ଜୟନାରାୟଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ! ଏମିତି କହିଲେ ବିଜେପିର ଫାୟାରବ୍ରାଣ୍ଡ ନେତା

କିଏ ଜୟନାରାୟଣଙ୍କ ବିରୁଦ୍ଧରେ କରୁଛି ଷଡ଼ଯନ୍ତ୍ର। ଦଳ ଭିତରେ କିଏ ଜୟନାରାୟଣଙ୍କୁ ସାଇଡଲାଇନ୍ କରିବାକୁ ଅହରହ ମାତିଛି। ବିଜେପିର ଫାୟାରବ୍ରାଣ୍ଡ ନେତା ଜୟନାରାୟଣଙ୍କୁ ନା ଦଳ ସମ୍ମାନ ଦେଉଛି ନା ଗୁରୁତ୍ୱ ଦେଉଛି। ଏଭଳି ବାଗରେ ଜୟନାରାୟଣ ସର୍ବସମ୍ମୁଖରେ ଅସନ୍ତୋଷ ଝାଡ଼ିବା ପରେ ବିଜେପିରେ କମ୍ପନ ସୃଷ୍ଟି ହୋଇଛି। ଯଦିଓ ରାଜ୍ୟ ସଭାପତି ଏଭଳି କ୍ଷୋଭକୁ ନେଇ ତାଳିପକାଇବାରେ ଲାଗିଥିଲେ, କିନ୍ତୁ ଦଳର ଆଭ୍ୟନ୍ତରୀଣ କନ୍ଦଳ ପଦାକୁ ଫୁଟିସାରିଛି।

ମୁଁ ତଡାଖିଆ ନେତା। ଯୁଆଡ଼େ ଗଲେ ବି ତଡ଼ା ଖାଏ। ବିଜେପିରୁ ଏବେ ବି ସାଇଡଲାଇନ ହୋଇ ରହିଛି। ମୋ ବିରୋଧରେ ଲୋକ ଲଗାଯାଉଛି। ଦଳର ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚାଲିଛି। ନା ଦଳ ସମ୍ମାନ ଦେଉଛି ନା ଗୁରୁତ୍ୱ। ଏଭଳି ଢଙ୍ଗରେ ବିଜେପିର ଫାୟାରବ୍ରାଣ୍ଡ ନେତା ଜୟନାରାୟଣ ମିଶ୍ର ସର୍ବସମ୍ମୁଖରେ କ୍ଷୋଭ ଝାଡ଼ିବା ପରେ ବିଜେପିରେ କମ୍ପନ ସୃଷ୍ଟି ହୋଇଛି। ବିଜେପି ପାର୍ଟି ଅଫିସରେ ବିଜେପିର ଦିବଙ୍ଗତ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସ୍ମୃତିସଭାରେ ଦଳର ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଏଭଳି କ୍ଷୋଭ ଝାଡ଼ିଥିଲେ ଜୟନାରାୟଣ।

ଭାବବିହ୍ୱଳ ହୋଇ ଜୟନାରାୟଣ ଅସନ୍ତୋଷ ଝାଡ଼ିବା ବେଳେ ସଭାରେ ବସିଥିବା ନେତାଙ୍କ ଅକଲ ଗୁଡୁମ ହୋଇଯାଇଥିଲା। କାରଣ ରୋଗ ଦାଉରେ ସମୀର ଦେ, ଆଦିତ୍ୟ ମାଢ଼ୀଙ୍କ ଭଳି ସେ ବି ସମାନ ରୋଗରେ ଆକ୍ରାନ୍ତ ସତ୍ତ୍ୱେ ବଞ୍ଚିଗଲେ। ଆଉ ଏଭଳି ଦଳୀୟ କନ୍ଦଳ ପଦାରେ ପଡ଼ୁଥିବା ଦେଖି ଭୁଲ ଶୁଣିଛନ୍ତି, ଭୁଲ୍ ବୁଝାମଣା ହୋଇଛି କହି ଗଣମାଧ୍ୟମକୁ ଇଙ୍ଗିତ କରି ତାଳି ପକାଇବାକୁ ଚେଷ୍ଟା କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ। ଦଳରେ ସମସ୍ତଙ୍କୁ ସମ୍ମାନ ଓ ନ୍ୟାୟ ଦିଆଯାଏ। କୌଣସି ପାତରଅନ୍ତର ହୁଏନା ବୋଲି କହିଥିଲେ। ସେପଟେ ସ୍ମୃତିଚାରଣ ସଭାରେ ଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ମୁହଁ ଖୋଲିବାକୁ ଚାହିଁନାହାନ୍ତି। ଆଉ ବିରୋଧୀ ବିଜେଡିକୁ ଯେମିତି ଏ ଏପିସୋଡ୍ ବଡ଼ ମଉକା ଦେଇଛି। ବିଜେପିରେ ନିଆଁ କୁହୁଳି ସାରିଲାଣି। ଆଗକୁ ଅବସ୍ଥା ଅସମ୍ଭାଳ ହେବାକୁ ଯାଉଛି। ବିଜେଡି ଆଜି ବି ଲୋକପ୍ରିୟ। ସେପଟେ ବିଜେପି କହିଛି,ଜୟନାରାୟଣଙ୍କ କଥାକୁ ଭୁଲ୍ ଉପସ୍ଥାପନ କରି ବିଜେଡି ଏଭଳି କହୁଛି। ନିଆଁ ବିଜେପିରେ ନୁହେଁ, ବିଜେଡିରେ ଲାଗିଛି। ଫାୟାର ବ୍ରିଗେଡ୍ ଗଲେ ବି ନିଆଁ ଲିଭାଇ ପାରିବନି। ବିଜେଡି ଭାଙ୍ଗିବ। ଆଉ ଆସନ୍ତା ୨୫ ବର୍ଷ ଯାଏ କ୍ଷମତାରେ ରହିବ ବିଜେପି।

ମନ୍ତ୍ରୀ ପଦ ନ ମିଳିଥିବାରୁ ଜୟନାରାୟଣ ଆଗରୁ ଅସନ୍ତୋଷ ଝାଡ଼ି ସାରିଛନ୍ତି। ନବୀନଙ୍କୁ କଣ୍ଟାବାଞ୍ଜିରେ ହରାଇ ମନ୍ତ୍ରୀ ଭାବେ ଶପଥ ନେବା ଆଶାରେ ଆସି ଆଶା ମଉଳିଯିବାରୁ ଶପଥ ସମାରୋହ ଉତ୍ସବରୁ କାନ୍ଦି କାନ୍ଦି ଫେରିଯାଇଥିଲେ ଲକ୍ଷ୍ମଣ ବାଗ୍। ଏମିତି ଅନେକ ନେତା ଖୁଲମଖୁଲା ନିଜ ମନରେ ଥିବା କ୍ଷୋଭକୁ ଓଗାଳିସାରିଛନ୍ତି। ଦେଖିବାର କଥା, ଆଗକୁ ଏହି ଅସନ୍ତୋଷକୁ ପ୍ରଶମିତ କରିବାକୁ ଦଳ କି ଖସଡ଼ା ତିଆରି କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *