୧୩ରୁ ବିଧାନସଭାର ବଜେଟ୍ ଅଧିବେଶନ। ଏପ୍ରିଲ୍ ୫ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ୧୩ରୁ ୨୧ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୪ଯାଏଁ ହେବ। ଏଥର ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ଲୋଡ଼ି ବାଚସ୍ପତି ସୁରମା ପାଢ଼ୀ ଡାକିଥିଲେ ସର୍ବଦଳୀୟ ବୈଠକ। ବଜେଟ୍ ଅଧିବେଶନର ୨୮ଟି ଲମ୍ୱା କାର୍ଯ୍ୟଦିବସ ଥିବାରୁ ଶାନ୍ତିଶୃଙ୍ଖଳାର ସହ ଗୃହ ପରିଚାଳନା ଲାଗି ସମସ୍ତଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି। ଅଧିବେଶନ ଆରମ୍ଭ ଆଗରୁ ରାଜ୍ୟପାଳଙ୍କୁ ସୌଜନମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ୧୪ ଓ ୧୫ ଦୁଇ ଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଏଥର ପେପର ନୁହେଁ, ଟ୍ୟାବ୍ରେ ପଢ଼ିବେ ବିଧାୟକ। ପେପରଲେସ ବିଧାନସଭାରେ ସ୍ମାର୍ଟ ବିଧାୟକଙ୍କୁ ଦେଖିବାକୁ ମିଳିବ। ନେଭା ପକ୍ଷରୁ ହୋଇଥିବା ଏହି ବ୍ୟବସ୍ଥାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାନସଭାର ସମସ୍ତ ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ୍।
ସେପଟେ ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକରେ ସ୍ୱତନ୍ତ୍ର ରଣନୀତି ଲାଗି ପ୍ରସ୍ତୁତି ସରିଛି। ବେକାରୀ, ଆଇନଶୃଙ୍ଖଳା, ଚାଷୀ, ବାରବାଟୀ ବିଭ୍ରାଟ, ଧାନ କିଣା ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଆଦି ପୁଳା ପୁଳା ପ୍ରସଙ୍ଗ ବିରୋଧୀଙ୍କ ହାତରେ ରହିଛି। ଶାସକ ଦଳକୁ ଘେରିବାକୁ କଂଗ୍ରେସ ବିଧାୟକ ଦଳର ବୈଠକ ବିଧାନସଭା ପ୍ରକୋଷ୍ଠରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବସିଥିଲା। ରାଜ୍ୟବାସୀଙ୍କ ସ୍ୱାର୍ଥସମ୍ୱଳିତ ପ୍ରସଙ୍ଗକୁ ଗୃହରେ ଉପସ୍ଥାପନ କରିବ କଂଗ୍ରେସ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିଥିଲା ବିଧାୟକ ଦଳ ବୈଠକ। ଆଉ ଶାସକ ଦଳର ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ୱର ପ୍ରକୋଷ୍ଠରେ ବସିଥିଲା। ବିରୋଧୀ ଦଳ ଉଠାଇବାକୁ ଥିବା ପ୍ରସଙ୍ଗ ଉପରେ କେମିତି ମୁକାବିଲା କରାଯିବ, ସେ ନେଇ ଆଲୋଚନା ହୋଇଛି।
ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗାନ୍ଧୀମାର୍ଗରେ ଆନ୍ଦୋଳନକାରୀଙ୍କ ସମାବେଶକୁ ଲକ୍ଷ୍ୟ ରଖି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି।ଅଧିବେଶନ କାଳରେ ଯାନବାହନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ବି ଜାରି ହୋଇଛି। ପୁଲିସ ଡିଜି ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।
ଲମ୍ୱା ସମୟ ଧରି ଚାଲିବ ବିଧାନସଭାର ବଜେଟ୍ ଅଧିବେଶନ। ଦେଖିବାର କଥା, କେତେ ସରଗରମ ରହୁଛି ଏହି ଅଧିବେଶନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now