ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଏଣିକି ପ୍ରତି ସୋମବାର ନିଜେ ଅଭିଯୋଗ ପ୍ରକୋଷ୍ଠରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଉ ଲୋକଙ୍କୁ ଶୁଣିବେ। ଅଭିଯୋଗ ପଞ୍ଜୀକରଣ ଲାଗି ୧୦ଟି କାଉଣ୍ଟର ଖୋଲାଯାଇଥିଲା। ଆଉ ୧୧ଟାରୁ ଆରମ୍ଭ ହୋଇଥିଲା ଶୁଣାଣୀ। ଠିକ୍ ସମୟରେ ପହଞ୍ଚି ଅଭିଯୋଗ ଶୁଣିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ସାଙ୍ଗରେ ଧରି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ। ଯେଉଁ ବିଭାଗରେ ଯାହାର କାମ ଥିଲା, ତାକୁ ଧୈର୍ଯ୍ୟର ଶୁଣିଥିଲେ ମୁଖ୍ୟମନ୍ତ୍ରୀ। ଆଉ କିଏ କେମିତି ନ୍ୟାୟ ପାଇବ, ତାହାର ବାଟ ଦେଖାଉଥିଲେ। ଆଉ ଦୀର୍ଘ ୧୬ ବର୍ଷ ପରେ ବ୍ୟକ୍ତିଗତ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜେ ଅଳିଅର୍ଦ୍ଦଳି କରିବାର ମଉକା ମିଳିଥିବାରୁ ଲୋକେ ବେଶ୍ ଆଶ୍ୱସ୍ତ ଅନୁଭବ କରୁଥିଲେ। ଜିଲ୍ଲାସ୍ତରରେ ଯେତେ ଆପତ୍ତି ଅଭିଯୋଗ କଲେ ବି ଫଳ ମିଳିଲାନି ବୋଲି ଶେଷ ରାହା ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। କାହା ଆଖିରେ ଲୁହ ତ ପୁଣି କାହା ଓଠରେ ହସ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ଶୁଣିଲେ। ବାସ୍ ଏହା ଯେମିତି ତାଙ୍କ ଲାଗି ଥିଲା ବଡ଼ ଉପଲବ୍ଧି। ସମସ୍ୟା ଏଣିକି ସମାଧାନ ହେବ। ଏ ବିଶ୍ୱାସ ନେଇ ଫେରୁଥିଲେ ସଭିଏଁ। ଆଉ ଭେଟିନଥିବା ଲୋକେ ବି ଏହି ବିଶ୍ୱାସ ରଖି ଅପେକ୍ଷା କରିଥିଲେ। ମାଳ ମାଳ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିଥିଲେ ମୁଖ୍ୟମନ୍ତ୍ରୀ। କାହାକୁ ନିରାଶ କରିନଥିଲେ।
ଦୀର୍ଘ ୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡ଼ିଲା ବୋଲି ଅନେକ ଟୁପୁରୁଟାପୁରୁ ହେଉଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷଥର ଲାଗି ୨୦୦୮ରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ୨୦୦୧ରେ ସର୍ବାଧିକ ୨୦ ଥର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣିଥିଲେ ନବୀନ। ଆଉ ମୋଟ୍ ୭୬ ଥର ଆପତ୍ତି ଅଭିଯୋଗ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସିଏମଓଙ୍କ ଦ୍ୱାରା ପରିଚାଳିତ। ଏଠାରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନାହିଁ ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ମୋହନ ସରକାର ଏ ଧାରଣାକୁ ପୁରା ବଦଳାଇଦେଲେ। ବିଜେଡି କିନ୍ତୁ କହୁଛି, ସଦ୍ୟ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ଲୋକଙ୍କୁ ଶୁଣିବେ। ବିଜେପିର ଅସଲ ଚେହେରା ହେଲା, ଛୋଟକୁ ବଡ଼ କରି ହାଇଲାଇଟ୍ ହେବା।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଲା। ନିଜେ ମୁଖ୍ୟମନ୍ତ୍ରୀ ଶୁଣିଲେ। ଲୋକଙ୍କ ବିଶ୍ୱାସ ବି ଫେରିଲା। କେଉଁଠି ନ୍ୟାୟ ନ ମିଳିଲେ ମୋହନ ମାଝୀ ନ୍ୟାୟ ଦେବେ। ଏଣିକି ଅଫିସରଙ୍କ ହାତରେ ଲୋକଙ୍କ ସମସ୍ୟା ଟେକିଦେବେନି ମୋହନ ସରକାର। ଲୋକଙ୍କ ସରକାର ଭାବେ ଲୋକଙ୍କ ପାଖରେ ଉତ୍ତରଦାୟିତ୍ୱର ଭାର ନେବାକୁ ପଡ଼ିବ ବୋଲି ଭରସା ଦେବାରେ ଲାଗିଛନ୍ତି ମୋହନ ସରକାର।
Naxatra News is now on Whatsapp
Join and get latest news update delivered to you via whatsapp
Join Now