ମୋହନ ସରକାରଙ୍କୁ ପୁରିଲା ଶହେ ଦିନ

ମୋହନ ସରକାରଙ୍କୁ ପୁରିଲା ଶହେ ଦିନ। ଶହେ ଦିନରେ ସରକାର ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶୃତି କେତେଦୂର ପାଳିଛନ୍ତି। କେଉଁ ଜନହିତକର କାମ କରିଛନ୍ତି। ଶ୍ରୀକ୍ଷେତ୍ରରୁ ଏହାର ହିସାବ ଦେଇଛନ୍ତି ସରକାର। ଶରଧାବାଲିରେ ଆୟୋଜିତ ବିଶାଳ ସଭାରେ ସରକାରଙ୍କ ସଫଳତାକୁ ପ୍ରଦର୍ଶନ କରାଯାଇଛି। ସେପଟେ ଶହେ ଦିନର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ୱା ବୋଲି ଦର୍ଶାଇଛନ୍ତି ବିରୋଧୀ। ଅସ୍ଥିର ସରକାର ବୋଲି ଆଖ୍ୟା ଦେଇଛନ୍ତି।

ଜୁନ୍ ୧୨। ଓଡିଶାରେ ଆରମ୍ଭ ହେଲା ମୋହନ ସରକାରର ଯୁଗ। ପୂର୍ଣ୍ଣ ବହୁମତ ପାଇବା ସହ ଲୋକଙ୍କ ସରକାର ଭାବେ ଅଭିହିତ କରିବାକୁ ଅଙ୍ଗିକାରବଦ୍ଧତା ଦେଖାଇବାକୁ ପ୍ରୟାସ ଆରମ୍ଭ କରିଥିଲେ ବିଜେପି ସରକାର। ସେପ୍ଟେମ୍ୱର ୧୯। ମୋହନ ସରକାରକୁ ପୁରିଛି ଶହେ ଦିନ। ସରକାରର ଶହେ ଦିନ ପୂର୍ତ୍ତି ପାଳନ ଅବସରରେ ଦେଇଥିବା ପ୍ରତିଶୃତି କେତେ ପାଳିଛନ୍ତି। ଜନହିତକର କାର୍ଯ୍ୟ କେତେ କରିଛନ୍ତି। ଶ୍ରୀକ୍ଷେତ୍ରରେ ବିଶାଳ ସଭାର ଆୟୋଜନ କରି ହିସାବ ରଖିଛନ୍ତି ରାଜ୍ୟବାସୀଙ୍କ ଆଗରେ। ସରକାର ଗଠନର ୧୨ ଘଣ୍ଟା ଭିତରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟକରଣ ଲାଗି ପ୍ରଥମ କ୍ୟାବିନେଟରେ ୫ଶହ କୋଟିର କର୍ପସ ପାଣ୍ଠି କଲେ। ଜୁଲାଇ ପହିଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲି ନିଜେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ମନ୍ତ୍ରି ପରିଷଦ। ଜନତା-ସରକାର ଭିତରେ ଉଠିଥିବା ପାଚେରୀ ହଟିଥିଲା। ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲି ଏହାର ମରାମତି ଓ ଗଣତି କରିବାକୁ ପଦକ୍ଷେପ ନେଲେ। ଚାଷୀଙ୍କ ଏମଏସପି ବୃଦ୍ଧି ସକାଶେ ସରକାର ଯେମିତି ତତ୍ପର। ସେମିତି ମହିଳାଙ୍କୁ ସଶକ୍ତ ଲାଗି ସୁଭଦ୍ରା ସ୍କିମକୁ ପ୍ରଧାନମନ୍ତ୍ରୀଙ୍କ ହାତରେ ଶୁଭାରମ୍ଭ ସହ ପ୍ରଥମ କିସ୍ତି ପଠାଇ ସେତିକି ଯତ୍ନବାନ୍।

