ଜୁଏଲ ଓରାମଙ୍କୁ ନେଇ ପୁଣି ଚର୍ଚ୍ଚା

Spread the love

ଦୀର୍ଘ ୧୦ ବର୍ଷ ଧରି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ସଦସ୍ୟ ଥିଲେ। ହେଲେ ସଦ୍ୟ ଗଠିତ କେନ୍ଦ୍ରୀୟ ନିର୍ବାଚନ କମିଟିରେ ମିଳିନି ତାଙ୍କୁ ସ୍ଥାନ। ଓଡ଼ିଶା ବିଜେପିର ଆଦିବାସୀ ଚେହେରା ତଥା ସାଂସଦ ଜୁଏଲ ଓରାମଙ୍କୁ ସିଇସିରୁ ବାଦ୍ ଦେଲା ପରେ ଏହାକୁ ନେଇ ରାଜନୈତିକ ମହଲରେ ପୁଣି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଜୁଏଲଙ୍କ ପକ୍ଷଛେଦନ କରାଯାଇଛି କି ବୋଲି ରାଜନୀତିକ ମହଲର ଦୃଷ୍ଟିଭଙ୍ଗୀ ଦେଖୁଛି।

ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇ ମନସ୍ତାପରେ ଥିବା ଜୁଏଲ ଓରାମ ସପ୍ତାହକ ତଳେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ନିଜ ମନର ଅନେକ କଥା ଓଗାଳିଥିଲେ। ରାଉରକେଲା ନିଟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ନିଜକୁ ବାଜିଗର ବୋଲି କହିଥିଲେ ଜୁଏଲ। ସତ ଓ ସିରିଅସ କଥା କହିଲେ ଭୋଟ ମିଳେନି। ବୁଦ୍ଧିଜୀବି ଓ ବେପାରୀଙ୍କ ଭିତରେ ତଫାତ୍ କୁ ଦର୍ଶାଇ କିଭଳି ସେ ହାରିବା ଲାଗି ନିର୍ବାଚନ ଲଢ଼ୁଥିଲେ ବୋଲି କଥାର ଅବତାରଣା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ ସହ ନିର୍ବାଚନ ପ୍ରଚାର ବେଳେ ସବୁଠି କେମିତି ଜିତିଲେ ମନ୍ତ୍ରୀ ହେବି କଥାର ଦୃଷ୍ଟାନ୍ତ ଦେଇଥିଲେ। ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା ଜୁଏଲ କାହିଁକି ସମାବର୍ତ୍ତନ ଉତ୍ସବରେ ପଲିଟିକାଲ ଥିଓରୀ ଓ ପ୍ରାକ୍ଟିକାଲକୁ ଅଧିକ ଫୋକସ କରିଥିଲେ, ତାହା ବୁଝିବା ଲୋକକୁ ବୁଝିବା ଆଉ ବାକି ନାହିଁ। ହେଲେ ଦୀର୍ଘ ୧୦ ବର୍ଷ ଧରି ବିଜେପି ଶୀର୍ଷ କମିଟିରେ ଥିବା ଜୁଏଲଙ୍କ ପୁଣି ପକ୍ଷଛେଦନ ହୋଇଛି। ସିଇସି ବା କେନ୍ଦ୍ରୀୟ ନିର୍ବାଚନ କମିଟିରୁ ତାଙ୍କୁ ବାଦ୍ ଦିଆଯାଇଛି। କିଛି ଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୪ ପାଇଁ ଓଡ଼ିଶା ନେତାଙ୍କ କାନରେ ରଣନୀତି ଫୁଙ୍କି ଯାଇଛନ୍ତି। ଓଡ଼ିଶାରେ ଏଥର ବିଜେପି କ୍ଷମତାକୁ ଆସିବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ। ଦଳୀୟ କର୍ମକର୍ତ୍ତାଙ୍କ ଭିତରେ ନୂଆ ଉତ୍ସାହ ଉଦ୍ଦୀପନାରେ ବିଜେପି ପାର୍ଟି ଅଫିସ ଫାଟି ପଡ଼ିଥିଲା ଯେମିତି।

ଆଉ ଏତିକି ବେଳେ ଓଡ଼ିଆ ଭାବରେ ବିଜେପିର ଶୀର୍ଷ କମିଟିରୁ ଜୁଏଲଙ୍କୁ ବାଦ୍ ଦେବା ତାଙ୍କ ଅବନତି ବୋଲି କୁହାଯାଉଛି। ୨୦୧୪ରେ ଓଡ଼ିଶାରୁ ଏକମାତ୍ର ପଦ୍ମ ଫୁଟାଇଥିବା ଜୁଏଲଙ୍କ ଜିତାପଟ୍ଟ ଓ ମୋଦିଙ୍କ ପ୍ରଧାନମନ୍ତ୍ରୀ ଇନିଂସ ସମାନ ସମୟରେ ଆରମ୍ଭ ହୋଇଥିଲା। ହେଲେ ୧୦ ବର୍ଷ ପରେ ଜୁଏଲ ଆଜି ଏକୁଟିଆ। ଅବଶ୍ୟ ମନକୁ ବୁଝାଉଥିବେ, ସଂସଦୀୟ ବୋର୍ଡରେ ଧର୍ମେନ୍ଦ୍ର ବି ନାହାନ୍ତି।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *