ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର !

Spread the love

ରତ୍ନଭଣ୍ଡାର ଖୋଲିବା ନେଇ କଳ୍ପନାଜଳ୍ପନା ଭିତରେ ଘଟଣାର ନୂଆ ମୋଡ। ବିଜେଡି ସରକାରରେ ଗଠିତ ରତ୍ନଭଣ୍ଡାର କମିଟିକୁ ଭାଙ୍ଗିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ତଦାରଖ କମିଟି ଅଧ୍ୟକ୍ଷ ଅରିଜିତ ପଶାୟତ ଓଡିଶାରେ ପହଁଚିଥିବା ବେଳେ ଶନିବାର ପୁରୀ ଯାଇ ବୈଠକ କରିଥାନ୍ତେ। କିନ୍ତୁ ଏହା ପୂର୍ବରୁ ଅଚାନକ ଭାବେ ସରକାରଙ୍କ କମିଟି ଭାଙ୍ଗିବା ନିଷ୍ପତି ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଚିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି ଗଠନ ହୋଇଛି। ଏହି କମିଟିରେ ବିଭିନ୍ନ ବର୍ଗର ୧୬ଜଣ ସଦସ୍ୟ ରହିଛନ୍ତି। ଆସନ୍ତା ୬ ତାରିଖରେ କମିଟିର ପ୍ରଥମ ବୈଠକ ବସିବା ପରେ ସେମାନେ ଯାହା ନିଷ୍ପତି ଦେବେ ସେହି ଅନୁସାରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଯେ, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରତ୍ନଭଣ୍ଡାର ଖୋଲାଯିବ ଏବଂ ଗଣତି ମଣତି ହେବ। ସେପଟେ କମିଟି ଅଧ୍ୟକ୍ଷ ଜଷ୍ଚିସ ବିଶ୍ୱନାଥ ରଥ କହିଛନ୍ତି,  ରତ୍ନଭଣ୍ଡାର ଖୋଲିବା ନିମନ୍ତେ ଜଗନ୍ନାଥ ସମ୍ମିଳନୀ କକ୍ଷରେ ପ୍ରଥମ ବୈଠକ ବସିବ। ରତ୍ନଭଣ୍ଡାର ଖୋଲିବା ପରେ ଗଣତି ଓ ମଣତି ନେଇ ନିଷ୍ପତ୍ତି ହେବ। ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ। ୪୬ ବର୍ଷ ପରେ ଏ କାର୍ଯ୍ୟ କରିବାକୁ ଯାଉଛୁ। ତେଣୁ ମହାପ୍ରଭୁଙ୍କ ଆର୍ଶୀବାଦ ଆବଶ୍ୟକ। ରତ୍ନ ଭଣ୍ଡାର ଖୋଲାଗଲା ପରେ ଏହାର ପ୍ରକୃତ କାମ ଆରମ୍ଭ ହେବ। ତେବେ ରତ୍ନ ଭଣ୍ଡାରରୁ ଅଳଙ୍କାର ଚିହ୍ନଟ ଓ ଗଣତିକୁ ଖୁବ୍ ଶୀଘ୍ର ସାରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ।

କମିଟିରେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିହଂ ଦେବଙ୍କ ପ୍ରତିନିଧି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୁରୀ ଜିଲ୍ଲାପାଳଙ୍କ ପ୍ରତିନିଧି, ଏସଆଇ ଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କ ସହିତ, ସମାଜର ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ରହିଛନ୍ତି। ରତ୍ନ ଭଣ୍ଡାରର ସୂରକ୍ଷା ଓ ରତ୍ନ ଗଣତି ଉପରେ ପ୍ରାଥମିକତା ରହିବ ବୋଲି  କହିଛନ୍ତି କମିଟି ସଦସ୍ୟ ।

 ସେପଟେ ବିଜେଡି କହିଛି, ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନ ଭଣ୍ଡାର କମିଟି ଭଙ୍ଗା ଯାଇଛି। ଅରିଜିତ ପଶାୟତ ଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟେଇ ଦିଆଗଲା। ସେ ଜଣେ ସୁନାମଧନ୍ୟ ବ୍ୟକ୍ତି। ସେମାନେ କେତେବେଳେ କଣ କହୁଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିଛନ୍ତି। ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥ ଓ ଓଡିଆ ଲୋକମାନେ ଜାଣିଛନ୍ତି କାହାର କଣ ଉଦ୍ଦେଶ୍ୟ ଅଛି l 24 ବର୍ଷର ସେ ସରକାର ଯାହା କରି ପାରିନଥିଲା 24 ଦିନର ସରକାର ତାହା କରିକି ଦେଖେଇଛି। କମିଟି ଭାଙ୍ଗିବାର କୌଣସି କାରଣ ନାହିଁ ଯାହା ସରକାର ଙ୍କୁ ସୁବିଧା ହେବ ସେଭଳି ନିଷ୍ପତି ନିଆଯିବ l କୌଣସି କମିଟି କେବେ ଭଙ୍ଗା ଯାଏନି କେବଳ ପୁରୁଣା କମିଟି ର ରିପ୍ଲେସ କରାଯାଇଛି l

ସୂଚନାଯୋଗ୍ୟ ଯେ, ହଜିଯାଇଥିବା ଚାବି ବଦଳରେ ଡୁପ୍ଲିକେଟ୍ ଚାବି ୨୦୧୮ ମସିହାରୁ ମିଳିଥିଲେ ବି ଏଥିରେ ରତ୍ନଭଣ୍ଡାର ତାଲା ଖୋଲୁଛି କି ନାହିଁ ତା’ର ପରୀକ୍ଷା ହୋଇନାହିଁ। ତେଣୁ ତାହା ରତ୍ନଭଣ୍ଡାର ଚାବି କି ନୁହେଁ, ରତ୍ନଭଣ୍ଡାର ଚାବି ହୋଇ ନଥିଲେ ସେପରି ସ୍ଥଳେ ତାଲା କିଭଳି ଭଙ୍ଗାଯିବ ସେ ଉପରେ ବି ଜଗନ୍ନାଥପ୍ରେମୀଙ୍କ ନଜର ରହିଛି। ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ଗତବର୍ଷ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ନବୀନ ସରକାର ଅମଳରେ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଗଠନ କରାଯାଇଥିଲା। ମାତ୍ର ଏବେ ନୂଆ ସରକାର କମିଟିକୁ ଭାଙ୍ଗି ନୂଆ କମିଟି ଗଠନ କରିଛନ୍ତି।

Leave a Reply

Your email address will not be published. Required fields are marked *