ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ବିରୁଦ୍ଧରେ ନ୍ୟାୟାଳୟର ଆଶ୍ରୟ ନେବ କଂଗ୍ରେସ

Spread the love

ଭୁବନେଶ୍ୱର : ସମ୍ପ୍ରତି ଓଡ଼ିଶା ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଯେଉଁ ଯୋଜନା ଆଣିଛନ୍ତି ତାହା ସମ୍ବିଧାନ ବିରୋଧି, ପଞ୍ଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ ଓ ପଞ୍ଚାୟତ ବ୍ୟବସ୍ଥା ଉପରେ କୁଠାରଘାତ ବୋଲି ଗୁରୁବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ତଥା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ କହିଛନ୍ତି । ଏହା ବିରୁଦ୍ଧରେ ବିଚାରାଳୟର ଆଶ୍ରୟ ନେବା ସହିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ମାଧ୍ୟମରେ ଏହା ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ପ୍ରୟାସ କରାଯିବ । ଆସନ୍ତା ଅଗଷ୍ଟ ୨୦ ତାରିଖ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଆୟୋଜିତ ହେବ ।

ସେ କହିଛନ୍ତି ଗ୍ରାମ ସଭାର ବିନା ସୁପାରିଶ ଓ ଅନୁମୋଦନରେ ପଞ୍ଚାୟତରେ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ସମ୍ବିଧାନ କହିଛି । ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ପଞ୍ଚାୟତ ବ୍ୟବସ୍ଥାରେ ଫଣ୍ଡ, ଫଙ୍କସନ ଓ ଫଙ୍କସ୍ନାରୀ ବା ଅର୍ଥ, କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତା ଉପରେ ଗୁରୁତ୍ୱ ସମ୍ବିଧାନ ଦେଇଛି । ମାତ୍ର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗ୍ରାମ ସଭା, ପଞ୍ଚାୟତ ପ୍ରତିନିଧି ଓ ପଞ୍ଚାୟତ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଇ ନାହିଁ କିମ୍ବା ଏ ବିଷୟରେ ଗାଇଡଲାଇନରେ କୌଣସି ଯାଗରେ ଉଲ୍ଲେଖ କରାଯାଇ ନାହିଁ । ଏହା ସମ୍ବିଧାନ ପ୍ରତି ଉପହାସ ବୋଲି ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ରାଜ୍ୟ ପ୍ରଭାରୀ ତଥା ଜାତୀୟ ଆବାହକ କୁନାଲ ବାର୍ନାଜୀ ଅଭିଯୋଗ କରିଛନ୍ତି ।

ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ ବୋଲି ଯୋଜନାରେ ଉଲ୍ଲେଖ ଅଛି । ଏଥିରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ମାତ୍ର ଏହାକୁ କାର୍ଯ୍ୟକାରି କରିବା କ୍ଷେତ୍ରରେ ପଞ୍ଚାୟତି ରାଜ ସଂସ୍ଥା ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସଂଶ୍ଳିଷ୍ଟ କରାନଯିବା ପଞ୍ଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ । ଯେଉଁ ସରପଞ୍ଚ ମାନଙ୍କୁ କରୋନା ସମୟରେ ମୁଖ୍ୟମନ୍ତ୍ରୀ କଲେକ୍ଟର ବନେଇଥିଲେ ସେମାନେ ଏବେ ତାଙ୍କ ପଞ୍ଚାୟତରେ ରୂପାୟନ ହେବାକୁ ଥିବା ଯୋଜନାରେ ଭାଗିଦାର ହେବାର ସୁଯୋଗ ନପାଇବା ଦୁର୍ଭାଗ୍ୟଜନକ । ଯୋଜନାର ଗାଇଡଲାଇନ ମୁତାବକ ପଞ୍ଚାୟତ ସମିତି ପ୍ରକଳ୍ପ ଗୁଡ଼ିକର ରୂପାୟନ କରିବେ ବୋଲି ଉଲ୍ଲେଖ ଥିଲେ ମଧ୍ୟ ଏସବୁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଏହାର ଚୂଡ଼ାନ୍ତ ନିଷ୍ପତି ଜିଲ୍ଳାପାଳମାନେ ନେବେ ବୋଲି ନିର୍ଦ୍ଦେଶ ରହିଛି । ଅର୍ଥାତ ଏଠାରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ପ୍ରତି ଉପହାସ କରାଯାଇଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଗଠନ ତରଫରୁ ଅଭିଯୋଗ କରାଯାଇଛି ।

ଏହା ବିରୁଦ୍ଧରେ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହେବ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବିସ୍ମୟ ମହାପାତ୍ର ଓ ନିରଦ ବରଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *