ଜମ୍ମୁ କଶ୍ମୀର କଂଗ୍ରେସରେ ବଡ଼ ଧରଣର ବିଦ୍ରୋହ ଦେଖାଦେଲାଣି। ଦୀର୍ଘ ଦିନ ଧରି ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରିଆସୁଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପ୍ରମୁଖ ଦଳୀୟ ପଦବୀରୁ ଇସ୍ତଫା ଦେବା ପରେ ଏହି ଆଶଙ୍କା ବଳବତ୍ତର ହେବାରେ ଲାଗିଛି। ଉଭୟ ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଆଜାଦଙ୍କ ଇସ୍ତଫା ଭିନ୍ନ ସଙ୍କେତ ଦେଇଛି। ଇସ୍ତଫା ଦେଲେ ଆଜାଦ୍। ଜମ୍ମୁକଶ୍ମୀର କଂଗ୍ରେସର ଉଭୟ ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଗୁଲାମନବୀ ଆଜାଦଙ୍କ ଇସ୍ତଫା କଂଗ୍ରେସ ଭିତରେ ବଡ଼ ବିବାଦ ଛିଡ଼ା କରିଛି। କଂଗ୍ରେସ ସଂଗଠନରେ ଆଭ୍ୟନ୍ତରୀଣ କନ୍ଦଳ ଯେମିତି ଚରମରେ ପହଞ୍ଚିଛି।
ଏମିତିରେ ଦଳର ପରିଚାଳନା ଓ ନେତୃତ୍ୱକୁ ନେଇ ଦୀର୍ଘ ଦିନ ଖୁଲମଖୁଲା ଅସନ୍ତୋଷ ଓଗାଳି ଆସିଛନ୍ତି ଆଜାଦ୍। କଂଗ୍ରେସର ଭିଆଇପି କଲଚରକୁ କଟାକ୍ଷ ହେଉ ଅବା ତୃଣମୂଳସ୍ତରରୁ ଶୀର୍ଷ ନେତୃତ୍ୱ ଯାଏ, ସାଂଗଠନିକ ଢାଞ୍ଚା ମନୋନୟନ ନୁହେଁ, ବରଂ ନିର୍ବାଚନ ଜରିଆରେ ହେଉ ବୋଲି କହିଆସୁଛନ୍ତି ଆଜାଦ୍। ଏପରିକି କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଜି-୨୩ ନେତାଙ୍କ ଭିତରୁ ଆଜାଦ୍ ଜଣେ ପ୍ରମୁଖ ଓ ଆଗଧାଡ଼ିର ଚେହେରା। ଆଜାଦଙ୍କ ଘନିଷ୍ଠ ସହଯୋଗୀ ଗୁଲାମ ଅହମଦ ମୀରଙ୍କୁ କଂଗ୍ରେସର ଜମ୍ମୁକଶ୍ମୀର ମୁଖ୍ୟ ପଦରୁ ହଟାଯିବା ପରେ ଏଭଳି ପଦକ୍ଷେପ ଆଜାଦ୍ ନେଇଥିବା କୁହାଯାଉଛି। କାରଣ ବିକାର ରସୁଲ ଓ୍ୱାନିଙ୍କୁ ମୀରଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି।
ଆଜାଦ କଂଗ୍ରେସର ସର୍ବଭାରତୀୟ ରାଜନୈତିକ ବ୍ୟାପାର କମିଟି ସଭ୍ୟ ଥିଲା ବେଳେ ତାଙ୍କର ନୂଆ ନିଯୁକ୍ତି ତାଙ୍କର ଅବନତି ବୋଲି କୁହାଯାଉଛି। ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ଫେବୃଆରୀ ୨୦୨୧ ଯାଏ ଦାୟିତ୍ୱ ତୁଲାଇଥିଲେ ଆଜାଦ୍। ୪୭ ବର୍ଷୀୟ ଓ୍ୱାନିଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଦେଇ ୭୩ ବର୍ଷୀୟ ଗୁଲାମଙ୍କୁ ପ୍ରଚାର କମିଟିର ମଙ୍ଗ ଧରାଇଥିଲେ ହାଇକମାଣ୍ଡ। ଅଗଷ୍ଟ ୧୫ରେ ରାହୁଲଙ୍କ ସହ ଆଜାଦୀ ଗୌରବ ଯାତ୍ରାରେ ବି ସାମିଲ ହୋଇଥିଲେ ଆଜାଦ୍।
- ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now