ଲୋକଙ୍କ ସରକାର ଭାବେ କ୍ଷମତାକୁ ଆସୁ ଆସୁ ଶ୍ରୀମନ୍ଦିର ଚାରିଦ୍ୱାର, ରତ୍ନଭଣ୍ଡାର ଖୋଲିବା, ସୁଭଦ୍ରା ସ୍କିମ୍‌ରେ ମହିଳାଙ୍କୁ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବା, ଓଡ଼ିଆ ଅସ୍ମିତା ଲାଗି ଅଙ୍ଗିକାରବଦ୍ଧତା, ନିର୍ମାଣ ଶ୍ରମିକଙ୍କ ବିକାଶରୁ ନେଇ ଚାଷୀଙ୍କୁ ଏମଏସପି ଦେବାରେ ସରକାର ପ୍ରତିବଦ୍ଧତା ଦେଖାଇଛନ୍ତି। ନବୀନ ସରକାର ଅମଳରେ କେବଳ ପୁଳା ପୁଳା ପ୍ରତିଶୃତି ଓ ଅନେକ ଯୋଜନା ହେଉଥିଲା। ହେଲେ ନା ପୂରଣ ହେଉଥିଲା ନା କାର୍ଯ୍ୟକାରୀ କରାଯାଉଥିଲା ବୋଲି ଆରୋପ ଲଦିଥିଲେ ମଞ୍ଚ ଉପରେ ନେତାଏ। ଓ୍ୱାନମ୍ୟାନ୍ ସୋ ଚାଲିଥିଲା। ଜନତା-ସରକାର ଭିତରେ ଦୂରତା ବଢ଼ିଚାଲିଥିଲା। ନିର୍ବାଚିତ ପ୍ରତିନିଧି ଅମଲାଙ୍କ ବଶମ୍ୱଦ ଥିଲେ।

ସେପଟେ ବିଜେଡି କହିଛି, ଶହେ ଦିନର କାର୍ଯ୍ୟରୁ ସ୍ପଷ୍ଟ ଯେ, ରାଜ୍ୟର ପ୍ରଗତି ଦୁଇ ପାଦ ପଛକୁ ଚାଲିଯାଇଛି। ସରକାରଙ୍କ ଶହେ ଦିନର ସଫଳତା ଅପେକ୍ଷା ବିଫଳତାର ତାଲିକା ବେଶ୍ ଲମ୍ୱା। ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଓ ସୁଭଦ୍ରାରେ ପ୍ରତାରଣା କଲେ। ଆଇନଶୃଙ୍ଖଳା ପରିସ୍ଥିତି ଅଧିକା ବିଗିଡ଼ିଲାଣି। ବିଜେଡି ସରକାର ଅମଳରେ ଯୋଜନାର ନାଁ ଓ ରଙ୍ଗ ବଦଳାଇବାରେ ମାତିଲେ। କିଛି ନୂଆ କଲେନି। ଅସ୍ଥିର ସରକାର। କଂଗ୍ରେସ କହିଛି, କପି-ପେଷ୍ଟରେ ବିଜେପି ସରକାର ବି ମାତିଲା। ରାଜ୍ୟର ବିକାଶ ଲାଗି ଯାହା କରିବା କଥା କଲେନି। ନିର୍ବାଚନୀ ପ୍ରତିଶୃତି ପାଳିଲୁ କହି ତରବରିଆ ଭାବେ ସବୁ କାମ ଅଧାଖଣ୍ଡିଆ।

ବିକଶିତ ଗାଁ, ସହର ଓ ବିକଶିତ ଓଡ଼ିଶାକୁ ଗୁରୁତ୍ୱ ଦେଇ ସବୁଠୁ ଓଡ଼ିଆ ଅସ୍ମିତାର ଝଲକକୁ ପ୍ରାଧାନ୍ୟ ଦେଇଥିଲେ ମୋହନ ସରକାର। ମହାପ୍ରଭୂଙ୍କ ଆଶୀର୍ବାଦରୁ ପ୍ରଥମ ଥର ଏକାକୀ ଶାସନ ଗାଦିରେ ବସିଥିବା ବିଜେପି ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ପାଳିବା ଦିଗରେ କେତେଦୂର ଆଗେଇଛି କି ପ୍ରତାରଣା କରିଛି। ଜନତା ହିଁ ବିଚାର କରିବେ ବୋଲି ଜନତାଙ୍କ ଉପରେ ଛାଡ଼ିଦେଇଛନ୍ତି ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *