ସିବିଆଇ ପଞ୍ଝାରେ କେଜ୍ରିଓ୍ୱାଲ।

Spread the love

ଝଟକା ପରେ ଝଟକା ଖାଇବାରେ ଲାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲା ଉପରେ ଇଡି ଦ୍ୱାରା ଗିରଫ କେଜ୍ରିଓ୍ୱାଲ ହାଇକୋର୍ଟରୁ ଜାମିନ୍ ପାଇବାରୁ ନିରାଶ ପରେ ସର୍ବୋଚ୍ଚ ଅଦାଲତଙ୍କଠୁ ବି ଆଶ୍ୱସ୍ତି ପାଇଲେନି। ଏଥର ସିବିଆଇ ପଞ୍ଝାରେ ପଡ଼ିଛନ୍ତି କେଜ୍ରିଓ୍ୱାଲ। ସୁପ୍ରିମକୋର୍ଟରୁ ଜାମିନ୍ ନ ମିଳିବାରୁ ସିବିଆଇ କେଜ୍ରିଓ୍ୱାଲଙ୍କୁ ଗିରଫ କରିଛି। ଏହାକୁ ନେଇ ରାଜନୀତି ବି ଘମାସାନ ହୋଇଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ଲଗାଇ ବିରୋଧୀଙ୍କୁ ଦମନ ଲାଗି ଉଦ୍ୟମ କରୁଛି।ଶାସକ ଦଳ କହିଛି, ଦୁର୍ନୀତିରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ କୋର୍ଟ ଦଣ୍ଡ ଦେଉଛନ୍ତି। ଅଦାଲତଙ୍କ ଆଦେଶକୁ ବି ଅବମାନନା କରିବାକୁ ପଛାଉନାହାନ୍ତି ବିରୋଧୀ।

ଜୁନ୍ ୨୦ରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜାମିନ ଦେଇଥିଲେ। ଜୁନ୍ ୨୧ରେ କିନ୍ତୁ ହାଇକୋର୍ଟ ଏହି ଜାମିନ ଉପରେ ରହିତାଦେଶ ଜାରି କରିଦେଇଥିଲେ। ଜାମିନ ଦେଲା ବେଳେ ଇଡିକୁ ନିଜ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେଇନାହାନ୍ତି କହି ତଳ କୋର୍ଟକୁ ଭର୍ତ୍ସନା କରିଥିଲେ ହାଇକୋର୍ଟ। ଜୁଲାଇରେ ଏହା ଉପରେ ସମ୍ପୂର୍ଣ୍ଣ ଶୁଣାଣୀ କରିବାକୁ ହାଇକୋର୍ଟ ସମୟ ଧାର୍ଯ୍ୟ କରିଥିଲେ। ହେଲେ ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଥିଲେ କେଜ୍ରିଓ୍ୱାଲ। ଆଉ ସୁପ୍ରିମକୋର୍ଟ ସୋମବାର କହିଥିଲେ, ଜାମିନ ରାୟ ଉପରେ ରହିତାଦେଶ ଜାରି କରାଯାଇପାରିବନି। ଏପରିକି ହାଇକୋର୍ଟଙ୍କ ଜାମିନ ରହିତାଦେଶ ନିଷ୍ପତ୍ତିକୁ ଅସ୍ୱାଭାବିକ ବୋଲି କହିଥିଲେ ସୁପ୍ରିମକୋର୍ଟ। କିନ୍ତୁ ମଙ୍ଗଳବାର ରାଉଜ ଆଭିନ୍ୟୁ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଥିବା ଦିଲ୍ଲୀ ହାଇକୋର୍ଟ ଏହି ରହିତାଦେଶକୁ କାଏମ ରଖିଥିଲେ। ଆଉ ବୁଧବାର ସମସ୍ତଙ୍କ ନଜର ଥିଲା ସୁପ୍ରିମକୋର୍ଟଙ୍କ ଉପରେ। କାରଣ ସେପଟେ ସିବିଆଇ କେଜ୍ରିଓ୍ୱାଲଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଥିଲା। ବୁଧବାର କେଜ୍ରିଓ୍ୱାଲଙ୍କୁ ଅଦାଲତରେ ହାଜର କରାଯିବା ପରେ ସିବିଆଇ ଗିରଫ କରି ଜେରା ପାଇଁ ନିଜ ହେପାଜତକୁ ନେବାକୁ ଆବେଦନ କରିଥିଲା। କୋର୍ଟରେ ସିବିଆଇ କହିଥିଲା, ସିବିଆଇ ଦ୍ୱାରା କେଜ୍ରିଓ୍ୱାଲ ଏ ଯାଏ ବିଧିବଦ୍ଧ ଭାବେ ଗିରଫ ହୋଇନାହାନ୍ତି। ଆଉ କୋର୍ଟ ପଚାରିଥିଲେ ଯଦି କେଜ୍ରିଓ୍ୱାଲ ଏହି ମାମଲାରେ ଏ ଯାଏ ଗିରଫ ହୋଇନାହାନ୍ତି। ତା ହେଲେ କଅଣ ଜଣେ ଗିରଫ ହେବା ପରେ ଯାଇ ପ୍ରୋସିଡିଂ ଆରମ୍ଭ ହେବ କି ବୋଲି ପଚାରିଥିଲେ କୋର୍ଟ।  ସୁପ୍ରିମକୋର୍ଟରେ ଜାମିନ ଆବେଦନର ଶୁଣାଣୀ ପୂର୍ବରୁ କେଜ୍ରିଓ୍ୱାଲଙ୍କୁ ଔପଚାରିକ ଭାବେ ଗିରଫ କରିଛି ବୋଲି ଦର୍ଶାଇଥିଲା ସିବିଆଇ। ୫ ଦିନିଆ ରିମାଣ୍ଡ ମାଗିଥିଲା ସିବିଆଇ। ଶୁଣାଣୀ ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ କେଜ୍ରିଓ୍ୱାଲ। ଅଚାନକ ସୁଗାର ସ୍ତର କମିବାରୁ ଚା ଓ ବିସ୍କୁଟ ମାଗିଥିଲେ ଖାଇବାକୁ। ଅଦାଲତ ବି ଅନୁମତି ଦେଇଥିଲେ।  ରାଉଜ ଆଭିନ୍ୟୁ କୋର୍ଟରେ ଶୁଣାଣୀ ବେଳେ ସିବିଆଇ କହିଥିଲା ଯେ, ୧୭ ଅଭିଯୁକ୍ତଙ୍କ ବିରୁଦ୍ଧରେ ୪ଟି ଚାର୍ଜସିଟ୍ ଦାଖଲ ହୋଇଛି। ଯାଞ୍ଚର ନିଷ୍କର୍ସରେ ପ୍ରାୟ ପହଞ୍ଚିବା ଉପରେ। ସମସ୍ତ ଲେନଦେନ ନଗଦରେ ହୋଇଥିଲା। ଏଥିରୁ ୪୪ କୋଟି ଟଙ୍କାର ଲେନଦେନର ଆଧାର ଠାବ ହୋଇସାରିଛି। ଜୁନ୍ ୨୧ରେ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଥମ ରହିତାଦେଶକୁ ଚ୍ୟାଲେଞ୍ଜ କରି କେଜ୍ରିଓ୍ୱାଲ ସୁପ୍ରିମକୋର୍ଟରେ ଦାଏର କରିଥିବା ପିଟିସନକୁ ବୁଧବାର ପ୍ରତ୍ୟାହାର କରିନେଇଥିଲେ। ମନୀଷ ସିସୋଦିଆଙ୍କ ବିରୁଦ୍ଧରେ କୌଣସି ବୟାନ ଦେଇନଥିଲା ବେଳେ ସିବିଆଇ ମିଛ ଦାବି କରୁଛି ଯେ, ମନୀଷ ଦୋଷୀ ବୋଲି କେଜ୍ରିଓ୍ୱାଲ ବୟାନ ଦେଇଛନ୍ତି। ମିଡିଆରେ ସିବିଆଇ ଷ୍ଟୋରୀ ପ୍ଲାଣ୍ଟ କରୁଛି।

ବିରୋଧୀ ଦଳ ଆରୋପ ଲଗାଇଛନ୍ତି, କେଜ୍ରିଓ୍ୱାଲଙ୍କ ପ୍ରତି ପ୍ରତିଶୋଧପରାୟଣ ରାଜନୀତିରେ ମାତିଛନ୍ତି ଶାସକ ଦଳ। ଇଡି, ସିବିଆଇ ଓ ଆଇଟି କୁ ଲଗାଇ କ୍ରମାଗତ ବିରୋଧୀ ଦଳକୁ ଫସାଇବାର ଷଡ଼ଯନ୍ତ୍ର କରୁଛନ୍ତି ମୋଦି ସରକାର। ଆଉ ବିଜେପି କହିଛି, ଭ୍ରଷ୍ଟାଚାରରେ ଲିପ୍ତ କେଜ୍ରିଓ୍ୱାଲଙ୍କ ସପକ୍ଷରେ କହୁଥିବା ଦଳ ଓ ବ୍ୟକ୍ତି ନିଜକୁ ଆଇନାରେ ଦେଖିବା ଦରକାର। ଅଦାଲତଙ୍କ ରାୟକୁ ବି ସମ୍ମାନ କରିବାକୁ ପଛାଉନାହାନ୍ତି।

Leave a Reply

Your email address will not be published. Required fields are marked *