ପୁରୀରେ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନିଲ ବଂଶଲ , ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସହ ପ୍ରଭାରୀ ସୁଶ୍ରୀ ଲତା ଉସେନ୍ଦି , ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ଶ୍ରୀ ମାନସ କୁମାର ମହାନ୍ତି ଏବଂ ଦଳର ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆଜି ପୁରୀଠାରେ ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷରେ କାର୍ଯ୍ୟକାରିଣୀ ହୋଇଛି ।

ଅନ୍ୟପଟେ କେନ୍ଦ୍ରସ୍ବସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ପ୍ରଭାତୀ ପରିଡା ଏବଂ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ମାନେ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଏହାକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକକୁ ଉଦଘାଟନ କରିବା ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାର ମହାପୁରୁଷଙ୍କୁ ମନେ ପକାଇଛନ୍ତି । ଏହାସହ ଓଡ଼ିଶାରେ ବିଜେପି ସରକାର ଆଣିଥିବାରୁ ଦଳର ପ୍ରତିଟି କାର୍ଯ୍ୟକର୍ତ୍ତା ଓ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ଆମେ ଓଡ଼ିଶାବାସୀଙ୍କ ସେବା କରିବା ବୋଲି କହିଛନ୍ତି ନଡ୍ଡା ।
ଏହାସହ ଦଳୀୟ ସାଂସଦ, ବିଧାୟକ ଓ ପଦାଧିକାରୀଙ୍କୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି, ପଦ୍ମ ଚିହ୍ନରେ ୧୮ ଜଣ ଆଦିବାସୀ ଭାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ଆମ ସରକାର କାମ କରିବ । ଓଡ଼ିଶାରେ ୨୧ରୁ ୨୦ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଛି । ବିଜେପି ପୂରା ଦେଶର ଦଳ ପାଲଟି ସାରିଛି । ବିଜେପିରେ ପ୍ରଜାତନ୍ତ୍ର ରହିଛି । ବିଜେପି ସବକା ସାଥ ସବକା ବିକାଶରେ ବିଶ୍ୱାସ କରେ । ୧୮ଟି ରାଜ୍ୟରେ ବିଜେପି ଓ ଏନଡିଏ ସରକାର ରହିଛି । ୧୩ଟି ରାଜ୍ୟରେ କେବଳ ବିଜେପି ସରକାର ରହିଛି ।

ନିର୍ବାଚନ ଫଳାଫଳକୁ ଦେଖି କଂଗ୍ରେସ ଭାରି ଉତ୍ସାହିତ ହେଉଛି । ଯେପରି କୌଣସି ଫେଲ ହେଉଥିବା ଛାତ୍ର ହଠାତ୍ ପାସ୍ ହୋଇଗଲେ ଯେମିତି ଖୁସି ହୁଅନ୍ତି କଂଗ୍ରେସ ମାତ୍ର ୯୯ ଆସନ ପାଇ ସେମିତି ଖୁସି ହେଉଛି । ଇଣ୍ଡିଆ ମେଣ୍ଟର ସମସ୍ତ ସାଂସଦଙ୍କୁ ମିଶାଇଲେ ମଧ୍ୟ ବିଜେପି ସାଂସଦଙ୍କ ଠାରୁ କମ । ୨୦୧୪, ୨୦୧୯, ୨୦୨୪ରେ କଂଗ୍ରେସର ନିର୍ବାଚିତ ସାଂସଦଙ୍କ ଠାରୁ ବିଜେପି ସାଂସଦଙ୍କ ସଂଖ୍ୟା ଅଧିକ । ୧୩ ରାଜ୍ୟରେ କଂଗ୍ରେସ ଦଳ ଶୂନ, ତଥାପି ଏମିତି ଉତ୍ସାହ ଦେଖାଉଛନ୍ତି ଯେମିତି ବଡ ବିଜୟ ହାସଲ କରିଛନ୍ତି । କଂଗ୍ରେସ ଦଳ ପରଜୀବୀ ଦଳ ପାଲଟିଯାଇଛି । ଅନ୍ୟ ଦଳର ସହଯୋଗରେ କଂଗ୍ରେସ ବିଜୟୀ ହେଉଛି । ଯେଉଁଠି ଆଞ୍ଚଳିକ ଦଳ କଂଗ୍ରେସର ହାତ ଛାଡି ଦେଉଛନ୍ତି ସେଠାରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରୁଛି । କଂଗ୍ରେସ ଯେଉଁ ପାର୍ଟି ସହ ଯୋଡିହୁଏ ସେହି ଦଳକୁ ଦୁର୍ବଳ କରିଦିଏ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *