ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ ଘଟଣା

ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ ଘଟଣା। ମଙ୍ଗଳବାର ପଶ୍ଚିମବଙ୍ଗ ଛାତ୍ର ସମାଜ ବ୍ୟାନରରେ ହୋଇଥିବା ନବାନ୍ନ ଅଭିଯାନ ହିଂସାତ୍ମକ ମୋଡ଼ ନେଇଥିଲା। ପୁଲିସର ଅମାନୁଷିକ ଆଚରଣ ଓ ମମତା ସରକାରଙ୍କ ଏକଛତ୍ରବାଦ ନୀତି ବିରୁଦ୍ଧରେ ବୁଧବାର ୧୨ ଘଣ୍ଚିଆ ବଙ୍ଗ ବନ୍ଦ କରିଥିଲା ବିଜେପି। ବନ୍ଦ ବେଳେ ବି ବୋବାଲ୍ ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଶାନ୍ତି ନଷ୍ଟ ଲାଗି ବିଜେପି ଅରାଜକତତ୍ତ୍ୱଙ୍କ ସହ ମିଶି କରୁଥିବା ଉଦ୍ୟମରେ ସଫଳ ହେବେନି ବୋଲି କହିଛି ଟିଏମସି।

ନବାନ୍ନ ଅଭିଯାନ ବେଳେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଦମନଲୀଳା ଓ ମମତା ସରକାରଙ୍କ ଏକଛତ୍ରବାଦ ନୀତି ବିରୁଦ୍ଧରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବିଜେପି। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ବନ୍ଦ ପାଳନ କରିଥିଲା ବିଜେପି। ବନ୍ଦ ଡାକରାରେ କେହି ସାମିଲ୍ ହେବେନି। ସରକାରୀ କର୍ମଚାରୀ ଅଫିସ ନ ଆସିଲେ ଆକ୍ସନ ହେବ ବୋଲି ମମତା ସରକାରଙ୍କ ଅପିଲ ଓ ନିର୍ଦେଶ ସତ୍ତ୍ୱେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବନ୍ଦ ବେଳେ ଅନେକ ଜାଗାରେ ହିଂସା ସୃଷ୍ଟି ହୋଇଥିଲା। ଭାଟପାଡ଼ାରେ ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ ଗାଡ଼ି ଉପରେ ଗୁଳିମାଡ଼ ହୋଇଥିଲା। ଗାଡ଼ିର ଡ୍ରାଇଭରଙ୍କୁ ଗୁଳି ବାଜିଥିଲା। ବିଜେପିକୁ ଭୟଭୀତ କରାଇ ଆନ୍ଦୋଳନକୁ ଦମନ ଲାଗି ମମତା କରୁ଼୍ଥିବା ପ୍ରୟାସ ଫଳବତୀ ହେବନି ବୋଲି ଚେତାଇ ଦେଇଛି ବିଜେପି। ପଶ୍ଚିମବଙ୍ଗରେ ପୁଲିସ, ଅସାମାଜିକ ତତ୍ତ୍ୱ ଓ ରାଜନେତାଙ୍କ ଅସାଧୁମେଣ୍ଟ ଚାଲିଛି। ଦୁଷ୍କର୍ମକାରୀ ପୁଲିସ ଗାଡ଼ିରେ ବୁଲୁଛନ୍ତି। ମହିଳା ମୁଖ୍ୟମନ୍ତ୍ରୀ ସତ୍ତ୍ୱେ ମହିଳା ଅସୁରକ୍ଷିତ। ସେଥିଲାଗି ମମତା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେପି। ପୁଲିସର ମାତ୍ରାଧିକ ବଳ ପ୍ରୟୋଗରୁ ନବାନ୍ନ ଅଭିଯାନ ବେଳେ ଅନେକ ଛାତ୍ର ଆହତ ହୋଇଥିଲେ। ଗିରଫ ହୋଇଥିବା ୨ଶହରୁ ଉର୍ଦ୍ଧ୍ୱ ଛାତ୍ରଙ୍କୁ ତୁରନ୍ତ ମୁକ୍ତ କରିବାକୁ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କୁ ଚିଠି ଲେଖି ଅପିଲ୍ କରିଛନ୍ତି ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର।  ପୁଲିସ ଏମାନଙ୍କୁ ନିଃସର୍ତ୍ତ ଖଲାସ କରିବାକୁ ରାଜ୍ୟପାଳ ନିର୍ଦେଶ ଦିଅନ୍ତୁ। ଗିରଫ କରିଥିବା ସୁରକ୍ଷା ଦୃଷ୍ଟିରୁ ନର୍ଥ ବେଙ୍ଗଲ ଟ୍ରାନ୍ସପୋର୍ଟ କର୍ପୋରେସନର ବସ୍ ଡ୍ରାଇଭରମାନେ ହେଲମେଟ ପିନ୍ଧି ଗାଡ଼ି ଚଳାଇଥିଲେ। ସୁରକ୍ଷା ଦୃଷ୍ଟିରୁ ହେଲମେଟ ପିନ୍ଧିବାକୁ ସରକାର ନିର୍ଦେଶ ଦେଇଥିଲେ ବୋଲି କହିଛନ୍ତି ଗାଡ଼ି ଚାଳକ।

ସେପଟେ ବିଜେପି ଗୁଣ୍ଡା ଜୋରଜବରଦସ୍ତି ସ୍କୁଲ ବନ୍ଦ କରୁଛନ୍ତି। ବନ୍ଦକୁ ସମର୍ଥନ ମିଳୁନଥିବାରୁ ବାଧ୍ୟ ହୋଇ ପିକେଟିଂ କରି ବିଜେପି ବନ୍ଦ କରୁଥିବା କହି ସମାଲୋଚନା କରିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର। ବନ୍ଦ ପାଳନ ବେଳେ ନଦିୟାରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲେ। କୋଲକାତାର ଶ୍ୟାମବଜାର ମେଟ୍ରୋ ଷ୍ଟେସନ ଗେଟ୍ ବନ୍ଦ କରିବାକୁ ପ୍ରୟାସ କରିଥିଲେ ଆନ୍ଦୋଳନକାରୀ। ପୁଲିସ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା। ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିଛି। ରାଜ୍ୟରେ ଶାନ୍ତି ଭଙ୍ଗ ଲାଗି ବିଜେପି ଅରାଜକତତ୍ତ୍ୱଙ୍କୁ ଧରି ପ୍ରୟାସ ଜାରି ରଖିଛି ବୋଲି ଆରୋପ ଲଦିଛି ଶାସକ ଦଳ। ସେପଟେ ଟିଏମସିର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ସପ୍ତାହରେ ବିଧାନସଭା ଅଧିବେଶନ ବସିବ।  ଦୁଷ୍କର୍ମକାରୀଙ୍କୁ କଡ଼ା ଦଣ୍ଡବିଧାନ ନେଇ ୧୦ ଦିନ ଭିତରେ ବିଲ୍ ଆସିବ। ରାଜ୍ୟପାଳଙ୍କ ପାଖକୁ ଏହି ବିଲ୍ ପଠାଇଦିଆଯିବ। ରାଜ୍ୟପାଳ ଅନୁମତି ନ ଦେଲେ ରାଜଭବନ ଆଗରେ ବସିବ ଟିଏମସି। ଏହି ବିଲ୍ ପାରିତ କରିବାକୁ ରାଜ୍ୟପାଳ ନିଜର ଉତ୍ତରଦାୟିତ୍ୱରୁ ଖସିପାରିବେନି ଏଥର। ରାଜ୍ୟ ସରକାର ବି ନ୍ୟାୟ ଚାହୁଁଛନ୍ତି।  ଏଭଳି କୁକର୍ମ ଲାଗି କେବଳ ଫାଶୀ ଦଣ୍ଡ ମିଳିବା ଦରକାର। କିନ୍ତୁ ବିଜେପି ବନ୍ଦ କରି କେବଳ ବଙ୍ଗକୁ ବଦନାମ କରୁ଼୍ଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବାନ୍ନ ଅଭିଯାନ ବେଳେ ପୁଲିସ ଯେଭଳି ସ୍ଥିତିକୁ ସମ୍ଭାଳିଲା, ତାହା ପ୍ରଂଶସନୀୟ। ବିଜେପି କଦାପି ୟୁପି, ଏମପି କି ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ତ ମାଗିନି। ବିଜେପିର ବନ୍ଦକୁ କେହି ସମର୍ଥନ କଲେନି।

ସେପଟେ ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ୍ ବ୍ୟାନରରେ ଶ୍ୟାମବଜାରରୁ ଧର୍ମତାଲା ଯାଏ ପ୍ରତିବାଦ ରାଲି କରିଥିଲେ ଡାକ୍ତର। ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ଡାକ୍ତର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *