ ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ ଦାୟିତ୍ଵ ସୁଚାରୁ ରୂପେ ତୁଲାଇଛନ୍ତି । ୨୦୧୫ ମସିହାରେ ଭାରତ ସରକାରଙ୍କ ଯୁବ ପ୍ରତିନିଧି ଦଳରେ ସେ ଚାଇନା ରେ ଭାରତ ର ପ୍ରତିନିଧିତ୍ଵ ମଧ୍ୟ କରିଥିଲେ ।
ସେପଟେ ଗ୍ରାଉଣ୍ଡ ଜିରୋରେ ବିଜେଡି ବ୍ରଜରାଜ ନଗରରେ ତାର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛି । କିଶୋର ମହାନ୍ତିଙ୍କ ସ୍ତ୍ରୀକୁ ବିଜେଡି ପ୍ରାର୍ଥୀ କରିବା ନେଇ ଏକ ପ୍ରକାର ସୁନିଶ୍ଚିତ କରିଥିବା ଜଣାପଡିଛି । ତେବେ ଏହା ମଧ୍ୟରେ ଖୁବଶୀଘ୍ର ବିଜେଡି ଦଳ ନିଜର ପ୍ରାର୍ଥୀ ଘୋଷଣା କରିବା ସହ ମଇଦାନ କମ୍ପାଇବ । ଅନ୍ୟପଟେ ସବୁଠୁ ପଛରେ ରହିଛି କଂଗ୍ରେସ । ଏ ପର୍ଯ୍ୟନ୍ତ ବ୍ରଜରାଜନଗର ଉପ ନିର୍ବାଚନ ନେଇ ଦଳ ପକ୍ଷରୁ କୌଣସି ବୈଠକ ଡକାଯାଇନଥିବା ବେଳେ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ଜୋର ।
ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଗଲାଣି । ୧୧ ତାରିଖ ମଧ୍ୟରେ ନାମାଙ୍କନ ଦାଖଲର ଶେଷ ତାରିଖ । ୧୨ରିଖରେ ହେବେ ନାମାଙ୍କନ ପତ୍ରର ଯାଞ୍ଚ । ୧୭ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମେ ୩୧ତାରିଖରେ ଭୋଟ ଗ୍ରହଣ, ଜୁନ ୩ ତାରିଖରେ ହେବ ଭୋଟ ଗଣତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now