ଦିଲ୍ଲୀରେ ଏଥର କାହାର ସରକାର। ଆପ୍ ହାଟ୍ରିକ୍ ମାରିବ ନା ବିଜେପି କମବ୍ୟାକ୍ କରିବ। ନା କଂଗ୍ରେସ କରିସ୍ମା ଦେଖାଇବ। ତେବେ ବିଭିନ୍ନ ଏଜେନ୍ସିର ଏକଜିଟ୍ ପୋଲ ବିଜେପି ସପକ୍ଷରେ ମତ ବାଢ଼ିଛି। ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ଶାସନକୁ ଫେରିବ ବୋଲି ଆକଳନ କରିଛି। ଆପ୍ ଦମଦାର ଫାଇଟ୍ ଦେବ। କିନ୍ତୁ ଶାସନ ଡୋରି ଏଥର ହାତରୁ ଖସିଯିବ। ଆଉ କଂଗ୍ରେସର ଅବସ୍ଥା ତ ଶୋଚନୀୟ। ଗୋଟିଏ କି ଅତି ବେଶୀରେ ୩ଟି ଆସନ ଦଖଲ କରିପାରେ ବୋଲି ଏକଜିଟ୍ ପୋଲ୍ ପୂର୍ବାନୁମାନ ଲଗାଇଛି। ଚାଣକ୍ୟ ଷ୍ଟ୍ରାଟେଜିସ୍, ଡିଭି ରିସର୍ଚ୍ଚ, ଜେଭିସି, ମାଟ୍ରିଜ୍, ପି-ମାର୍କ, ପିପୁଲ୍ସ ଇନସାଇଟ୍, ପିପୁଲ୍ସ ପଲସ, ପୋଲ ଡାଏରୀ ଭଳି ଏଜେନ୍ସି ବିଜେପିର ବଡ଼ ବିଜୟ ସପକ୍ଷରେ ଆକଳନ କରିଛି। କେବଳ ମାଇଣ୍ଡ୍ ବ୍ରିଙ୍କ ଓ ଓ୍ୱି- ପ୍ରିଜାଇଡ୍ ଆପ୍ ସପକ୍ଷରେ ଆକଳନ ଲଗାଇଛି। ପୋଲ୍ ଅଫ୍ ପୋଲସ ଅନୁସାରେ ଆପ୍ ୩୦, ବିଜେପି ୩୯ ଓ କଂଗ୍ରେସ ମାତ୍ର ଗୋଟିଏ ଆସନ ଆଣିବ। ଅଧିକାଂଶ ସଂସ୍ଥା ବିଜେପି କ୍ଷମତାକୁ ଫେରିବ ବୋଲି ଆକଳନ କରିଥିବାରୁ ଏଥର ଆପ୍ ବିଦାୟ ନେବା ନିଶ୍ଚିତ ବୋଲି ଦାବି କରିଛି ବିଜେପି। ଆପ୍ର ଭ୍ରଷ୍ଟ ଶାସନରୁ ମୁକ୍ତି ଲାଗି ଦିଲ୍ଲୀବାସୀ ମନସ୍ଥ କରି ଜନାଦେଶ ଦେଇଛନ୍ତି। ମଦ ଦୁର୍ନୀତିର କିଙ୍ଗପିନ୍ କେଜ୍ରିଓ୍ୱାଲଙ୍କୁ ହଟାଇବାକୁ ପଣ କରିଥିଲେ ଦିଲ୍ଲୀବାସି। ଦିଲ୍ଲୀରେ ଡବଲ ଇଞ୍ଜିନ୍ ସରକାର ଥୟ। ସେପଟେ ଅଲ ଇଣ୍ଡିଆ ଇମାମ ଆସୋସିଏସନ ସଭାପତି ସାଜିଦ୍ ରସିଦ କହିଛନ୍ତି, ସେ ବିଜେପିକୁ ଏଥର ଭୋଟ୍ ଦେଇଛନ୍ତି। ଜୀବନରେ ପ୍ରଥମ ଥର ବିଜେପିକୁ ଭୋଟ୍ ଦେଇଛନ୍ତି। ବିଜେପିକୁ ହରାଇବାକୁ ମୁସଲମାନ ଭୋଟ ଦିଅନ୍ତି ବୋଲି ଭ୍ରମରୁ ଦୂରେଇ ରହିବାକୁ ଏଭଳି ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ସାଜିଦ୍।
ଆପ୍ କହିଛି, ଦିଲ୍ଲୀ ନିର୍ବାଚନ ଲଢ଼ିବାରେ ଆପ୍ ଚତୁର୍ଥ ଥର ମୈଦାନକୁ ଓହ୍ଲାଇଥିଲା। ୨୦୧୩ ଓ ୨୦୧୫ରେ ଆପ୍ ହାରୁଛି କହି ଏକଜିଟ୍ ପୋଲ ଦେଖାଇଥିଲା। ୨୦୨୦ରେ ବି ଆପ୍ର ଆସନ କମ୍ ହେବ ବୋଲି କହିଥିଲା ଏକଜିଟ୍ ପୋଲ୍। ୨୦୨୫ରେ ବି ସମାନ କଥା ଦର୍ଶାଇଛି ଏକଜିଟ୍ ପୋଲ୍। ୮ ତାରିଖ ରେଜଲ୍ଚ ବାହାରିବା ପରେ ଆପ୍ ପ୍ରଚଣ୍ଡ ବହୁମତ ସହ ଆସୁଛି ଓ ପୁଣି ଥରେ ଦିଲ୍ଲୀର ଶାସନ ଡୋରି ଧରି ଏକଜିଟ୍ ପୋଲକୁ ଭୁଲ୍ ପ୍ରମାଣିତ କରିବ। ସ୍ପା ଓ ମସାଜ୍ ସେଣ୍ଟର ଚଳାଉଥିବା କମ୍ପାନୀ ଯଦି ଏକଜିଟ୍ ପୋଲ୍ କରେ, ଏମିତି ଆକଳନ ହୁଏ। ମହିଳା ସମ୍ମାନ, ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ସଞ୍ଜୀବନି ସ୍କିମ୍ ଭଳି ବିକାଶର ମୁଦ୍ଦାକୁ ନେଇ ଆପ୍ ଉପରେ ପୁଣି ଭରସା କରିଛନ୍ତି ଦିଲ୍ଲୀବାସୀ। ଦିଲ୍ଲୀରେ ସରକାର ବିରୋଧୀ ହାଓ୍ୱା ବେଶ୍ ବୋହୁଥିଲା। ସେଥିଲାଗି ଏଥର କେଜ୍ରିଓ୍ୱାଲ ଯିବା ଥୟ ବୋଲି କହିଛି ଆରଏଲଏମ। ଏକଜିଟ ପୋଲର ଆକଳନ ସତ ହେବ।
କଂଗ୍ରେସ କହିଛି, ଏକଜିଟ୍ ପୋଲ୍ ଆମ ଆଦମୀ ଦଳକୁ ଏତେ ଦୁର୍ବଳ ବୋଲି ଦର୍ଶାଇବା ଉଚିତ୍ ହୋଇନି। ବିଜେପି ଜିତିପାରେ। କିନ୍ତୁ ଆପ୍ ର ସ୍ଥିତିକୁ ଅଣଦେଖା କରିବା ବି ଠିକ୍ ହୋଇନି। କଂଗ୍ରେସକୁ ଅତି ନୈରାଶ୍ୟଜନକ ବୋଲି ଦର୍ଶାଇବା ବୁଝିବାର ବାହାରେ। କଂଗ୍ରେସ ୧୭ରୁ ୧୮ ପ୍ରତିଶତ ଭୋଟ ଆରାମରେ ଆଣିବ। ଫେବୃଆରୀ ୮ରେ ସବୁ ସ୍ପଷ୍ଟ ହୋଇଯିବ। କଂଗ୍ରେସ ପ୍ରତି ଲୋକଙ୍କର ଆସ୍ଥା ଥିଲା।
ଏକଜିଟ ପୋଲ ପୂର୍ବାନୁମାନ କେତେ ସତ କେତେ ମିଛ ହେବ। ଆପ ହାଟ୍ରିକ କରିବ ନା ବିଜେପି ୨୭ ବର୍ଷ ପରେ ଦିଲ୍ଲୀର କ୍ଷମତା ଡୋରି ଧରିବ। କଂଗ୍ରେସ କଅଣ ସତରେ ଏତେ ଶୋଚନୀୟ ପରାଜୟ ବରଣ କରିବ। ଏସବୁର ଉତ୍ତର ଫେବୃଆରୀ ୮ରେ ସ୍ପଷ୍ଟ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now