ତେଲେଙ୍ଗାନାରେ ବିଗ୍ ପଲିଟିକାଲ ଡ୍ରାମା

Spread the love

ହାଇଦ୍ରାବାଦ: ଟଙ୍କା ନିଅ ଆଉ ଦଳ ଛାଡ଼ି ବିଜେପିକୁ ଆସ। ତେଲେଙ୍ଗାନାରେ ଟିଆରଏସ(ବିଆରଏସ)ର ୫ ବିଧାୟକଙ୍କୁ କୁଆଡ଼େ ବିଜେପିକୁ ଆଣିବାକୁ ଏଭଳି ମୂଲଚାଲ କରିଛି ବିଜେପି। ଆଉ ଏହି ଅଭିଯାନକୁ ସଫଳ କରିବାକୁ ମୁଖ୍ୟ ସୂତ୍ରଧର କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀ ଥିଲା ବେଳେ ଡିଲ୍ କରୁଥିବା ୩ ଜଣଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିବା ପରେ ରାଜନୀତି ତେଜିଛି। ଟିଆରଏସ ବିଧାୟକ ଏଭଳି ଅଭିଯୋଗ ଆଣିବା ପରେ ବିଜେପି ବି କହିଛି, ଏହା କେସିଆରଙ୍କ ଡ୍ରାମା। ଯେଉଁ ବିଧାୟକଙ୍କୁ ଟଙ୍କା ଯଚା ଯାଉଥିବାର ଅଭିଯୋଗ ହେଉଛି, ପୁଲିସ ଆଗ ସେମାନଙ୍କୁ ପଚାରି ସତ ପଦାକୁ ଆଣୁ।

ଟିଆରଏସର ୪ ବିଧାୟକଙ୍କୁ ଦଳ ଛାଡି ବିଜେପିରେ ମିଶିବାକୁ କୁଆଡ଼େ ବିଜେପି କରିଛି ବିଗ୍ ଡିଲ୍। ଦଳ ଛାଡ଼ିବାକୁ ପ୍ରତି ବିଧାୟକଙ୍କୁ ଶହେ କୋଟି ଟଙ୍କା ଯଚା ଯାଇଥିଲା। ବୁଧବାର ବିଳମ୍ୱିତ ରାତିରେ ମୋଇନାବାଦରେ ଏହି ୪ ବିଧାୟକଙ୍କୁ କିଣିବାକୁ ମୂଲଚାଲ ଚାଲିଥିଲା। ଆଉ ବିଜେପି ପକ୍ଷରୁ ଡିଲ୍ କରିଥିଲେ ୩ ଜଣ। ମୂଲଚାଲ କରାଯାଇଥିବା ୪ ବିଧାୟକ ହେଲେ- ଗୁଭାଲା ବାଲରାଜୁ, ହର୍ଷବର୍ଦ୍ଧନ ରେଡ୍ଡୀ, ରେଗା କାନ୍ଥା ରାଓ ଓ ପାଇଲଟ ରୋହିତ ରେଡ୍ଡୀ। ଏହି ୪ ବିଧାୟକ ପୁଲିସକୁ ସୂଚନା ଦେଇଥିଲେ କି, ସେମାନଙ୍କୁ ଟଙ୍କା ଓ ପଦପଦବୀର ଲାଳସା ଦେଖାଇ ବିଜେପିକୁ ନେବାକୁ ବାଧ୍ୟ କରାଯାଇଛି। ଆଉ ଯେଉଁ ୩ ଜଣ ବିଜେପି ଲାଗି ଡିଲ୍ କରୁଥିଲେ, ସେମାନେ ହେଲେ ନନ୍ଦ କୁମାର, ସ୍ୱାମୀ ରାମଚନ୍ଦ୍ର ଭାରତୀ ଓ ସିମାୟୁଲୁ। ଆଉ ଡିଲ୍ ହେଉଥିଲା ବେଳେ ପୁଲିସ୍ ରେଡ୍ କରିଥିଲା। ଏହାର ଭିଡିଓ ଜବରଦସ୍ତ ଭାଇରାଲ ହୋଇଛି। ତେବେ ବିଧାୟକଙ୍କୁ କିଣିବାକୁ ଯେଉଁ ୩ ଜଣ ଡିଲ୍ କରୁଥିଲେ, ସେମାନେ କେଉଁ ଦଳର, ତାକୁ ଛାନଭିନ କରୁଥିବା କହିଛନ୍ତି ସାଇବରାବାଦ ପୁଲିସ କମିଶନର। ପୁଲିସ ଶହେ କୋଟି ଟଙ୍କା ଜବତ କରିଛି ଘଟଣାସ୍ଥଳରୁ। ନନ୍ଦ କୁମାରଙ୍କୁ କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କର ସବୁଠୁ ଘନିଷ୍ଠ ବୋଲି କୁହାଯାଉଛି।

ସେପଟେ ବିଜେପିର ଏଭଳି ଷଡ଼ଯନ୍ତ୍ର ବିରୁଦ୍ଧରେ ଟିଆରଏସ ବର୍ଷିଛି। ମୋଦି, ଅମିତ ଶାହାଙ୍କ ବିରୁଦ୍ଧରେ ନାରାବାଜି କରିଛି। ନିର୍ବାଚିତ ସରକାର ପ୍ରତି ବିପଦ ସୃଷ୍ଟି କରିବା ଭଳି ଏଭଳି ଷଡ଼ଯନ୍ତ୍ରରୁ ବିଜେପି କ୍ଷାନ୍ତ ନ ରହିଲେ ଆଗକୁ ବିଷମ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାଇଦେଇଛି ଟିଆରଏସ। ଅନ୍ୟ ରାଜ୍ୟରେ ଚଳିବ, ତେଲେଙ୍ଗାନାରେ ଘୋଡାଦୌଡ କରିବାକୁ ଦିଆଯିବନି।

ଆଉ ବିଜେପି କାଉଣ୍ଟରରେ କହିଛି କି, ଏ ସବୁ କେସିଆରଙ୍କ ସ୍କ୍ରିପଟେଡ୍ ଡ୍ରାମା। ଷ୍ଟୋରୀ, ସ୍କ୍ରିନ୍‌ପ୍ଲେ ଓ ଡାଇରେକ୍ସନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର୍। ଯଦି ପୁଲିସ ସତକୁ ପଦାକୁ ଆଣିବାକୁ ଚାହୁଁଛି, ତାହାହେଲେ ଆଗ ଡେକାନ କିଚେନ ହୋଟେଲ, ଫାର୍ମ ହାଉସ, ପ୍ରଗତି ଭବନର ସିସିଟିଭି ଫୁଟେଜ୍ ଜବତ ସହ ସମସ୍ତ ୪ ବିଧାୟକ ଓ ୩ ଅଭିଯୁକ୍ତଙ୍କ କଲ୍ ଲିଷ୍ଟ ମଗାଉ। ପୁଲିସ କାହିଁକି ବିଧାୟକଙ୍କ ଷ୍ଟେଟମେଣ୍ଟ ରେକର୍ଡ କରୁନି। ସେଠାରେ ଯଦି ଡିଲ୍ ଚାଲିଥିଲା, ତେବେ ବନ୍ଧୁକଧାରୀ କଅଣ କରୁଥିଲେ। ୪ ଟିଆରଏସ ବିଧାୟକଙ୍କ ଭିତରୁ ୩ ବିଧାୟକ ଆଗରୁ କଂଗ୍ରେସରେ ଥିଲେ।

ମିଡିଆରେ ଏଭଳି ଡ୍ରାମା କରି ବିଜେପିକୁ ନିନ୍ଦିତ କରିବାକୁ କେସିଆର ଏଭଳି ଚକ୍ରାନ୍ତ କରୁଥିବା ବିଜେପି କାଉଣ୍ଟର କରୁଥିଲା ବେଳେ ଏଭଳି ଭିଡିଓ ଓ ଚଢ଼ାଉ ବି ବିଜେପିର ଭାବମୂର୍ତ୍ତିକୁ ମଳିନ କରିଛି କହିଲେ ଭୁଲ ହେବନି। ତେବେ ଆଗକୁ ତଦନ୍ତର ମୋଡ଼ କୁଆଡ଼କୁ ମୁହାଁଉଛି, ତା ଉପରେ ସମସ୍ତଙ୍କର ନଜର।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *