ଉପନିର୍ବାଚନ ଲାଗି ଭୋଟିଂ ଶେଷ

Spread the love

() ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନ ଲାଗି ଭୋଟିଂ ସରିଛି। ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଆଗରୁ ଏହି ୭ଟି ଆସନରେ ଉପନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ମହାରାଷ୍ଟ୍ର ଓ ବିହାରରେ କ୍ଷମତା ବଦଳିବା ପରେ ପ୍ରଥମ ଉପନିର୍ବାଚନ ହୋଇଛି।

ମହାରାଷ୍ଟ୍ର, ବିହାର, ଓଡ଼ିଶା, ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ ହରିଆଣାରେ ବିଧାନସଭା ଉପନିର୍ବାଚନ ଲାଗି ସରିଲା ଭୋଟିଂ। ଓଡ଼ିଶାର ଧାମନଗର ଆସନରେ ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏହି ଆସନରେ ସରିଛି ଉପନିର୍ବାଚନ ଲାଗି ଭୋଟ୍। ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ବିଜେପିର ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବିଜେଡି, କଂଗ୍ରେସ ଓ ବିଜେଡିରେ ବିଦ୍ରୋହ କରି ଦଳରୁ ବହିଷ୍କୃତ ରାଜୁ ଦାସ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ବିଜେପି ହାତରେ ଥିବା ଏହି ଆସନକୁ ବିଜେପି ବଜାୟ ରଖିବା ସମ୍ମାନର ପ୍ରଶ୍ନ ହୋଇଥିଲା ବେଳେ ବିଗତ ଅନେକ ଉପନିର୍ବାଚନରେ କ୍ରମାଗତ ଜିତି ଆସୁଥିବାର ଟ୍ରାକ୍ ରେକର୍ଡର ପୁନରାବୃତ୍ତି ଅପେକ୍ଷାରେ ବିଜେଡି। ଆଉ କଂଗ୍ରେସ ପରିବର୍ତ୍ତନର ସ୍ୱର ଶୁଭିବ ବୋଲି ଦମ୍ଭ ଦେଖାଉଥିଲା ବେଳେ ଟ୍ରମ୍ପକାର୍ଡ ସାଜିଥିବା ରାଜୁ ବାଜି ମାରିବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି।

ସେପଟେ ମହାରାଷ୍ଟ୍ର ଓ ବିହାରରେ ନୂଆ ସରକାର ଗଠନ ପରେ ଏଠାରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର। ମହାରାଷ୍ଟ୍ରର ଅନ୍ଧେରି ପୂର୍ବରେ ଶିବସେନା ବିଧାୟକ ରମେଶ ଲଟକେଙ୍କ ମୃତ୍ୟୁ ପରେ ଏଠାରେ ସରିଛି ଉପନିର୍ବାଚନ ଭୋଟିଂ। ରମେଶଙ୍କ ପତ୍ନୀ ରୁତୁକାଙ୍କୁ ଉଦ୍ଧବଙ୍କ ନେତୃତ୍ୱ ଶିବସେନା- ଉଦ୍ଧବ ବାଲାସାହେବ ଠାକରେ ଦଳ ଏହି ଆସନରେ ପ୍ରାର୍ଥୀ କରିଛି। ବିଜେପି ପ୍ରାର୍ଥୀ ଦେଇଥିଲେ ବି ପରେ ପ୍ରତ୍ୟାହାର କରିନେଇଥିଲା। ରୁତୁକାଙ୍କ ସହ ୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏହି ଆସନରୁ। ସେପଟେ ବିହାରରେ ନୀତିଶଙ୍କ ନେତୃତ୍ୱ ମହାଗଠବନ୍ଧନ ସରକାର ଦାୟିତ୍ୱ ନେବା ପରେ ଏଠାରେ ମୋକମା ଓ ଗୋପାଳଗଞ୍ଜରେ ଉପନିର୍ବାଚନ ହେଉଛି।

ମୋକମାରେ ଆରଜେଡି ଓ ବିଜେପି ଭିତରେ କଡ଼ା ଟକ୍କର ହେଉଛି। ମୋକାମାରେ ଆରଜେଡି ବିଧାୟକ ଅନନ୍ତ ସିଂ ଆର୍ମସ ଆକ୍ଚରେ ଦୋଷୀ ସାବ୍ୟସ୍ତ ପରେ ସଭ୍ୟପଦ ରଦ୍ଦ ହୋଇଥିଲା। ଏହି ଆସନରୁ ୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଅନନ୍ତଙ୍କ ପତ୍ନୀ ନୀଲମ ଦେବୀ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ଗୋପାଳଗଞ୍ଜରେ ବିଜେପି ବିଧାୟକ ସୁବାଷ ସିଂଙ୍କ ଦେହାନ୍ତ ପରେ ଏଠାରୁ ୯ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି ଉପନିର୍ବାଚନରେ। ଉଭୟ ଆସନରେ ମହାଗଠବନ୍ଧନ ପ୍ରାର୍ଥୀ ଜିତିବେ ବୋଲି ଦମ୍ଭୋକ୍ତି ବାଢ଼ିଛି ଆରଜେଡି। ୨୦୦୫ରୁ ଅନନ୍ତ ସିଂ ମୋକାମାରେ ନିଜର ଦବଦବା ଜାହିର କରିଆସୁଛନ୍ତି ଆଉ ଏହି ଆସନରୁ ଜେଡିୟୁ ଟିକଟରେ ଦୁଇ ଥର ଜିତିଛନ୍ତି।

ସେପଟେ ତେଲେଙ୍ଗାନା ମୁନୁଗୋଡ଼ା ଉପନିର୍ବାଚନ ଆଗରୁ ଓ ଭୋଟିଂ ଦିନ ବି ବିଜେପି-ଟିଆରଏସ ମୁହାଁମୁହିଁ ସ୍ଥିତିରେ ଦେଖିବାକୁ ମିଳିଲା। ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ତାଙ୍କ ସହ ବୈଠକ କରିଥିବାର ଏକ ମିଛ ଭିଡ଼ିଓ ବୁଲାଇ ଭୋଟରଙ୍କୁ ପ୍ରଭାବିତ କରୁଥିବାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରାର୍ଥୀ ପଲ୍ଲବୀ ଶ୍ରାବନ୍ତୀ। ୟୁପିର ଗୋଲା ଗୋକରନାଥରେ ବିଜେପି ଅନେକ ବୁଥ୍ ଜବରଦଖଲ କରିଥିବାର ଆରୋପ ଆଣିଛି ସମାଜବାଦୀ ଦଳ। ଭୋଟିଂର ପ୍ରଥମ ଦୁଇ ଘଣ୍ଟା ଲଲାହପୁର, ମଦନପୁର ଓ ଲକ୍ଷ୍ମଣଜାତି ବୁଥ ରିଗିଂ ହୋଇଥିବାର ଅଭିଯୋଗ ଆଣିଛି ଦଳ। ଏହି ଆସନରୁ ବିଏସପି ଓ କଂଗ୍ରେସ ପ୍ରାର୍ଥୀ ଦେଇନି। ହରିଆଣାର ଆଦମପୁର ଆସନରେ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି ଭୋଟିଂ।

୬ଟି ରାଜ୍ୟରେ ୭ଟି ଆସନରେ ଉପନିର୍ବାଚନ ଲାଗି ସରିଛି ଭୋଟିଂ। ଏହାର ଫଳାଫଳ ୬ ତାରିଖରେ ସ୍ପଷ୍ଟ ହେବ। ଏହି ୬ ରାଜ୍ୟରେ ଆଞ୍ଚଳିକ ଦଳ ସହ ବିଜେପିର ଜୋରଦାର ଲଢ଼େଇ ହେଉଛି। ହିମାଚଳପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନ ଆଗରୁ ଏହି ୭ ଆସନର ଫଳାଫଳ ବେଶ୍ ଗୁରୁତ୍ୱ ବହନ କରୁଛି। ଆଉ ତା ସହ ୨୪ ପାଇଁ ବି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *