ଜୟା-ଜଗଦୀପ ମୁହାଁମୁହିଁ ;ବାରମ୍ୱାର ଚାମ୍ୱରକୁ କାହିଁକି ଡାକୁଛନ୍ତି ଜଗଦୀପ

ରାଜ୍ୟସଭାରେ ଜୟା-ଜଗଦୀପ ମୁହାଁମୁହିଁ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ଓ ସପା ସାଂସଦ ଜୟା ବଚ୍ଚନଙ୍କ ଭିତରେ ହୋଇଥିବା ଉଚବାଚ୍ଚରୁ ସ୍ତବ୍ଧ ହୋଇଯାଇଥିଲା ପୁରା ଗୃହ। ଜୟା ବଚ୍ଚନ ଜଗଦୀପଙ୍କ ବିରୁଦ୍ଧରେ ଆରୋପ ଆଣିଥିଲେ ଆଗ। ଆପଣଙ୍କ ଆଚରଣ ଠିକ୍ ଲାଗୁନି। ବାରମ୍ୱାର ଚାମ୍ୱରକୁ କାହିଁକି ଡାକୁଛନ୍ତି କହି ଜୟା ସଙ୍ଗୀନ ଆରୋପ ଆଣିବା ପରେ ଚିହିଁକି ଉଠିଥିଲେ ଜଗଦୀପ। ଶିଷ୍ଟାଚାର ଶିଖିବାକୁ ପାଲଟା ପରାମର୍ଶ ଦେଇଥିଲେ ଜୟାଙ୍କୁ। ଏହାକୁ ନେଇ ରାଜ୍ୟସଭାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା।

ରାଜ୍ୟସଭାରେ ଅଭାବନୀୟ ଘଟଣା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ବିରୁଦ୍ଧରେ ସଙ୍ଗୀନ ଆରୋପ ଆଣିଲେ ସପା ସାଂସଦ ଜୟା ବଚ୍ଚନ। ଧନକଡ଼ଙ୍କ ଆଚରଣ ଓ କହିବା ଶୈଳୀ ନେଇ ଆଗ ଅଙ୍ଗୁଳି ଉଠାଇଥିଲେ ଜୟା। ବାରମ୍ୱାର ଚାମ୍ୱରକୁ କାହିଁକି ଡାକୁଛନ୍ତି। କଳାକାର ହିସାବରେ ଅଧ୍ୟକ୍ଷଙ୍କ ଭାବଭଙ୍ଗୀକୁ ସେ ଠିକ୍‌ରେ ବୁଝିଛନ୍ତି। ଏଭଳି କହି ଜୟା ଜଗଦୀପଙ୍କ ଆଚରଣକୁ ନେଇ ଅଙ୍ଗୁଳି ଉଠାଇଥିଲେ। ଚାମ୍ୱରକୁ ନ ଡାକି ସଂସଦରେ ବି କଥା ହୋଇପାରିବେ। ସାଂସଦଙ୍କ ପ୍ରତି ଏମିତି ଆଚରଣ ଠିକ୍ ନୁହେଁ। ଏହା ଭୁଲ୍ ଓ ଭିନ୍ନ ଇଙ୍ଗିତ କରୁଛି। ଆଉ ଏଭଳି ଆରୋପ ଶୁଣି ଚିହିଁକି ଉଠିଥିଲେ ଧନକଡ଼। ଶିଷ୍ଟାଚାର ଶିଖନ୍ତୁ ବୋଲି ଜୟାଙ୍କୁ ପରାମର୍ଶ ଦେଇଥିଲେ ଧନକଡ଼।  ଆପଣ ସେଲିବ୍ରିଟି ହୋଇପାରନ୍ତି। କିନ୍ତୁ ଆପଣ ମୋର ଟୋନ୍‌କୁ ନେଇ ପ୍ରଶ୍ନ କରିପାରିବେନି।  ଏଭଳି ଆଚରଣ ବରଦାସ୍ତ କରିବିନି।

ସେପଟେ ଜୟାଙ୍କୁ ସେଲିବ୍ରିଟି କହି ଏଭଳି କଟାକ୍ଷ କରିବାରୁ ବିରୋଧୀ ଦଳ ନାରାବାଜି କରିଥିଲେ। ଦାଦାଗିରି ଚଳିବନିର ନାରା ଲଗାଇ ବିରୋଧୀ ସଦସ୍ୟ କକ୍ଷତ୍ୟାଗ କରିଥିଲେ। ଜୟା ବଚ୍ଚନ ସଂସଦର ବରିଷ୍ଠ ସଦସ୍ୟା। ତାଙ୍କୁ ସଭାପତି ସେଲିବ୍ରିଟି କହି କେମିତି କଟାକ୍ଷ କଲେ। ଧନକଡ଼ କହିଥିଲେ, ଜୟା ବରିଷ୍ଠ ସଦସ୍ୟା ହୋଇ ଆସନର ଗରିମାକୁ ତଳେ ପକାଇଦେଲେ। ବିରୋଧୀ ଗୃହତ୍ୟାଗ କରୁଥିଲା ବେଳେ ଅଧ୍ୟକ୍ଷ କହିଥିଲେ ଯେ, ଏମାନେ ଚର୍ଚ୍ଚା କରିବାକୁ ଚାହୁଁନାହାନ୍ତି। ବିରୋଧୀଙ୍କ ଏଭଳି ଆଚରଣକୁ ନେଇ ନିନ୍ଦା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ରଖିଥିଲେ ରାଜ୍ୟସଭାର ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା। ବିରୋଧୀଙ୍କ ଆଚରଣ ଠିକ୍ ନୁହେଁ। ଏଭଳି ଆଚରଣ ଅଶୋଭନୀୟ। ବିରୋଧୀ କ୍ଷମା ମାଗନ୍ତୁ। ପୁରା ଦେଶ ଧନକଡ଼ଙ୍କ ସହ ଛିଡା ହୋଇଛି। ଦେଶର ଲୋକତନ୍ତ୍ର, ସମ୍ୱିଧାନକୁ ଅପମାନ। ପ୍ରଶ୍ନକାଳରେ ବିରୋଧୀଙ୍କ ଏଭଳି ବ୍ୟବହାର ନିନ୍ଦନୀୟ। ଜୟା କହିଥିଲେ, ଜଗଦୀପ କଅଣ ଆମର ଅନ୍ନଦାତା କି। ଆମେ ସ୍କୁଲ ପିଲା ନୁହଁ। ବିରୋଧୀ ଦଳ ନେତା କହୁଥିଲା ବେଳେ କେଉଁ ଅଧିକାର ବଳରେ ମାଇକ ମ୍ୟୁଟ୍ କରିଦେଲେ। କୌଣସି ଅପଶବ୍ଦ ପ୍ରୟୋଗ କରିନି। ଜଗଦୀପଙ୍କ କହିବା ଶୈଳୀ, ମହିଳାଙ୍କୁ ଅପମାନ ସହିବୁନି। ପାଲଟା ଜଗଦୀପ କ୍ଷମା ମାଗନ୍ତୁ।

ରାଜ୍ୟସଭାରେ ଜୟା-ଜଗଦୀପ ମୁହାଁମୁହିଁ ସ୍ଥିତିରୁ ସୃଷ୍ଟ ହଙ୍ଗାମାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *