ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ତେଜିଲାଣି କି। ଅନୁଶାସନ ଅଭାବରୁ ଅସନ୍ତୋଷର ନିଆଁ ବ୍ୟାପିଲାଣି କି। ନିର୍ବାଚନରେ ବିପର୍ଯ୍ୟୟ ପରଠୁ ଅନେକ ବୟାନବାଜି, ନିଜ ନେତାଙ୍କ ବିରୁଦ୍ଧରେ ବିଷୋଦଗାରର ଅଧ୍ୟାୟରୁ ନେଇ ପରାଜିତ ବିଧାୟକଙ୍କ ବାରମ୍ୱାର ମେଳି ଏହି ଚର୍ଚ୍ଚାକୁ ଯେମିତି ସଞ୍ଜୀବନି ଦେବାରେ ଲାଗିଛି। ଏହି କ୍ରମରେ ରବିବାର କିଛି ପରାଜିତ ବିଧାୟକଙ୍କ ହାଇଦ୍ରାବାଦରେ ଲିଜର ଟ୍ରିପ୍ ନାଁରେ ଗସ୍ତ ଭିନ୍ନ ସୂଚନା ଦେଇଛି।
ନିର୍ବାଚନରେ ବିଜେଡି ବିପର୍ଯ୍ୟୟ ପଛରେ କିଏ। ତାକୁ ନେଇ ରୀତିମତ ଦଳ ଭିତରେ ବିବାଦୀୟ ମନ୍ତବ୍ୟ, ପରସ୍ପର ବିରୋଧୀ ବୟାନବାଜି ଜାରି ଭିତରେ ୭ ପରାଜିତ ବିଜେଡି ବିଧାୟକଙ୍କ ମେଳି ଅନେକ କଥା କହୁଥିଲା। ଅକ୍ଟୋବର ୨୧। ଭୁବନେଶ୍ୱରରେ ୭ ପରାଜିତ ବିଜେଡି ବିଧାୟକଙ୍କ ମେଳି ଏହି ବିବାଦର ଜ୍ୱାଳାକୁ ଅଧିକ ଖୋରାକ୍ ଯୋଗାଇଥିଲା। ବଡ଼କଥା ହେଲା, ଏ ପରାଜିତ ବିଧାୟକମାନେ ପାରିବାରିକ ସୁତ୍ରରେ ରାଜନୀତିକୁ ଆସିଛନ୍ତି। ଅର୍ଥାତ୍ ବାପାଙ୍କ ପରେ ଉତ୍ତରାଧିକାରୀ ସୂତ୍ରରେ ଦଳୀୟ ଟିକଟ ପାଇ ବିଧାୟକ ହୋଇଥିଲେ। ସ୍ୱର୍ଗତ ଦାମ ରାଉତ, ପ୍ରଦୀପ ମହାରଥୀ, ବିଜୟଶ୍ରୀ ରାଉତରାୟ, କାଳନ୍ଦୀ ବେହେରା, ନଳିନୀ ମହାନ୍ତି, କଳ୍ପତରୁ ଦାସ ପ୍ରମୁଖଙ୍କ ପୁଅ ଏ ମେଳିରେ ଥିଲେ। ଯେଉଁମାନଙ୍କର ବିଜୁ ଲିଗାସିକୁ ଆଗକୁ ନେବାରେ ଯଥେଷ୍ଟ ଅବଦାନ ଥିଲା। ହେଲେ ଦଳୀୟ ବିବାଦ ତେଜୁଥିଲା ବେଳେ ଏମାନଙ୍କ ଏହି ମେଳି ବିଦ୍ରୋହର ନା ଆଉ କିଛି। ମେଳିର ଫଟୋ ବାହାରକୁ ଛାଡ଼ି କି ବାର୍ତ୍ତା ଦେବାକୁ ଚାହିଁଛନ୍ତି। ଏଭଳି ପ୍ରଶ୍ନର ସଫେଇରେ ଅଧିକାଂଶ କହିଥିଲେ, ଏହା ବିଦ୍ରୋହୀ ମେଳି ନୁହେଁ, ବିଜୁ ଲିଗାସି ମେଳି।
ତେବେ ଏଥର ହାଇଦ୍ରାବାଦରେ ଭ୍ରମଣ ଟ୍ରିପ୍ ନାଁରେ ପୁଣି ଥରେ ରବିବାର ଗସ୍ତ କରିଛନ୍ତି କିଛି ପୂର୍ବତନ ବିଧାୟକ। ଏମାନେ ହେଲେ ସେଇ ବିଧାୟକ ଗୋଷ୍ଠୀ। ତେବେ ମୋଦି ଓ ଶାହାଙ୍କ ଓଡ଼ିଶା ଗସ୍ତ ସମୟରେ ଏମାନଙ୍କ ଅଚାନକ ହାଇଦ୍ରାବାଦ୍ ଲିଜର ଟ୍ରିପ୍ ନାଁରେ ଏକାଠି ହେବା ଭିନ୍ନ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏମିତିରେ ବିଜେଡିରେ ବିଦ୍ରୋହ, ବିବାଦର ଏପିସୋଡ୍ ଜାରି ଭିତରେ ଏମାନଙ୍କ ପୁଣି ମେଳି ନୂଆ ଚର୍ଚ୍ଚା ଖୋରାକ୍ ଯୋଗାଇଛି। ଏଥର ବି ସମାନ ପୁରୁଣା କଥା। ପଚାରିଲେ କହୁଛନ୍ତି, ଏମିତି କିଛି କଥା ନାହିଁ। ଦଳ ଏକଜୁଟ୍ ଅଛି। ମୋଦି, ଶାହାଙ୍କ ଓଡ଼ିଶା ଗସ୍ତ ବେଳେ ଏମାନଙ୍କ ଏହି ଗସ୍ତ ଅଚାନକ ନୁହେଁ। ବରଂ ସଂଯୋଗ। ପୂର୍ବ ନିର୍ଦ୍ଧାରିତ। ଗଣମାଧ୍ୟମ ଏହାକୁ ଅନ୍ୟଥା ନେଇ ଚର୍ଚ୍ଚା କରୁଛି।
ବିଜେଡିର ଆୟୁଷ କମ୍। ବିଜେଡି ଖୁବ ଶୀଘ୍ର ଭାଙ୍ଗିଯିବ। ଶାସକ ବିଜେପି ଦଳର ଏମିତି କ୍ରମାଗତ ଦମ୍ଭୋକ୍ତି ଭିତରେ କିଛି ପୂର୍ବତନ ବିଧାୟକଙ୍କ ଏଭଳି ମେଳି ଏ ଚର୍ଚ୍ଚାକୁ ଖୋରାକ ଯୋଗାଇବା ସ୍ୱାଭାବିକ କଥା। ଅବଶ୍ୟ ଏ ଚର୍ଚ୍ଚାରେ କେତେ ସତ୍ୟତା ରହିଛି, ତାହା ସମୟ କହିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now