କାହାର ହେବ ହ୍ୱାଇଟ ହାଉସ୍ ?

ନଭେମ୍ୱର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡେମୋକ୍ରାଟିକ ପାର୍ଟର କମଳା ହାରିସ୍ ଓ ରିପବ୍ଲିକାନ ପାର୍ଟିର ଆଶାୟୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଯିଏ ବି ଜିତିବେ, ଜାନୁଆରୀ ୨୦୨୫ ଯାଏ ୪ ବର୍ଷ ଲାଗି କ୍ଷମତାରେ ରହିବେ। ନିର୍ବାଚନ ଜିତିବାକୁ ଆଶାୟୀଙ୍କୁ ୨୭୦ ଇଲେକ୍ଟୋରାଲ ଭୋଟ ପାଇବା ଜରୁରୀ। ନବ ନିର୍ବାଚିତ ରାଷ୍ଟ୍ରପତି ଜାନୁଆରୀ ୨୦, ୨୦୨୫ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ। ତେବେ ପ୍ରାରମ୍ଭିକ ମତଦାନ ସର୍ଭେରେ କମଳା ହାରିସ ଆଗୁଆ ଅଛନ୍ତି।  ଆୟୋବା ରାଜ୍ୟରେ ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, କମଳା ଟ୍ରମ୍ପଙ୍କଠୁ ଆଗରେ। ଏହାକୁ ଖଣ୍ଡନ କରି ଟ୍ରମ୍ପ କହିଛନ୍ତି ଯେ, ତାଙ୍କର କୌଣସି ଶତୃ ଏଭଳି ମିଛ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି। ସର୍ଭେ ଅନୁସାରେ, ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ୪୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ଯେବେକି ଟ୍ରମ୍ପଙ୍କୁ ୪୪ ପ୍ରତିଶତ ଭୋଟର ସମର୍ଥନ କରିଛନ୍ତି। ସର୍ଭେ ରିପୋର୍ଟ ଦାବି କରିଛି ଯେ, ମହିଳା ଓ ମୌଳିକ ଅଧିକାର ସୁରକ୍ଷା ପ୍ରସଙ୍ଗରେ କମଳା ଲୋକଙ୍କ ଅଦ୍ଭୁତପୂର୍ବ ସମର୍ଥନ ପାଇବାରେ ଲାଗିଛନ୍ତି। ଏଭଳି ସର୍ଭେକୁ ମିଛ କହି ସେ ଆୟୋବାରେ ଜିତୁଛନ୍ତି ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଟ୍ରମ୍ପ୍।

ୟୁନିଭରସିଟି ଅଫ୍ ଫ୍ଲୋରିଡାର ଇଲେକ୍ସନ ଲ୍ୟାବ୍ ଅନୁସାରେ, ରବିବାର ପର୍ଯ୍ୟନ୍ତ ଆମେରିକାର ସାଢେ ୭କୋଟି ଭୋଟର ନିର୍ବାଚନ ପୂର୍ବରୁ ନିଜର ଭୋଟ ଦେଇସାରିଛନ୍ତି। ଆଡଭାନ୍ସ ଭୋଟିଂକୁ ନେଇ କମଳା ଓ ଟ୍ରମ୍ପଙ୍କ ଭିତରେ କାହାର ପଲ୍ଲା ଭାରି, ତାକୁ ନେଇ ଆକଳନ କରିବାରେ ଲାଗିଛନ୍ତି ବିଭିନ୍ନ ସର୍ଭେକ୍ଷଣ ଏଜେନ୍ସି। କାହାର ହେବ ହ୍ୱାଇଟ ହାଉସ୍। ୬୦ ବର୍ଷୀୟା ହାରିସ୍ ନା ୭୮ ବର୍ଷୀୟ ଟ୍ରମ୍ପ୍। ନିର୍ବାଚନର ରେଜଲ୍ଟ ୭ଟି ମହତ୍ତ୍ୱପୂର୍ଣ୍ଣ ରାଜ୍ୟର ଭୋଟ ହାରକୁ ନେଇ ବିଚାର କରାଯାଏ। ଏରିଜୋନା, ନେଓ୍ୱାଦା, ଓ୍ୱିସଙ୍କସିନ୍, ମିଚିଗାନ, ପେନସେଲଭିନିଆ, ଉତ୍ତର କୈରୋଲାଇନା ଓ ଜର୍ଜ୍ଜିଆ। ସବୁଠୁ ଦୁଇ ରାଜ୍ୟ ମିଚିଗାନ୍ ଓ ପେନସେଲଭନିଆର ପରିଣାମ ହ୍ୱାଇଟ୍ ହାଉସ ଯାତ୍ରାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ଦି ନ୍ୟୁ-ୟୁର୍କ ଟାଇମ୍ସ ଓ ସିଏନା କଲେଜ ସର୍ଭେ ରିପୋର୍ଟ ଅନୁସାରେ, ଉତ୍ତର କୈରୋଲାଇନା, ଜର୍ଜ୍ଜିଆରେ ହାରିସଙ୍କ ପ୍ରତି ସମର୍ଥନ ବଢ଼ୁଥିଲା ବେଳେ ପେନସେଲଭେନିଆରେ ଟ୍ରମ୍ପଙ୍କ ପ୍ରତି ସମର୍ଥନ ବଢ଼ୁଛି। ନେଓ୍ୱାଦା, ଓ୍ୱିସଙ୍କୋସିନରେ ହାରିସଙ୍କ ପ୍ରତି ସମର୍ଥନ ଅଳ୍ପ ବୃଦ୍ଧି ପାଇଥିବା ବେଳେ ଏରିଜୋନାରେ ଟ୍ରମ୍ପ ଆଗରେ ଅଛନ୍ତି।

ଏନବିସି ନ୍ୟୁଜ୍ ଅନ୍ତିମ ସର୍ଭେରେ ହାରିସ ଓ ଟ୍ରମ୍ପଙ୍କ ପ୍ରତି ପଞ୍ଜୀକୃତ ମତଦାତାଙ୍କ ସମର୍ଥନ ୪୯ ପ୍ରତିଶତ ଲେଖାଏଁ ରହିଛି। ୪ ବର୍ଷ ପରେ ହ୍ୱାଇଟହାଉସକୁ କମବ୍ୟାକ୍ କରିବାକୁ ଆଶାବାଦୀ ଟ୍ରମ୍ପ। ୨ଥର ରାଷ୍ଟ୍ରପତି ନିର୍ବାଚନ ଲଢ଼ି ଥରେ ରାଷ୍ଟ୍ରପତି ହୋଇଥିଲେ ଟ୍ରମ୍ପ। ସେଭଳି କମଳା ହାରିସ୍ ଏଥର ଜିତିଲେ, ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଇତିହାସ କରିବେ। ଜୁଲାଇରେ ଜୋ ବାଇଡେନ୍ ରାଷ୍ଟ୍ରପତି ରେସରୁ ଓହରି ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ଲାଗି ବାଟ ଛାଡ଼ିଥିଲେ। ଆମେରିକୀୟ ସଂସଦ ଉପରେ ଆକ୍ରମଣ ଲାଗି ଟ୍ରମ୍ପଙ୍କୁ ଦାୟୀ କରାଯାଏ। ୨୦୨୦ ପରାଜୟ ପରେ ଟ୍ରମ୍ପଙ୍କ ସମର୍ଥକ ସଂସଦ ଭିତରେ ହିଂସା ଭିଆଇଥିଲେ। ଏହାକୁ ନେଇ ଟ୍ରମ୍ଫ ଏଯାଏ ଆଇନଗତ ଲଢ଼େଇର ସମ୍ମୁଖୀନ ହେଉଛନ୍ତି। ଦୁଇ ନିର୍ବାଚନୀ ରଣନୀତିକାର ବା ପୋଲ୍ ଏକ୍ସପର୍ଟ ଆଲାନ ଲିଚମ୍ୟାନ୍ ଓ ନାଟ ସିଲଭରଙ୍କ ଭିତରୁ କାହାର ଆକଳନ ସଠିକ୍ ହେବ, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ସିଲଭରଙ୍କ ମତରେ ଏଥର ଟ୍ରମ୍ପ ଜିତୁଛନ୍ତି ଓ ଲିଚମ୍ୟାନଙ୍କ ମତରେ ଏଥର କମଳାଙ୍କ ପାରି। ଲିଚମ୍ୟାନ୍ ଆମେରିକା ୟୁନିଭରସିଟିର ପ୍ରଫେସର ଥିଲା ବେଳେ ଫାଇଭ ଥାର୍ଟି ଏଇଟିର ଫାଉଣ୍ଡର ଅଛନ୍ତି ସିଲଭର।  ଲିଚମ୍ୟାନଙ୍କ ଗଲା ୧୦ଟି ପ୍ରେସିଡେଣ୍ଟ ଇଲେକ୍ସନରୁ ୯ଟି ଆକଳନ ସଠିକ୍ ସାବ୍ୟସ୍ତ ହୋଇଛି। କେବଳ ୨୦୦୦ ନିର୍ବାଚନରେ ଲିଚମ୍ୟାନଙ୍କ ଆକଳନ ଭୁଲ୍ ହୋଇଥିଲା। ଯେଉଁ ନିର୍ବାଚନରେ ଜର୍ଜ ଡବ୍ଲୁ ବୁଶି ଜିତିଥିଲେ ଆଉ ଏଓ୍ୱାନ ଗୋର୍ ହାରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *