କଂଗ୍ରେସ ମହାଧିବେଶନରେ ବିଜେପି ଉପରେ ବର୍ଷିଲେ କଂଗ୍ରେସ ନେତା

Spread the love

() ରାୟପୁର କଂଗ୍ରେସ ଅଧିବେଶନର ଦ୍ବିତୀୟ ଦିନରେ ପାର୍ଟି ଅଧ୍ୟକ୍ଷ ଉଡାଇଛନ୍ତି ତ୍ରିରଙ୍ଗା। ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ରାୟପୁରରେ । ରାୟପୁରରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ଖଡଗେ ରାହୁଲଙ୍କୁ ପ୍ରଶଂସା କରିବା ସହ ବିଜେପିକୁ କରିଥିଲେ ଟାର୍ଗେଟ। ସୋନିଆ ଗାନ୍ଧୀ ମଧ୍ୟ ମହାସମ୍ମିଳନୀରେ ବିଜେପି ଉପରେ ବର୍ଷିଥିଲେ। ସେହିପରି କେନ୍ଦ୍ର ଉପରେ କଂଗ୍ରେସ ନେତା ବର୍ଷିବା ସହ ଆଗାମୀ ଦିନରେ ରାହୁଲ ଗାନ୍ଧୀ ଦେଶର ଭବିଷ୍ୟତ ବୋଲି ଦଳୀୟ ନେତୃବୃନ୍ଦ ଆଶାବାନ୍ଧି ବସିଛନ୍ତି।

ଛତିଶଗଡର ରାୟପୁରରେ ଚାଲିଥିବା କଂଗ୍ରେସର ୮୫ ତମ ପୂର୍ଣ୍ଣ ଅଧିବେଶନରେ ମୋଦି ସରକାରଙ୍କୁ ଟାର୍ଗେଟ କଲେ ସୋନିଆ ଗାନ୍ଧୀ। ବିଜେପି ଦେଶରେ ଘୃଣାର ନିଆଁ ଲଗାଉଛି ଓ ଅଳ୍ପସଂଖ୍ୟକ, ଦଳିତ, ଆଦିବାସୀ ଓ ମହିଳାମାନଙ୍କୁ ଟାର୍ଗେଟ କରୁଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୋନିଆ। ପ୍ରଧାନମନ୍ତ୍ରୀ ମୋଦି, ବିଜେପି , ଆରଏସଏସର ସରକାର ସମସ୍ତ ସଂସ୍ଥା ଉପରେ କବଜା କରିନେଇଛନ୍ତି। ବିପକ୍ଷର କଣ୍ଠରୋଧ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଦେଶ ପାଇଁ ନୁହେଁ ବରଂ ତାଙ୍କ ବନ୍ଧୁମାନଙ୍କ ପାଇଁ କ୍ଷମତା ଚଳାଉଛନ୍ତି ବୋଲି ସୋନିଆ କହିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ଖଡଗେ ମୋଦି ସରକାରଙ୍କ ଦ୍ୱାରା ହୋଇଥିବା ନୋଟ ବନ୍ଦୀକୁ ଐତିହାସିକ ମୁର୍ଖାମି ବୋଲି କହିଛନ୍ତି। ଏହା ଦେଶର ଛୋଟ, ମଧ୍ୟମ ବ୍ୟବସାୟୀଙ୍କୁ ବରବାଦ କରିଦେଇଛି। ଦେଶରେ ମହଙ୍ଗା ମାଡ ଲୋକଙ୍କୁ ଛଟପଟ କରୁଛି। ଦେଶର ଲୋକତନ୍ତ୍ରକୁ ଭାଙ୍ଗିବାକୁ ଷଡଯନ୍ତ୍ର କରାଯାଉଛି ଓ ଏହା ବିରୋଧରେ ଆନ୍ଦୋଳନ କରିବାର ଆବଶ୍ୟକତା ରହିଛି। ସତ୍ତାରେ ବସିଥିବା ଲୋକ ଜନତାଙ୍କ ଅଧିକାର ଉପରେ ଆକ୍ରମଣ କରୁଛି। ରାହୁଲ ଗାନ୍ଧୀ ସଂଘର୍ଷର ମଶାଲ ଜଳାଇବା ସହିତ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ବିଜେପି ଦେଶର ଗଣତନ୍ତ୍ରକୁ ବିପଦରେ ପକାଇବାକୁ ବସିଥିବାବେଳେ କଂଗ୍ରେସ ଭାରତକୁ ଏକ କରିବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି ଖଡ଼ଗେ।  

ଅନ୍ୟପଟେ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡଗେ ସମସ୍ତ କର୍ମକର୍ତ୍ତାଙ୍କୁ ସେମାନଙ୍କ ମତ ଖୋଲିକି ଉପସ୍ଥାପନ କରିବାକୁ କହିବା ସହ ସାମୂହିକ ରୂପେ ନିର୍ଣ୍ଣୟ ନେବାକୁ କରିଛନ୍ତି ଅନୁରୋଧ। କଂଗ୍ରେସ ନେତାମାନେ ଯେଉଁ ନିର୍ଣ୍ଣୟ ନେବେ ତାହା ମୋର ତଥା ଆମ ସମସ୍ତଙ୍କ ନିର୍ଣ୍ଣୟ ହେବ। ଚଳିତ ବର୍ଷ ବହୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ଓ ଆଗାମୀ ବର୍ଷ ଲୋକସଭା ନିର୍ବାଚନ। ଏପରି ସମୟରେ ଏହି ମହାଅଧିବେଶନ ଆମ ପାଇଁ ଏକ ଚ୍ୟାଲେଞ୍ଜ। ଏଥିସହ ଭାରତ ଯୋଡ ଯାତ୍ରା ପାର୍ଟିର କର୍ମକର୍ତ୍ତାଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉର୍ଜ୍ଜା ଭରିଦେଇଥିବା କହିଛନ୍ତି ଖଡଗେ।

ମହାଧିବେଶନରେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ବିଜେପି ଉପରେ ଆକ୍ରମଣ କରିବାକୁ ପଛେଇ ନ ଥିଲେ। ଦେଶରେ ବେରୋଜଗାରୀକୁ ନେଇ ଜନତାଙ୍କ ଚିନ୍ତାକୁ ଉଲ୍ଲେଖ କରିଥିଲେ। ସମସ୍ତ କଂଗ୍ରେସ ନେତା ଯଥାସମ୍ଭବ ବିଜେପି ସରକାରର ସ୍ୱେଚ୍ଛାଚାରିତା, ଏକଛତ୍ରବାଦ ଶାସନ, ଗରିବ ମାରଣ ନୀତିକୁ ନେଇ ବର୍ଷିଥିଲେ।  ଛତିଶଗଡ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଆକ୍ରମଣ କରିବା ସହ ରାହୁଲଙ୍କୁ ପ୍ରଶଂସା କରିବାକୁ ଭୁଲି ନ ଥିଲେ। ରାୟପୁରରେ ମହାଧିବେଶନ ଆୟୋଜନକୁ ନେଇ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ରର ଭୁଲ ନୀତି ପାଇଁ ବେରୋଜଗାର ବଢୁଥିବା ବେଳେ କିନ୍ତୁ ରାଜ୍ୟ ରୋଜଗାର କ୍ଷେତ୍ରରେ ଅନ୍ୟ ରାଜ୍ୟପାଇଁ ଉଦାହରଣ ହୋଇଥିବା କହିବାକୁ ପଛାଇ ନ ଥିଲେ। ଏହି ଅବସରରେ ବାଘେଲ ରାହୁଲ ଗାନ୍ଧୀଙ୍କୁ ଭବିଷ୍ୟତ ପିଢିଙ୍କ ଆଶା ଓ ବିଶ୍ୱାସ ବୋଲି କହିଥିଲେ।

ତେବେ କଂଗ୍ରେସର ଚଳିତ ମହାଧିବେଶନରେ ଏକ ବ୍ୟତିକ୍ରମ ପ୍ରଥମ ଦିନରେ ଦେଖିବାକୁ ମଳିଥିଲା। ୨୫ ବର୍ଷରେ ପ୍ରଥମ ଥର ପାଇଁ ସହାଧିବେଶନରେ ଗାନ୍ଧୀ ପରିବାରର ଜଣେ ମଧ୍ୟ ସଦସ୍ୟ ନ ଥିଲେ। ଅଧିବେଶନରେ ଉପସ୍ଥିତ ସଦସ୍ୟଙ୍କ ମନୋନୟନ ପାଇଁ ଖଡଗେକୁ ଦାୟିତ୍ୱ ଦିଆଯାଇଥିଲା। ଏପରି କରି ଗାନ୍ଧୀ ପରିବାର ଦେଶବାସୀଙ୍କୁ ଏହି ସନ୍ଦେଶ ଦେବାକୁ ଯେମିତି ଚାହୁଁଥିଲା କି, ଖଡଗେଙ୍କୁ ଦଳରେ ନେତୃତ୍ୱରେ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ପରିବାର ଦଳର କାମରେ କୌଣସି ହସ୍ତକ୍ଷେପ କରୁନାହିଁ। କାରଣ ବିଜେପିର ସର୍ବଦା ଗୋଟିଏ ଅଭିଯୋଗ ଥିଲା କି, ଗାନ୍ଧୀ ପରିବାର ପରଦା ପଛରେ ଦଳର ନେତୃତ୍ୱ ସମ୍ଭାଳୁଛି। ମହାଧିବେଶନରେ ଗାନ୍ଧୀ ପରିବାରର କେହି ନ ରହିବାକୁ ନେଇ ମଧ୍ୟ କଂଗ୍ରେସ ତଥା ଅନ୍ୟ ଦଳରେ ଚର୍ଚ୍ଚା ହୋଇଥିଲା। ଏହି ଅଧିବେଶନରେ ଗାନ୍ଧୀ ପରିବାରର କେହି ରହିବେ ନାହିଁ। କିନ୍ତୁ ଅପରାହ୍ନ ତିନିଟା ପରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିଥିଲେ ରାୟପୁରରେ। ଖଡଗେଙ୍କୁ ସ୍ୱତନ୍ତ୍ରତା, ସ୍ୱାଧୀନତା, କ୍ଷମତା ଦିଆଯାଇଥିବା ସନ୍ଦେଶ ଦେବାକୁ ଗାନ୍ଧୀ ପରିବାର ଯେତେ ଚେଷ୍ଟା କଲେ ମଧ୍ୟ ସବୁଠି ରହିଛି ପରିବାରବାଦ। ରାୟପୁରରେ ଛାୟୀ ରହିଥିବା ପୋଷ୍ଟର ସବୁରେ ଯାହାର ଝଲକ ଦେଖିବାକୁ ମିଳୁଛି। ଦଳର ଅଧ୍ୟକ୍ଷ ପୋଷ୍ଟରରେ ଯେତିକି ନାହାନ୍ତି, ତାଠାରୁ ଅଧିକ ଦେଖିବାକୁ ମିଳିଛି ଗାନ୍ଧୀ ପରିବାରକୁ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *