ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ୮୫ ବର୍ଷୀୟ ଆତ୍ମଘୋଷିତ ଗଡମ୍ୟାନ୍ ଆଶାରାମ ବାପୁଙ୍କୁ ଚିକିତ୍ସା ଲାଗି ୭ ଦିନିଆ ପାରୋଲ ମିଳିଛି। ରାଜସ୍ଥାନ ହାଇକୋର୍ଟଙ୍କ ଅନୁମତିରେ ପୁଲିସ ହେପାଜତରେ ଚିକିତ୍ସା ଲାଗି ମହାରାଷ୍ଟ୍ରରେ ପହଞ୍ଚିଛନ୍ତି ଆଶାରାମ। ୧୧ ବର୍ଷ ପରେ ଚିକିତ୍ସା ଲାଗି ଜେଲରୁ ବାହାରିଛନ୍ତି ଆଶାରାମ। ସେପଟେ ଆଶାରାମଙ୍କ ସମର୍ଥକ ଓ ଅନୁଗତ ସୋସିଆଲ ମିଡ଼ିଆରେ ଆଶାରାମଙ୍କୁ ନିର୍ଦ୍ଦୋଷ କହି ଅଭିଯାନକୁ ଶାଣିତ କରିଛନ୍ତି। ଆଇନ କେମିତି ଆଶାରାମଙ୍କ ଲାଗି ଅନ୍ଧ ହୋଇଯାଇଛି, ତାକୁ କଟାକ୍ଷ କରିଛନ୍ତି।
ଇନ୍ଦୋର ଆଶ୍ରମରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଯୋଧପୁରର ପୋକ୍ସୋ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ଆତ୍ମଘୋଷିତ ଗଡମ୍ୟାନ୍ ଆଶାରାମ ବାପୁ ଆଜୀବନ ଜେଲ୍ ଦଣ୍ଡ ଭୋଗୁଛନ୍ତି। ୮୫ ବର୍ଷୀୟ ଆଶାରାମଙ୍କୁ ମଙ୍ଗଳବାର ରାଜସ୍ଥାନ ହାଇକୋର୍ଟ ୭ ଦିନିଆ ପାରୋଲରେ ଯିବାକୁ ସର୍ତ୍ତମୂଳକ ଅନୁମତି ଦେଇଥିଲେ। ପୁଲିସ ହେପାଜତରେ ଚିକିତ୍ସା ଲାଗି ମହାରାଷ୍ଟ୍ର ପହଞ୍ଚିଛନ୍ତି ଆଶାରାମ। ବିମାନ ଟିକଟରୁ ନେଇ ପୁଲିସର ସମସ୍ତ ଖର୍ଚ୍ଚ ଆଶାରାମ ଓ ତାଙ୍କ ସହଯୋଗୀ ବହନ କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ମହାରାଷ୍ଟ୍ରର ଆୟୁର୍ବେଦ ହସ୍ପିଟାଲରେ ଛାତି ଯନ୍ତ୍ରଣା ସମ୍ୱନ୍ଧିତ ରୋଗର ଚିକିତ୍ସା କରାଇବେ ଆଶାରାମ। ପାରୋଲ ବେଳେ ସମସ୍ତ ଖର୍ଚ୍ଚ ଆଶାରାମ ବହନ କରିବେ। ସମସ୍ତ ଖର୍ଚ୍ଚ ପୈଠ ପରେ ହିଁ ଆଶାରାମ ଜରୁରୀକାଳୀନ ପାରୋଲରେ ଯାଇପାରିବେ। ଚିକିତ୍ସା ବେଳେ ମହାରାଷ୍ଟ୍ର ଓ ରାଜସ୍ଥାନ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ। କୌଣସି ପ୍ରକାର ସୁରକ୍ଷାରେ ତୃଟି କି ସମସ୍ୟା ଉପୁଜାଇବେନି ଆଶାରାମ। ଏହା ପୂର୍ବରୁ ଅଦାତଲ ଆଶାରାମଙ୍କ ୧୫ରୁ ଅଧିକ ଆବେଦନକୁ ଖାରଜ କରିଦେଇଥିଲେ।
୮୩ ବର୍ଷୀୟ ଆଶାରାମ ଗଲା ୧୧ ବର୍ଷ ହେଲା ଯୋଧପୁର ସେଣ୍ଟ୍ରାଲ ଜେଲ୍ର କାଳକୋଠରୀରେ ବନ୍ଦ ଅଛନ୍ତି। ୨୦୧୩ ଇନ୍ଦୋର ଆଶ୍ରମରେ ନାବାଳିକା ଦୁଷ୍କର୍ମ ମାମଲାରେ ୨୦୧୮ରେ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯଦିଓ ପୀଡ଼ିତା ସହ ଦୁଷ୍କର୍ମ ୨୦୦୧ରୁ ୨୦୦୬ ଭିତରେ ହୋଇଥିଲା। ପୀଡ଼ିତାଙ୍କ ଭଉଣୀ ବି ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ନାରାୟଣ ସାଇଙ୍କୁ ଏପ୍ରିଲ ୨୦୧୯ରେ ଆଜୀବନ ଜେଲଦଣ୍ଡ ହୋଇଥିଲା। ଆଶାରାମଙ୍କୁ ଯେଉଁ ମାମଲାରେ ସଜ୍ଜା ହୋଇଛି, ତାହାର ଏତଲା ୨୦୧୩ରେ ଅହମଦାବାଦର ଚାନ୍ଦଖେଡ଼ା ଥାନାରେ ହୋଇଥିଲା। ଦୁଷ୍କର୍ମ ଓ ଅବୈଧ ଭାବରେ ଅଟକ ରଖିବା ଅଭିଯୋଗରେ ଆଶାରାମଙ୍କ ସମେତ ୭ଜଣଙ୍କ ବିରୁଦ୍ଧରେ ଏତଲା ହୋଇଥିଲା। ଏହି ଏତଲାରେ ଆଶାରାମଙ୍କ ପତ୍ନୀ ଲକ୍ଷ୍ମୀ ଓ ଝିଅ ଭାରତୀଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। କିନ୍ତୁ କେବଳ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ପ୍ରମାଣ ଅଭାବରୁ ଅନ୍ୟ ୬ ଜଣଙ୍କୁ ମୁକ୍ତ କରିଥିଲେ କୋର୍ଟ। ସେପଟେ ସଡକରୁ ନେଇ ସୋସିଆଲ ମିଡିଆରେ ଆଶାରାମ ନିର୍ଦୋଷ କହି ତାଙ୍କ ଅନୁଗତ ଯୁକ୍ତିକୁ ଶାଣିତ କଲେଣି। ପୁରା ପ୍ରାୟୋଜିତ ଷଡ଼ଯନ୍ତ୍ର କରି ଆଶାରାମଙ୍କୁ ଫସାଇଥିବା କହୁଛନ୍ତି। ସମାଜ ଓ ସରକାର ପୀଡ଼ିତ। ବାପୁ ନୁହେଁ। ସେଥିଲାଗି ତାଙ୍କୁ ତୁରନ୍ତ ନ୍ୟାୟ ଦେଇ ଜେଲରୁ ମୁକ୍ତ କରାଯାଉ ବୋଲି ସଡ଼କକୁ ଓହ୍ଲାଇଛନ୍ତି ତାଙ୍କ ଅନୁଗତ। ଆଶାରାମଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରର ଅର୍ଥ ପୁରା ହିନ୍ଦୁ ସମାଜ ଉପରେ ଆକ୍ରମଣ। ସନ୍ଥ ଓ ସନାତନ ଧର୍ମ ଉପରେ ଏହା ଆକ୍ରମଣ। କାହିଁକି ପୀଡ଼ିତା ନୀରବ। ଗୁରୁପୂର୍ଣ୍ଣିମା ନା ଜନ୍ମାଷ୍ଟମୀରେ ଦୁଷ୍କର୍ମ ହେଲା। ବାରମ୍ୱାର ତାରିଖକୁ ନେଇ ବୟାନ ବଦଳାଇବାରେ ଲାଗିଛନ୍ତି ପୀଡ଼ିତା। ମେଡିକାଲ ରିପୋର୍ଟରେ ବି ପୀଡ଼ିତା ପ୍ରତି ଦୁଷ୍କର୍ମର କୌଣସି ଚିହ୍ନବର୍ଣ୍ଣ ନାହିଁ। କାହିଁକି ଗଣମାଧ୍ୟମ ଚୁପ୍ ବୋଲି ବର୍ଷିଛନ୍ତି ଅନୁଗତ। ମିଛ ମାମଲାରେ ୧୧ ବର୍ଷ ହେଲା ଜେଲରେ ପୁରାଇ ଦେବାର ଷଡ଼ଯନ୍ତ୍ର ହୋଇଥିବାରୁ ସୋସିଆଲ ମିଡିଆରେ ଆଶାରାମ ବାପୁ ଇନୋସେଣ୍ଟ ଟ୍ରେଣ୍ଡିଂରେ ବାପୁଙ୍କୁ ମୁକ୍ତ କରିବା ଦାବିରେ ମାତିଥିଲେ ଅନୁଗତ।
ଦିନ ଥିଲା ଆଶାରାମଙ୍କୁ ବଡ଼ ସନ୍ଥ ଭାବେ ମାନି ଅନେକ ସେଲିବ୍ରିଟି, ବଡ଼ ରାଜନେତା ତାଙ୍କ ପାଖକୁ ଆସୁଥିଲେ। ଆଶାରାମଙ୍କ ପତ୍ତନ ୨୦୦୮ରୁ ଆରମ୍ଭ ହେଲା। ଯେତେବେଳେ ତାଙ୍କ ଆଶ୍ରମରୁ ଦୁଇ ଛୋଟ ପିଲାଙ୍କ ଅର୍ଦ୍ଧଦଗ୍ଧ ଶବ ମିଳିଥିଲା। ମୃତକ ପରିବାର ଲୋକଙ୍କ ଅଭିଯୋଗ ଥିଲା କି, ଗୁରୁକୁଳରେ ଭର୍ତ୍ତି ହୋଇଥିବା ଦୁଇ ଭାଇ ଅଭିଷେକ ବାଘେଲା ଓ ଦୀପକ ବାଘେଲାଙ୍କୁ ତନ୍ତ୍ରମନ୍ତ୍ର ଲାଗି ବଳି ଦିଆଯାଇଛି। ଏହାର ଯାଞ୍ଚ ଲାଗି ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ତଦନ୍ତ କମିଶନ ଗଠନ କରିଥିଲେ। ଯଦିଓ ରିପୋର୍ଟକୁ ସାର୍ବଜନୀନ କରାଯାଇନଥିଲା। କିନ୍ତୁ ଅନେକ ଗିରଫ ହେଲେ। କିନ୍ତୁ ଆଶାରାମଙ୍କ ଉପରେ କୌଣସି ବିପଦ ଆସିନଥିଲା। କିନ୍ତୁ ସମସ୍ୟା ବଢ଼ିଥିଲା। ହେଲେ ୨୦୧୩ରେ ନାବାଳିକା ଦୁଷ୍କର୍ମ ମାମଲାରେ ଆଉ ବର୍ତ୍ତି ପାରିଲେନି ଆଶାରାମ।

Naxatra News is now on Whatsapp
Join and get latest news update delivered to you via whatsapp
Join Now