ଗ୍ରୀଭାନ୍ସ ସେଲ୍‌ର ଗୁରୁତ୍ୱ ବଢ଼ୁଛି ; ଆକ୍ସନ ମୋଡରେ ମୋହନ ସରକାର

ଗ୍ରୀଭାନ୍ସ ସେଲ୍‌ର ଗୁରୁତ୍ୱ ବଢ଼ୁଛି। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ରହି ଲୋକଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ଅନ ଦି ସ୍ପଟ୍ ନିର୍ଦେଶ ଦେଉଛନ୍ତି। ସେଥିଲାଗି ଲୋକଙ୍କ ଭରସା ବଢ଼ୁଛି। କିନ୍ତୁ ବ୍ୟବସ୍ଥାକୁ ବ୍ୟାପକ କରିବାକୁ ଯାଇ ଦଳୀୟ ଅଫିସରେ ବି ମନ୍ତ୍ରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବା ଆରମ୍ଭ କରିଦେଇଥିବା ଖବର କେମିତି ଖାପଛଡ଼ା ଲାଗିଛି। କେମିତି ଥିଲା ସିଏମ ଗ୍ରୀଭାନ୍ସ ସେଲ୍ ଓ ବିଜେପି ପାର୍ଟି ଅଫିସରେ ଅଭିଯୋଗ ଶୁଣାଣୀ ଆସନ୍ତୁ ଜାଣିବା

ନବୀନ ସରକାରରେ ସଚିବ ଶୁଣୁଥିଲେ। ମନ୍ତ୍ରୀ ଗୌଣ ଥିଲେ। ହେଲେ ମୋହନ ସରକାରରେ ମନ୍ତ୍ରୀ ସବୁ କିଛି। ଅଫିସର ରାଜ୍ ଚାଲିବନି। ଲୋକଙ୍କ ସମସ୍ୟା ଶୁଣି ଅଣଦେଖା କଲେ ମହଙ୍ଗା ପଡ଼ିବ। ସମସ୍ୟାର ସମାଧାନ ପ୍ରାଥମିକତା। ଲୋକେ ଯେଉଁ ଭରସା ନେଇ ଆସୁଛନ୍ତି। ତାକୁ ଅତୁଟ ରଖିବା ପ୍ରଥମ କର୍ତ୍ତବ୍ୟ। ଯେଉଁ ସବୁ ସମସ୍ୟା ଦୀର୍ଘଦିନର। ପୂର୍ବ ସରକାର କେବେ ବି ଆଲୋଚନା କରିନାହାନ୍ତି। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ତାକୁ ପ୍ରାଥମିକତା ଦିଆଯାଇଛି। ୧୭ଶହ ଅଭିଯୋଗକାରୀ ଆସିଥିଲେ। ହଜାରେରୁ ଉର୍ଦ୍ଧ୍ୱ ଅଭିଯୋଗ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ମନ୍ତ୍ରୀ ଶୁଣିଥିଲେ। କେବଳ ଭୁବନେଶ୍ୱରକୁ ନ ଆସି ଜିଲ୍ଲାସ୍ତରରେ ସମାଧାନ ହୋଇପାରିବ ବୋଲି କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କିଏ ନିଜର ହଜିଯାଇଥିବା ଭାଇକୁ ଖୋଜିଦିଅ ବୋଲି ଅଳି କରି କାନ୍ଦି କାନ୍ଦି କୋହଭରା କଣ୍ଠରେ ତଳେ ଲୋଟିପଡ଼ୁଥିଲା ତ କିଏ ଅଚଳ ଗୋଡ଼କୁ ସଚଳ କରିବାକୁ ସରକାର ନିଶ୍ଚିତ ସାହାଯ୍ୟ କରିବେ ବୋଲି ଆଶାବାଦୀ ଥିଲେ।  ଦୀର୍ଘ ୧୬ ବର୍ଷ ପରେ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ପାଦ ପଡ଼ିବା ପରେ ନ୍ୟାୟ ପାଇବାକୁ ଲୋକଙ୍କ ଭରସା ବଢ଼ିବାରେ ଲାଗିଛି।

ସେପଟେ ଗୋଟିଏ ପଟେ ସରକାରୀ ଅଭିଯୋଗ ପ୍ରକୋଷ୍ଠ ଚାଲିଥିଲା ବେଳେ ସମାନ୍ତରାଳ ଭାବେ ଦଳୀୟ ଅଭିଯୋଗ ଶୁଣାଣୀ ବି ଚାଲିଥିଲା ବିଜେପି ପାର୍ଟି ଅଫିସରେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦୁଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଭୂତିଭୂଷଣ ଜେନା ଲୋକଙ୍କ ଅଭିଯୋଗ ଶୁଣିଥିଲେ। ପ୍ରତି ସୋମବାର ଏଣିକି ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଦଳୀୟ ଅଫିସରେ ଅଭିଯୋଗ ଶୁଣିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି। କେବଳ ଦଳୀୟ କର୍ମୀ ନୁହଁନ୍ତି, ସାଧାରଣ ଲୋକେ ବି ଏଠାକୁ ଆସି ସମସ୍ୟା ଓ ସମାଧାନ ଲାଗି ଫେରାଦ୍ ହୋଇପାରିବେ।

ଏ କଥା ସତ। ଅବଶ୍ୟ ଲୋକଙ୍କ ସରକାର ଭାବେ ଲୋକଙ୍କ ପାଖକୁ ଯିବା। ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା। ସରଳ ସମାଧାନ ଉପରେ ଗୁରୁତ୍ୱ ଦେବା ମୋହନ ସରକାର ଆରମ୍ଭରୁ ପ୍ରାଥମିକତା ଦେଇଆସୁଛନ୍ତି। କିନ୍ତୁ ପ୍ରତି ସୋମବାର ଦଳୀୟ ଅଫିସରେ ବି ସମାନ୍ତରାଳ ଅଭିଯୋଗ ପ୍ରକୋଷ୍ଠରେ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଶୁଣାଣୀ କରିବା ନିଷ୍ପତ୍ତି କେଉଁଠି ନା କେଉଁଠି ଗ୍ରୀଭାନ୍ସ ସେଲର ଗୁରୁତ୍ୱ କମାଇଦେବନି ତ।  ଅଭିଯୋଗ ଶୁଣାଣୀକୁ ଦଳୀୟ ଭିତ୍ତିରେ ହେଉଥିବାର ବାର୍ତ୍ତା ସାଧାରଣରେ ଗଲେ ଗ୍ରୀଭାନ୍ସ ଗୁରୁତ୍ୱ ହରାଇବନି ତ। ଏ ଦିଗରେ ବି ଶାସକ ଦଳ ଓ ସରକାରୀ କଳ ଭାବିବା ଜରୁରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *