ସରକାରୀ ଜମିରୁ ତୁରନ୍ତ ବେଆଇନ ଦଖଲ ହଟାଅ ; ମୋହନ ମାଝୀ

ହଟିବ ଜବରଦଖଲ। ସରକାରୀ ଜମିରୁ ତୁରନ୍ତ ବେଆଇନ ଦଖଲ ହଟାଇବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜବରଦଖଲ ଲାଗି ବିକାଶ ବାଧାପ୍ତାପ୍ତ ହେଉଥିବାରୁ ଏହାକୁ ହଟାଇ ତାରବାଡ଼ ବସାଇ ସାଇନବୋର୍ଡ ଲଗାଇବାକୁ ନିର୍ଦେଶ ଦେଇଛନ୍ତି ସରକାର। ତେବେ ବହୁ ଚର୍ଚ୍ଚିତ ପାତ୍ରପଡ଼ା ସରକାରୀ ଜମି ଦୁର୍ନୀତିରେ ବି ବଡ଼ବଡ଼ିଆଙ୍କ ସଂପୃକ୍ତିର ପ୍ରମାଣ ମିଳିବା ପରେ ଚଡ଼କ ପଡ଼ିଛି ଏଭଳି ନିର୍ଦେଶାନାମାରେ।

ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଅ। ଜିଲ୍ଲାପାଳମାନେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜବରଦଖଲ ଲାଗି ବିକାଶ ବାଧାପ୍ରାପ୍ତ ହେଉଛି। ସେଥିଲାଗି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଦଖଲ ହଟାଇବା ପରେ ଏହାକୁ ବାଡ଼ ବସାଅ। ଆଉ ସମସ୍ତଙ୍କ ଦୃଷ୍ଟିଗୋଚର ହେଲା ଭଳି ସାଇନବୋର୍ଡ ଲଗାଇବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  ଓ ସଚିବ ସତ୍ୟବ୍ରତ ସାହୁ ବି ସରକାରୀ ଜବରଦଖଲ ଜମିକୁ ନେଇ ସମୀକ୍ଷା କରିଥିଲେ। ସଚିବ ବି ଏ ସନ୍ଦର୍ଭରେ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଜବରଦଖଲ ହଟାଇବା ନେଇ ଯେତିକି ଖର୍ଚ୍ଚ ହେଉଛି, ତାହା ଘୋଡ଼ା ୬ ଟଙ୍କାକୁ ଦାନା ୯ଟଙ୍କା ଭଳି ସ୍ଥିତି ସଦୃଶ ହେଲାଣି। ଅନେକ କୋର୍ଟ କଚେରୀ ଯାଇ ବେଆଇନ ଦଖଲକୁ ଆଇନଗତ ଜଟିଳତାରେ ପକାଇଲେଣି। ବେଆଇନ ଜବରଦଖଲ ସରକାରଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି। ପ୍ରତି ୧୫ ଦିନରେ ଆକ୍ସନ ଟେକେନ ରିପୋର୍ଟ ସରକାରଙ୍କୁ ପଠାଇବାକୁ ନିର୍ଦେଶ ଦେଇଛନ୍ତି ସଚିବ। ରାଜସ୍ୱ ମନ୍ତ୍ରୀ ବି କହିଥିଲେ, ରାଜସ୍ୱ ବିଭାଗ ସହ ଜଡ଼ିତ ସମସ୍ତ ଜିଲ୍ଲାର କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାକୁ ଆଗାମୀ ଶହେ ଦିନର କାର୍ଯ୍ୟାବଳୀ ନିର୍ଦ୍ଧାରିତ ହୋଇଛି।

ହଜାର ହଜାର ଏକର ସରକାରୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି। ଜମି ମାଫିଆ, ବଡ଼ ବଡ଼ିଆଙ୍କ ସଲାସୁତୁରାରେ ଚାଲିଛି ଜବରଦଖଲ। ଆଗରୁ ଯଦିଓ ଜବରଦଖଲମୁକ୍ତ ଅଭିଯାନ ଚାଲିଥିଲା। ତାହା ଥିଲା କେବଳ ଲୋକଦେଖାଣିଆ। ଦିନରେ ଭାଙ୍ଗୁଥିଲା ପ୍ରଶାସନ। ରାତିରେ ପୁଣି ଛିଡ଼ା ହୋଇପଡୁଥିଲା ବେଆଇନ ଦଖଲ। ସାଧାରଣ ପ୍ରଶାସନ ବିଭାଗ ବି ନାଁ କୁ ମାତ୍ର ଖଣ୍ଡେ ଖଣ୍ଡେ ସାଇନବୋର୍ଡ ମାରି କାମ ସାରିଦିଏ। ବିଲଡରଙ୍କ ଜବରଦଖଲରେ ସେ ସାଇନବୋର୍ଡ ବି କ୍ରମଶଃ ଲୁଚିଯାଏ। ସବୁ ଦେଖି ପ୍ରଶାସନ ନିଦାବିଷ୍ଣୁ ସାଜିବାର ଅଭିନୟ କରେ। ଆଉ ଖାସ୍ ସେଥିଲାଗି ଜବରଦଖଲକୁ ନେଇ କେତେବେଳେ ଗୋଷ୍ଠୀ ସଂଘର୍ଷ ତ କେତେବେଳେ ମୁଣ୍ଡ ଗଡିବାର ନଜିର ରହିଛି। ପୁଲିସ ବି ସିଭିଲ କେସ୍ କହି ଏଥିରେ ମୁଣ୍ଡ ପୁରାଏନା। ପାତ୍ରପଡ଼ାରେ ସାଢ଼େ ୭ଏକର ଜମିକୁ ଦୀର୍ଘ ବର୍ଷ ମାଡ଼ିବସି ଏହାକୁ ଭଡ଼ାରେ ଲଗାଇ ମାସିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି ମାଫିଆ। ଏଥିରେ ସିଂହଭାଗ କିଛି ବଡ଼ବଡିଆଙ୍କର ବି ରହିଥିବା ଅନୁମାନ କରାଯାଉଛି। ସାମପୁର ମୌଜାରେ ତ ଗୋଟିଏ ଘାଟରେ ଦଲାଲ ଓ ଜବରଦଖଲକାରୀ ପାଣି ପିଉଥିବାର ଦୃଷ୍ଟାନ୍ତ ରହିଛି। ବାଉଁଶ ବାନ୍ଧି ଜାଗାକୁ ଘେରି ନିଲାମ ଡାକୁଛନ୍ତି। ଘରୋଇ ଜମିକୁ ସରକାରୀ କହି ବିକୁଛନ୍ତି ତ ସରକାରୀ ଜମିକୁ ଘରୋଇ କବି କାରସାଦି କରୁଛନ୍ତି। ସେଟଲମେଣ୍ଟ ଫାଇନାଲ ହୋଇନଥିବା ହେତୁ ଏଭଳି କାରନାମାକୁ ରୂପ ଦେବାରେ ବଡ଼ ସୁଯୋଗ ମିଳିଛି ଜମି ଦଲାଲଙ୍କୁ। ଶାମପୁର ମୌଜାରେ ଭୂଦାନ ଜମିକୁ ବି ଛାଡ଼ିନାହାନ୍ତି ଦଲାଲ। ଏଠାରେ ବି ଆଡ୍ଡା ଜମାଇ ବସିଛନ୍ତି। ଚୁକ୍ତିପତ୍ର ବଳରେ ଯାହାକୁ ଚାହିଁଲେ, ଟଙ୍କା ନେଇ ତା ନାଁରେ କରିଦେଲେ। ୨ ବର୍ଷ ହେଲା ସାଧାରଣ ପ୍ରଶାସନ ବିଭାଗରୁ ନେଇଥିବା ୬୮ ଏକର ଜମି ବିଡିଏ ଖୋଜିଲା ବେଳକୁ ଦଲାଲ ତାକୁ ବି ଖାଇ ହଜମ କରିସାରିଲେଣି। ବିଡିଏର ଏବେ ଅକଲ ଗୁଡୁମ୍। ନୋଟିସ ଦେଇ ଚୁପ୍ ବସିପଡ଼ିଥିବା ବିଡିଏ ଡାଳେ ଡାଳେ ଯାଉଥିଲା ବେଳେ ଦଲାଲ ପତ୍ରେ ପତ୍ରେ ଗଲେ। ଆଉ ଏବେ ଜବରଦଖଲକାରୀ ପାଲଟା ବିଡିଏକୁ ଆଇନଗତ ଜାଲରେ ଛନ୍ଦି ବି ସାରିଲେଣି।

ଜବରଦଖଲ କାୟା ମେଲାଇବାରେ ଲାଗିଛି। ହେଲେ ଏଥିରେ ଅଙ୍କୁଶ ଲଗାଇବାକୁ ପ୍ରଶାସନର କଛପ ଗତି ଯେମିତି ସୁହାଉଛି ଜବରଦଖଲକାରୀଙ୍କୁ। ଏବେ ମୋହନ ସରକାରଙ୍କ ନିର୍ଦେଶକୁ ପ୍ରଶାସନ କେତେଦୂର ଅନୁପାଳନ କରି ଏଥିରେ ଲଗାମ ଲଗାଉଛି, ଦେଖିବାର କଥା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *