ସଂସଦରେ ମଣିପୁର ନିଆଁ। ମଣିପୁର ଜଳୁଥିଲା ବେଳେ ମୋଦି ନୀରବ ଥିଲେ। ମଣିପୁରରେ ଏବେ ୬୦ହଜାର ଲୋକ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି। ୨ଶହରୁ ଅଧିକ ଲୋକଙ୍କ ଜୀବନ ଗଲା। ଭୟ ଥିବାରୁ ଏଯାଏ ଘରକୁ ଫେରିପାରୁନାହାନ୍ତି ଲୋକେ। ଏବେ ବି ମୋଦି ନୀରବ। ମଣିପୁରରେ ଏବେ ଗୃହଯୁଦ୍ଧ ସ୍ଥିତି। ତଥାପି ପଦୁଟିଏ କହିଲେନି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ମଣିପୁର ବାବଦରେ ବି କିଛି ନାହିଁ। ଏମିତି ଢଙ୍ଗରେ ମଣିପୁରକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ।
ସେପଟେ ରାଜ୍ୟସଭାରେ ଏହାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମଣିପୁର ସ୍ଥିତିକୁ ସାମାନ୍ୟ କରିବାକୁ ସରକାର ନିରନ୍ତର ପ୍ରୟାସରତ ଅଛନ୍ତି। ମଣିପୁର ହିଂସାକୁ ନେଇ ୧୧ହଜାର ମାମଲା ରୁଜୁ ହେବା ସହ ୫ଶହରୁ ଉର୍ଦ୍ଧ୍ୱ ଉପଦ୍ରବୀଙ୍କୁ ଗିରଫ କରାଯାଇଛି। ମଣିପୁର ନିଆଁରେ ଘିଅ ଢାଳିବା ଭଳି ଆଚରଣ ବନ୍ଦ କରନ୍ତୁ ବୋଲି ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମଣିପୁରରେ ସ୍ଥିତି ସ୍ୱାଭାବିକ ହେବାକୁ ଲାଗିଲାଣି। ରାଜ୍ୟ ସରକାରଙ୍କ ସହ ସମ୍ପର୍କରେ ରହି କେନ୍ଦ୍ର ସରାକର ସୌହାର୍ଦ୍ଦ୍ୟ ବାତାବରଣ ଆଣିବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପୁରରେ ସପ୍ତାହେ ଧରି ରହିଥିଲେ। ଏନଡିଆରଏଫର ଦୁଇଟି ଟିମ୍ ବି ସେଠାରେ ଅଛି। କଂଗ୍ରେସ ସରକାର ଅମଳରେ ମଣିପୁରରେ ୧୦ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ମୋଦି ସରକାରଙ୍କ କାର୍ଯ୍ୟକାଳରେ ଏମିତି କଦାପି ହୋଇନି। ମଣିପୁର ଇତିହାସକୁ ବୁଝି ସରକାରଙ୍କୁ ସହଯୋଗ ଦେବାକୁ ଅପିଲ୍ କରିଛନ୍ତି ମୋଦି।
ସେପଟେ ମଣିପୁର ହିଂସାରେ ଅଭିଯୁକ୍ତ ଜଣେ ବିଚାରାଧୀନ କୁକି ସମ୍ପ୍ରଦାୟର ବନ୍ଦୀଙ୍କୁ ଚିକିତ୍ସାରେ ଅବହେଳା ନେଇ ମଣିପୁର ହାଇକୋର୍ଟଙ୍କ ରାୟକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଆଇନଶୃଙ୍ଖଳାର ଆଳରେ ବିଚାରାଧୀନ କୁକି ସମ୍ପ୍ରଦାୟର ବନ୍ଦୀଙ୍କୁ ହସ୍ପିଟାଲ ନେବାକୁ ବାରଣ କରିଥିବା ହାଇକୋର୍ଟଙ୍କ ଉପରେ କ୍ଷୋଭ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଏହା ସହ ତୁରନ୍ତ ତାଙ୍କୁ ଆସାମ ନେଇ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି। ଆଉ ଜୁଲାଇ ୧୫ ସୁଦ୍ଧା ଚିକିତ୍ସା ସମ୍ପର୍କିତ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟ ସରକାର ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ। ପାଇଲ୍ସ, ଯକ୍ଷ୍ମା ଓ ଅସହ୍ୟ ପିଠି ଯନ୍ତ୍ରଣାରେ ଛଟପଟ ହୋଇ ସଂପୃକ୍ତ ବନ୍ଦୀ ମଣିପୁର ସେଣ୍ଟ୍ରାଲ ଜେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ବି କେହି ଶୁଣିନଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now