ରାଷ୍ଟ୍ରପତିଙ୍କ ପ୍ରତି ଟିଏମସି ନେତାଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ତାତି

Spread the love

() ଅଧିର କହିଥିଲେ। ଏବେ ଅଖିଳ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଏବେ ବିବାଦରେ ଟିଏମସି ମନ୍ତ୍ରୀ ଅଖିଳ ଗିରି। ଆଉ ଅଖିଳଙ୍କ ମନ୍ତବ୍ୟ ପରେ ଟିଏମସିକୁ ଘେରିଛି ବିଜେପି। ରାଷ୍ଟ୍ରପତିଙ୍କ ରୂପ ଓ ରଙ୍ଗକୁ ନେଇ ଦେଇଥିବା ଏଭଳି ମନ୍ତବ୍ୟକୁ ନେଇ ବିବାଦ ତେଜିବା ପରେ ଯଦିଓ ଅନୁତପ୍ତ ବୋଲି କହିଛନ୍ତି ଅଖିଳ। ହେଲେ ଏ ନିଆଁ ସହଜେ ଲିଭିନି।

ନନ୍ଦିଗ୍ରାମରେ ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପ ଓ ରଙ୍ଗକୁ ନେଇ କିଛି ଏଭଳି ଢଙ୍ଗରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅଫିସକୁ ସମ୍ମାନ ଦେଉଛୁ। ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି କହି ତାତ୍ସଲ୍ୟ କରିଥିଲେ। ଯାହାକୁ ନେଇ ଅଡ଼ୁଆରେ ପଡ଼ିଯାଇଛନ୍ତି ଅଖିଳ। ଦେଶର ସର୍ବୋଚ୍ଚ ପଦରେ ବସିଥିବା ବ୍ୟକ୍ତିଙ୍କ ପ୍ରତି ଏଭଳି ଅଭଦ୍ର, ଅଶାଳୀନ ମନ୍ତବ୍ୟ ସହ ତାତ୍ସଲ୍ୟକୁ ତୀବ୍ର ବିରୋଧ କରି ଟିଏମସିକୁ ଘେରିଛି ବିଜେପି। ତୁରନ୍ତ ମମତା ଏଭଳି ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଆଉ ପୁରା ଦେଶକୁ ଏଭଳି ମନ୍ତବ୍ୟ ଲାଗି କ୍ଷମାପ୍ରାର୍ଥନା କରନ୍ତୁ। ଅଖିଳ ଏଭଳି କାହିଁକି କହିଲେ, ତାକୁ ନେଇ ନିଜେ ଦିଦି ସ୍ପଷ୍ଟିକରଣ ଦିଅନ୍ତୁ। ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବାରୁ ଟିଏମସି ଏହାକୁ ବରଦାସ୍ତ କରିପାରୁନି। ତେବେ ଦିଦି ଏ ସମ୍ପର୍କରେ କିଛି କହିବା ଓ ଆକ୍ସନ ନେବା ଆଗରୁ ବିବାଦ ବଢ଼ୁଥିବା ଦେଖି ଅଖିଳ ନିଜ ମନ୍ତବ୍ୟ ଲାଗି ଅନୁତପ୍ତ ବୋଲି କହିଥିଲେ। ଆଉ ସଫେଇ ଦେଇଛନ୍ତି କି, ରାଷ୍ଟ୍ରପତିଙ୍କୁ ସେ ସମ୍ମାନ କରନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଥିଲି। ମୁଁ କାହାର ନାଁ ନେଇନି। ଯେହେତୁ ସେ ଭଲ ଦେଖାଯାଆନ୍ତିନି ବୋଲି ଶୁଭେନ୍ଦୁ କହିଥିଲେ, ସେଥିଲାଗି ଶୁଭେନ୍ଦୁଙ୍କୁ ଲକ୍ଷ୍ୟ ରଖି ଏଭଳି କହିଲି। ଯଦି ରାଷ୍ଟ୍ରପତି ଏଭଳି ମନ୍ତବ୍ୟକୁ ନେଇ ଅପମାନିତବୋଧ କରୁଛନ୍ତି, ତେବେ ସେ ଦୁଃଖିତ ଓ ଭୁଲ୍ ମାଗୁଛନ୍ତି। ସେପଟେ ଅଖିଳଙ୍କ ଏହି ମନ୍ତବ୍ୟକୁ ଦାୟିତ୍ୱହୀନତା ଓ ନିନ୍ଦନୀୟ ବୋଲି କହିଛି ଟିଏମସି। ଏଭଳି ବ୍ୟକ୍ତିଗତ ମନ୍ତବ୍ୟ ସହ ଦଳର ଲେନଦେନ ନାହିଁ। ରାଷ୍ଟ୍ରପତିଙ୍କୁ ନେଇ ଟିଏମସି ବେଶ୍ ଗର୍ବିତ ଓ ତାଙ୍କ ପ୍ରତି ଦଳର ଯଥେଷ୍ଟ ସମ୍ମାନ ରହିଛି ବୋଲି ଟିଏମସି ମୁଖପାତ୍ର ସକେତ ଗୋଖଲେ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି।

ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିବାଦର ସ୍ୱର ଦେଖାଦେଇଛି। ମହାମହିମଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟକୁ ନେଇ ତୁରନ୍ତ ଅଖିଳଙ୍କୁ ଗିରଫ ଦାବି କରି ବିଜେପି ସାଂସଦ ସୌମିତ୍ର ଖାନ୍ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଏଭଳି ମନ୍ତବ୍ୟ ମହିଳା ସଶକ୍ତିକରଣ, ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସର୍ବୋପରି ୧୪୦ କୋଟି ଲୋକଙ୍କୁ ଅପମାନ। ସେପଟେ ଏନସିଡବ୍ଲୁ ବି ନିଜ ଆଡ଼ୁ ଏହି ମାମଲାର ସଂଜ୍ଞାନ ନେଇ ଅଖିଳ ଗିରିଙ୍କୁ ନୋଟିସ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏଭଳି ମୁହଁଖୋର୍ ବ୍ୟକ୍ତି ଯଦି ମନ୍ତ୍ରିମଣ୍ଡଳରେ ରୁହନ୍ତି, ତେବେ ଦିଦି ନିଜେ ଇସ୍ତଫା ଦେଇଦେବା ଉଚିତ୍।

ଟିଏମସି ମନ୍ତ୍ରୀଙ୍କ ଏଭଳି ଅଶୋଭନୀୟ ମନ୍ତବ୍ୟକୁ ନେଇ ଚାରିଆଡ଼େ ବିଦ୍ରୋହର ସ୍ୱର ତେଜିଛି। ଯଦିଓ ଅଖିଲ ଅନୁତପ୍ତ ବୋଲି କହିସାରିଛନ୍ତି, କିନ୍ତୁ ଏ ବିବାଦ ଏତେ ଜଲଦି ପ୍ରଶମିତ ହେଲା ଭଳି ଜଣାପଡ଼ୁନି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *