ଫଡନବିସଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପଛର କାରଣ…

Spread the love

ମୁମ୍ୱାଇ: ଠାକରେ ନିଜ ପଦରୁ ଇସ୍ତଫା ଦେବା ପରେ ସବୁଠୁ ବେଶି ଖୁସି ଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିସ।  କାଳ ବିଳମ୍ବ ନ କରି ବିଜେପି ନେତା ଲଡୁ ବାଣ୍ଟିବା ସହ ଖାଇଥିଲେ ଲଡୁ। ରାଜ୍ୟ ବିଜେପି ବୁଧବାର ରାତିରେ ପାଳିଥିଲା ଉତ୍ସବ। ୨୦୧୯ରେ ପୂରଣ ହୋଇ ନ ଥିବା ସ୍ବପ୍ନ ସତ ହେବାକୁ ନେଇ ଦେବେନ୍ଦ୍ର ହୋଇଥିଲେ ସୁନିଶ୍ଚିତ। କିନ୍ତୁ ଲଡୁ ଖାଇବାର ଦିନ ଟିଏ ବି ପୂରିଲାନି ସବୁ ଆଶା ଆଶାରେ ରହିଗଲା। ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବେ କଣ ହୋଇଗଲେ ଉପମୁଖ୍ୟମନ୍ତ୍ରୀ। ସବୁ କିଛି ଥିଲା ଦେବେନ୍ଦ୍ରଙ୍କ ପାଇଁ ଅକସ୍ମାତ ଓ ଚକିତ କଲାପରି।

ଦେବେନ୍ଦ୍ରଙ୍କ ସ୍ୱପ୍ନ ରହିଗଲା ସ୍ୱପ୍ନ ହୋଇ। ଖୁସିର ଲଡୁ ଅଟକି ଗଲା ଯେମିତି ଗଳାରେ। ଯେଉଁ ପଦକୁ ହାସଲ କରିବାକୁ ଦେବେନ୍ଦ୍ର ୨୦୧୯ରୁ କଳ, ବଳ କୌଶଳ ପ୍ରୟୋଗ କରି ଆସୁଥିଲେ ଦଳର ଉଚ୍ଚାଧିକାରୀଙ୍କ ନିର୍ଦ୍ଦେଶରେ ତାହାକୁ ଟେକି ଦେବାକୁ ହୋଇଛି ଶିବସେନାର ବାଗୀ ନେତା ଏକନାଥ ସିନ୍ଧେଙ୍କ ହାତକୁ। ସେତିକିରେ ବି ଦେବେନ୍ଦ୍ରଙ୍କ ଦୁର୍ଦ୍ଦଶା ସରିଲାନି ଯେ ପୁଣି ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ହୋଇଛି। ଏହା ଦେବେନ୍ଦ୍ରଙ୍କ ସମ୍ମାନ ବଢାଇଛି ନା କମାଇଛି ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହା କଣ ଥିଲା ତାଙ୍କର ଇଛା?

୨୦୧୯ରେ ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୁଟିଲାନି କଳି, ତେଣୁ ଦଶନ୍ଧି ଦଶନ୍ଧିର ମେଣ୍ଟ ତୁଟିଗଲା ଓ ଶିବସେନା କଂଗ୍ରେସ ତଥା ଏନସିବି ସହ ଗଢିଲା ମହା ବିକାଶ ଅଘାଡି ମେଣ୍ଟ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଏହାକୁ ସହ୍ୟ କାରି ପାରୁ ନ ଥିଲେ ଦେବେନ୍ଦ୍ର କି କେନ୍ଦ୍ର ବିଜେପି ନେତା। ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବଙ୍କୁ ହଟାଇବାକୁ ଚାଲିଥିଲା ପ୍ରୟାସ। ସେ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା ହେଉ ବା ଡ୍ରଗ୍ସ ମାମଲା, ସବୁ ଘଟଣାରେ ବିଜେପି ମେଣ୍ଟ ସରକାରକୁ ଘେରୁଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟନ୍ତ ଅଭିଯୋଗ କରାଯାଇ ଆସୁଥିଲା ବିଭିନ୍ନ ହିଂସା ଘଟଣାରେ।

ଶେଷରେ ଏକନାଥ ସିନ୍ଧେ ଗୋଷ୍ଠୀ ବିଜେପି ପାଇଁ ହୋଇଥିଲା ବରଦାନ। ସିନ୍ଧେଙ୍କ ଦ୍ବାରା ଭାଙ୍ଗିଲା ଉଦ୍ଧବ ସରକାର। ଏହା ପରେ ଦେବେନ୍ଦ୍ର ହେବେ ମୁଖ୍ୟମନ୍ତ୍ରୀ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ହଠାତ୍ ମଧ୍ୟାହ୍ନରେ ପ୍ରେସମିଟ କରି ଦେବେନ୍ଦ୍ର ସରକାରରେ ସାମିଲ ନ ହୋଇ ବାହାରୁ ସମର୍ଥନ କରିବାକୁ ଘୋଷଣା କରିଥିଲେ। ଏକନାଥ ମୁଖ୍ୟମନ୍ତ୍ରୀ ହେବେ ଘୋଷଣା ପରେ ସ୍ୱପ୍ନ ଭାଙ୍ଗିବାର ଦୁଃଖ ମନରେ ମାରି ଦେବେନ୍ଦ୍ର ମିଡିଆ ସମ୍ମୁଖରେ ହସୁ ଥିଲେ। କିନ୍ତୁ ସଂଧ୍ୟା ନଇଁ ଆସିବା ବେଳକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କଲେ, ଦେବେନ୍ଦ୍ର ଫଡନବିସ ହେବେ ଉପମୁଖ୍ୟମନ୍ତ୍ରୀ। ପ୍ରଥମେ ପଦ ଗଲା, ପରେ ଘଟିଲା ଅବନତି

ଏହାକୁ ନେଇ ରାଜନୀତି ବିଶାରଦ କୁହନ୍ତି, ଏପରି କରିବା ପଛରେ ରହିଛି ଅନେକ କାରଣ। ପ୍ରଥମତଃ, ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଲୋକଙ୍କ ମନ ମସ୍ତିଷ୍କରେ ଭରିବାକୁ ଚାହୁଁଥିଲା, ବିଜେପି ତାର ସ୍ବାର୍ଥ ସାଧନ ପାଇଁ ଉଦ୍ଧବ ସରକାର ଭାଙ୍ଗି ନାହିଁ। ଦ୍ବିତୀୟରେ, ଏପରି କରି ସିନ୍ଧେ ଗୋଷ୍ଠୀକୁ ବିଜେପି ନିଜ ଆଡକୁ ଟାଣିବାରେ ସକ୍ଷମ ହେବ। ଠାକରେ ପରିବାର ନିକଟରେ ଥିବା ଶିବସେନାର ପରିଚାଳନା କ୍ଷମତା ସିନ୍ଧେଙ୍କ ହାତକୁ ଆସିବ, ଯାହା ବିଜେପି ପାଇଁ ସହାୟକ ହେବ। ଏହା ବ୍ୟତୀତ, ବିଜେପି ଚାହୁଁଥିଲା ଦେବେନ୍ଦ୍ରଙ୍କୁ ଶିକ୍ଷା ଦେବାକୁ । ଏହା ବିଜେପିର ଅଭ୍ୟାସଗତ କାର୍ଯ୍ୟ, ଯେଉଁ ନେତା ଅଧିକ ଉଡିବାକୁ ଚେଷ୍ଟା କରନ୍ତି, ତାଙ୍କୁ ତାଙ୍କ ଅସ୍ତିତ୍ବ ଦେଖାଇଥାଏ ଦଳ। ଫଡନବିସଙ୍କ ମିଠା ଖାଇବା ଫଟୋ ପରେ ହୁଏତ ଦଳ ଏପରି କରିଛି। 

ଏକନାଥ ଏକା ଶପଥ ନେବେ, ପରବର୍ତ୍ତୀ ସମୟରେ ମନ୍ତ୍ରୀମାନେ ଶପଥ ନେବେ ଏହାକୁ ନେଇ ସବୁ ଆୟୋଜନ ହୋଇଥିଲା। ସିନ୍ଧେ ଏକା ଶପଥ ନେବାକୁ ସବୁ ଆୟୋଜନ ସରିଥାଏ। ଉତ୍ସବ ସମାରୋହରେ ସିନ୍ଧେଙ୍କ ସହ ଦେବେନ୍ଦ୍ର ପହଞ୍ଚିଥିଲେ । ଏତିକି ବେଳକୁ ଆସିଲା ଏକ ଟ୍ବିଟ। ଦଳର ଅଧ୍ୟକ୍ଷ ଜେ ପି ନଡ୍ଡା  ଟ୍ବିଟ କରି ବ୍ୟକ୍ତିଗତ ଭାବେ ଦେବେନ୍ଦ୍ରଙ୍କୁ ଅନୁରୋଧ କରିଥିଲେ କି, ସେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳନ୍ତୁ।  ଏହା ପରେ ତୁରନ୍ତ ହିଁ ଷ୍ଟେଜ ଉପରେ ସିନ୍ଧେଙ୍କ ଚୌକି ନିକଟରେ ଆଉ ଏକ ଚୌକି ରଖାଗଲା ଦେବେନ୍ଦ୍ରଙ୍କ ପାଇଁ। ଅମିତ ସାହା ମଧ୍ୟ ଟ୍ବିଟ କରି ଦେବେନ୍ଦ୍ର ପାର୍ଟିର ଅନୁରୋଧ ସ୍ବିକାର କରିନେଇଛନ୍ତି ଓ ଏହା ପରେ ଫଡନବିସ ପାର୍ଟିର ନିର୍ଦ୍ଦେଶକୁ ସମ୍ମାନ କରୁଥିବା ରିଟ୍ବିଟ କରି ଜଣାଇଥିଲେ।

ତେବେ ଏହି ଆକଳନକୁ ବିଜେପି ସୂତ୍ରରୁ ଭୁଲ କୁହାଯାଇଛି। କୁହାଯାଇଛି, ଏପରି କରିବାର କାରଣ, ଦେବେନ୍ଦ୍ରଙ୍କ ନିକଟରେ ଅଭିଜ୍ଞତା ରହିଛି। ଏହି ଅଭିଜ୍ଞତା ଦ୍ବାରା ରାଜ୍ୟ ଶାସନ ସହଜ ହେବ ନୂଆ ସରକାର ପାଇଁ। ଏହା ବ୍ୟତୀତ, ସରକାର ଉପରେ ବିଜେପିର କବଜା ରହିବ। ବିଜେପି  ଯାହା କହୁ ନା କାହିଁ କିନ୍ତୁ ବାସ୍ତବତା ହେଉଛି, ନିଜ ଭୂମିକାକୁ ନେଇ ଦେବେନ୍ଦ୍ରଙ୍କ ନିଜସ୍ବ ନିଷ୍ପତ୍ତି ଦଳ ପାଇଁ ଅସହଜ ଥିଲା, ଯାହା ସବୁ ସମୟରେ ଦେଖାଯାଇଥାଏ। ଯେତେବେଳେ ଉଚ୍ଚ ନେତାଙ୍କ ବିନା ଅନୁମତିରେ କୌଣସି ନିମ୍ନ ନେତା ଆଗକୁ ଆସନ୍ତି ସେତେବେଳେ ଅନୁଶାସନର ଚାବୁକ ଏହିଭଳି ଭାବେ ପଡିଥାଏ, ଯେମିତି ଦେବେନ୍ଦ୍ରଙ୍କ ଲଡ୍ଡୁ ଖାଇବା ଉପରେ ପଡିଲା।

Leave a Reply

Your email address will not be published. Required fields are marked *