ମାଗଣା ବିଜୁଳିକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ

ମହିଳା ସଶକ୍ତିକରଣ ଆଳରେ ସୁଭଦ୍ରା ନାଁରେ ଭଣ୍ଡେଇଦେଲେ ସରକାର ବୋଲି କହୁଛନ୍ତି ବିରୋଧୀ। ସେପଟେ ନିର୍ବାଚନରେ ଆଉ ଏକ ପ୍ରତିଶୃତି ମାଗଣା ବିଜୁଳିକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ। କିନ୍ତୁ ସରକାର ସ୍ପଷ୍ଟ କରିଛନ୍ତି, ମାଗଣା ବିଜୁଳିର ଅର୍ଥକୁ ଅନର୍ଥ କରୁଛନ୍ତି ବିରୋଧୀ। କେଉଁଠି ବି ମାଗଣା ବିଜୁଳି ଦେବେ ବୋଲି କହିନାହାନ୍ତି ସରକାର ବୋଲି ସ୍ପଷ୍ଟ କରିଛନ୍ତି ଶକ୍ତିମନ୍ତ୍ରୀ।

ବିଜେପି ଯଦି କ୍ଷମତାକୁ ଆସେ, ତାହେଲେ ୩ଶହ ୟୁନିଟ୍ ଯାଏଁ ମାଗଣା ବିଜୁଳି ମିଳିବ। ପିଏମ- ସୂର୍ଯ୍ୟଘର ଯୋଜନାରେ ବିଜେପି ସରକାର ୭୫ହଜାର ଟଙ୍କାର ରିହାତି ଦେବ। ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇଲେ ଏହି ରିହାତି ମିଳିବ। ଯାହା ଫଳରେ ଗ୍ରାହକ ୩ଶହ ୟୁନିଟ ଯାଏ ବିଦ୍ୟୁତ୍ ବିଲ ଦେବାରୁ ବର୍ତ୍ତିବେ। ଓଡ଼ିଶାରେ ସାଧାରଣ ନିର୍ବାଚନ ଲାଗି କ୍ୟାମ୍ପେନକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଏଭଳି ଘୋଷଣା କରିଥିଲେ। ଆଉ ବିଜେପି ଏବେ ଓଡ଼ିଶାରେ କ୍ଷମତାସୀନ। କ୍ଷମତାକୁ ଆସିବା ପରେ କୁଆଡ଼େ ଗଲା ମାଗଣା ବିଜୁଳିର ସ୍ୱପ୍ନ ବୋଲି ପଚାରିଆସୁଛନ୍ତି ବିରୋଧୀ। କାରଣ ନିର୍ବାଚନ ପ୍ରଚାର ବେଳେ ବିଜେଡି ପ୍ରଚାରର ମଙ୍ଗ ଧରିଥିବା ପାଣ୍ଡିଆନ୍ କହି ବୁଲୁଥିଲେ, ବିଜେଡି ଏଥର ପୁଣି କ୍ଷମତାକୁ ଆସିଲେ ଜୁନ୍ ୯ରୁ ୯୦ ପ୍ରତିଶତ ଲୋକଙ୍କୁ ମାଗଣା ବିଜୁଳି ଦେବ। ନବୀନ ପଟ୍ଟନାୟକଙ୍କ ପ୍ରଥମ ଦସ୍ତଖତ ମାଗଣା ବିଜୁଳି ବିଲ୍ ଉପରେ ମୋହର ଲଗାଇବ।

ବିଜେଡି ତ କ୍ଷମତାରୁ ଗଲା। ମାଗଣା ବିଜୁଳି ତା ହେଲେ କିଏ ଦେବ। ଏହାକୁ ନେଇ କିଛି ଦିନ ତଳେ ବରଗଡ଼ରେ କିଛି ଚାଷୀ ମିଟର କାଢ଼ି ପିଙ୍ଗିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ମାଗଣା ବିଜୁଳି ନାଁରେ ଚାଷୀଙ୍କୁ ଭ୍ରମିତ କରିବାକୁ ବିରୋଧୀ ଉଦ୍ୟମ କରୁଥିବା କଥା ଗୃହରେ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। ବିଧାନସଭାରେ ମାଗଣା ବିଜୁଳି ଦେବା ସନ୍ଦର୍ଭରେ ସ୍ପଷ୍ଟିକରଣ ରଖିଛନ୍ତି ଶକ୍ତିମନ୍ତ୍ରୀ କେଭି ସିଂଦେଓ। ସରକାର ଆସିବା ଆଗରୁ କି ଆସିବା ପରେ ୩ଶହ ୟୁନିଟ ମାଗଣା ବିଜୁଳି ଦେବାକୁ ପ୍ରତିଶୃତି ଦେଇନାହାନ୍ତି। ପିଏମ-ସୂର୍ଯ୍ୟଘର ଯୋଜନାକୁ କାର୍ଯ୍ୟକାରୀ କରିବାକୁ କଥା ଦିଆଯାଇଥିଲା। ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇଲେ ୩ଶହ ୟୁନିଟର ବିଜୁଳି ବ୍ୟବହାର କରିପାରିବେ ଗ୍ରାହକ। ଅଧିକ ହେଲେ ସରକାରଙ୍କୁ ବିକିପାରିବେ। ସେଥିଲାଗି ମାଗଣା ବିଜୁଳି ନେଇ ଗୃହର ସମସ୍ତ ସଦସ୍ୟ ନିଜ ଅଞ୍ଚଳରେ ପିଏମ-ସୂର୍ଯ୍ୟଘର ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ବୋଲି ଅପିଲ୍ କରିଛନ୍ତି ଶକ୍ତିମନ୍ତ୍ରୀ। ସେପଟେ ବିରୋଧୀ କହିଛନ୍ତି, ଆଗ ମହିଳା ସଶକ୍ତିକରଣ ଆଳରେ ସୁଭଦ୍ରା ନାଁରେ ଭଣ୍ଡେଇ ଭୋଟ ନେଇଗଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *