ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ,ମୋହନ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ତୀର୍ଯ୍ୟକ ତୀର !

ମୋହନ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଆଉ ଏକ ତୀର୍ଯ୍ୟକ ତୀର। ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ଦୁର୍ନୀତି ବିରୋଧୀ ଅଭିଯାନ ଓ ପୁଲିସର କାର୍ଯ୍ୟଶୈଳୀ ନେଇ ଦେଇଥିଲେ ଚେତାବନୀ। ସବୁଠି ନିଜେ ଅଙ୍ଗେ ନିଭାଇଥିବା ଘଟଣାର ନଜିର୍ ଦେଇଥିଲେ। ଆଉ ସମ୍ମିଳନୀ ସରିବା ପରେ ପରେ ହିଁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଦେଲେ ସରକାର। ନବୀନ ସରକାର ଅମଳରେ କ୍ରାଇସିସ୍ ମ୍ୟାନେଜର ଆଖ୍ୟା ପାଇଥିବା ଅରୁଣ ବୋଥ୍ରାଙ୍କୁ ହଟାଇଦେଲେ କ୍ରାଇମବ୍ରାଞ୍ଚରୁ। ରେଳବାଇ ଓ ସାମୁଦ୍ରିକ ତଟସୁରକ୍ଷା ଏଡିଜି ଭାବେ ପଠାଇଦେଲେ ସରକାର। ଏହା ସହ ପ୍ରଭାବଶାଳୀ ଆଇପିଏସଙ୍କ ଭିତରେ ଥିବା ଦ୍ୱୈତନଗରୀ ସିପି ସଞ୍ଜୀବ ପଣ୍ଡାଙ୍କୁ ବି ହଟାଇ ତାଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀର ନିର୍ଦେଶକ ଦାୟିତ୍ୱ ଦେଲେ। ତାଙ୍କ ସ୍ଥାନରେ ନୂଆ ସିପି ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ଦେଲେ। ଉଭୟ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ କଟକ ଡିସିପି ଆର.ପ୍ରକାଶଙ୍କୁ ବି ହଟାଇଦେଲେ। ଭୁବନେଶ୍ୱରର ପୂର୍ବତନ ଡିସିପି, ଦ୍ୱୈତନଗରୀର ପୂର୍ବତନ ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ସରକାର। ଉମାଙ୍କୁ ପୁଣି କମିଶନରେଟକୁ ଫେରାଇ ଅଣାଯାଇଛି। ବଡ଼ କଥା ହେଉଛି। ରବିବାର ବଦଳି କଲେ। ସୋମବାର ଆଉ ଏକ ମୁଭମେଣ୍ଟ ଅର୍ଡର ବାହାର କରି ଯିଏ ଯେଉଁଠିକି ବଦଳି ହୋଇଛନ୍ତି, ତୁରନ୍ତ ନିଜ ଜାଗା ଛାଡ଼। ଆଉ ରିଲିଭ୍ ହୋଇ ନୂଆ ଜାଗାରେ ଜଏନ କର ବୋଲି ନିର୍ଦେଶ ଜାରି କଲା ପୁଲିସ ମୁଖ୍ୟାଳୟ। ଏହି କ୍ରମରେ ଟ୍ୱିନ୍ ସିଟିରେ ସିପିଙ୍କ ଦାୟିତ୍ୱ ହସ୍ତାନ୍ତରର ପର୍ବ ମଧ୍ୟାହ୍ନ ସୁଦ୍ଧା ସରିଯାଇଥିଲା।

ସେପଟେ ଏଭଳି ବଦଳି ଓ ଅଚାନକ ରିଲିଭ୍ ଓ ତତକ୍ଷଣାତ ନୂଆ ଜାଗାରେ ଜଏନ କରିବାକୁ ନେଇ ସରକାରଙ୍କ ତତ୍ପରତା ପଛର ରହସ୍ୟକୁ ନେଇ ବିରୋଧୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଭରତପୁର କାଣ୍ଡରୁ ବଦନାମ ହୋଇସାରିଛନ୍ତି ସରକାର। ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ଓ ନିଜକୁ ସୁହାଇଲା ଭଳି ଅଧିକାରୀଙ୍କୁ ଆଣି ଜନମାନସରୁ ଏଭଳି ଚର୍ଚ୍ଚିତ କାଣ୍ଡକୁ ଭୁଲାଇବାକୁ ଅଭିସନ୍ଧି ଥାଇପାରେ ବୋଲି କୁହାଯାଉଛି। ଶାସକ ଦଳ କହିଛି, ବଦଳି ଏକ ଚିରାଚରିତ ପ୍ରକ୍ରିୟା। କେଉଁ ଅଫିସରଙ୍କୁ କେଉଁଠି ବଦଳି କରାଯିବ, ତାହା ସରକାର ନିଷ୍ପତ୍ତି ନିଅନ୍ତି। ଦକ୍ଷତା, ପାରଦର୍ଶିତା ଓ ଜନମାନସରେ ଲୋକପ୍ରିୟ ସରକାରଙ୍କ ଭଳି ଜନତାଙ୍କ ବନ୍ଧୁ ସାଜି ନ୍ୟାୟ ଦେବାରେ ଯେଉଁ ଅଧିକାରୀଙ୍କ ଟ୍ରାକରେକର୍ଡ ଭଲ ଅଛି, ତାକୁ ଅନୁଧ୍ୟାନ ହେଉଛି।

ଲୋକଙ୍କୁ ଉତ୍ତମ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସକୁ ତାଗିଦ୍ କରିଥିଲେ। ଆଉ ଏହା ପରେ ପରେ ବଡ଼ ଧରଣର ଅଦଳବଦଳ ଓ ଗାଦି ମଡ଼ା ଅଧିକାରୀଙ୍କୁ ଗୌଣ ବିଭାଗକୁ ବଦଳି ନେଇ ଚର୍ଚ୍ଚା ହେବା ସ୍ୱାଭାବିକ। କାହାକୁ ପୁରଷ୍କୃତ କଲେ, କାହାକୁ ହଟାଇଲେ ଓ କାହାକୁ ଦୁର୍ବଳ କରିଦେଲେ ଜନମାନସରେ, ଏହାକୁ ନେଇ ଘମାସାନ ଚର୍ଚ୍ଚା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *