ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରରେ ଭୋଟିଂ ସରିଛି, ୩୮ ଆସନରେ ହୋଇଛି ମତଦାନ

ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରରେ ଭୋଟିଂ ସରିଛି। ଝାଡ଼ଖଣ୍ଡର ବାକି ୩୮ ଆସନରେ ହୋଇଛି ମତଦାନ। ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ପରିବାର ସଦସ୍ୟ ୪ଟି ଆସନରେ ଭାଗ୍ୟ ପରୀକ୍ଷା କରିଛନ୍ତି। ପୁଅ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ସାନ ବୋହୂ କଳ୍ପନା ଓ ବଡ଼ ବୋହୂ ସୀତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି। ସେପଟେ ମହାରାଷ୍ଟ୍ରରେ ମହାୟୁତି ଓ ମହାଅଗାଡ଼ି ମେଣ୍ଟ ଭିତରେ କଡ଼ା ଟକ୍କର ହୋଇଛି। ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟା ନେଇ ଘମାସାନ ହୋଇଛି ମହାରାଷ୍ଚ୍ର ରାଜନୀତି।

ଝାଡ଼ଖଣ୍ଡରେ ୮୧ ଆସନରୁ ବାକି ଥିବା ୩୮ ଆସନ ପାଇଁ ବୁଧବାର ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ସରିଲା। ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନା, ତାଙ୍କ ପତ୍ନୀ କଳ୍ପନା ସୋରେନ୍ ଓ ବଡ଼ ଭାଉଜ ସୀତା ସୋରେନଙ୍କ ସମେତ ମୋଟ୍ ୫୨୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର୍। ମୁଖ୍ୟମନ୍ତ୍ରୀ ହେମନ୍ତ ୨୦୧୪ରୁ ପ୍ରତିନିଧିତ୍ୱ କରିଆସୁଥିବା ବରହାଇତରୁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ପତ୍ନୀ କଳ୍ପନା ଏଥର ଗିରିଡିହର ଗଣ୍ଡେ ଆସନରୁ ପ୍ରାର୍ଥୀ ହୋଇଥିଲେ। ହେମନ୍ତଙ୍କ ଭାଉଜ ସୀତା ସୋରେନ୍ ବିଜେପି ଟିକଟରୁ ଜାମତରାରେ ଭାଗ୍ୟ ପରୀକ୍ଷା କରିଛନ୍ତି। ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ଆଜସୁ ମୁଖ୍ୟ ସୁଦେଶ ମହତୋ, ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଷ୍ଟିଫେନ୍ ମାରାଣ୍ଡି ପ୍ରମୁଖ ବଡ଼ ଚେହେରାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ଝରିଆରେ ଚର୍ଚ୍ଚିତ ସିଂ ମେନସନଙ୍କ ଦୁଇ ବୋହୂଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ୨୦ ଆସନରେ ଜେଏମଏମ ଓ ୧୩ଟି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇସାରିଛି ଇଭିଏମରେ। ବିଜେପିର ୩୨ ପ୍ରାର୍ଥୀଙ୍କ ଭାଗ୍ୟ ବି ନିର୍ଦ୍ଧାରଣ ହୋଇଛି। ବିଜେପି କହିଛି, ଝାଡ଼ଖଣ୍ଡରେ ରୋଟି, ମାଟି ଓ ବେଟି ସଂକଟରେ ପଡ଼ିଛି। ସେଥିଲାଗି ଏଥର ସମୃଦ୍ଧ ଓ ବିକଶିତ ଝାଡ଼ଖଣ୍ଡ ଲାଗି ଲୋକେ ଏନଡିଏକୁ ବାଛିବା ଥୟ। ଭ୍ରଷ୍ଟ ଓ ଜନବିରୋଧୀ ସରକାରକୁ ହଟାଇବାକୁ ପଣ କରିସାରିଲେଣି। ଜେଏମଏମ କହିଛି, ପୁଣି ୫ ବର୍ଷ ହେମନ୍ତଙ୍କ ନେତୃତ୍ୱ ଓ ସୁଶାସନକୁ ଜନତା ଭରସିବେ। ମହାଗଠବନ୍ଧନ ସରକାରରେ ହୋଇଥିବା ସୁଶାସନର ପ୍ରତିଫଳନ ରେଜଲ୍ଟରେ ପ୍ରତିଫଳିତ ହେବ।

ସେପଟେ ମହାରାଷ୍ଟ୍ରରେ ମହାବିକାଶ ଅଗାଡ଼ି ଓ ମହାୟୁତି ମେଣ୍ଟ ପାଇଁ ଏହି ନିର୍ବାଚନର ପରିଣାମ ସେମାନଙ୍କ ଦଳ ଓ ମେଣ୍ଟର ଭାଗ୍ୟ ନିର୍ଦ୍ଧାରଣ କରିବ। ସମସ୍ତ ୨୮୮ ଆସନରେ ହୋଇଛି ଭୋଟିଂ। ବିଜେପି ୧୪୯, ଶିବସେନା ୮୧ ଓ ଅଜିତ ପାଓ୍ୱାରଙ୍କ ଏନସିପି ୫୯ ଆସନରେ ନିର୍ବାଚନ ଲଢ଼ୁଛି। ମହାଅଗାଡ଼ି ମେଣ୍ଟରେ କଂଗ୍ରେସ ୧୦୧, ଶିବସେନା(ୟୁବିଟି) ୯୫ ଓ ଏନସିପି(ଏସପି) ୮୬ ପ୍ରାର୍ଥୀ ଦେଇଥିଲେ। ଏହା ବ୍ୟତୀତ ବିଏସପି ୨୩୭, ବିବିଏସ-୨୦୦, ଏଆଇଏମଆଇଏମ-୧୭ ଓ ସପା ୯ଟି ଆସନରେ ନିର୍ବାଚନ ଲଢୁଛି। ମୋଟ୍ ୪ହଜାର୧୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ଜାତିଗତ ଜନଗଣନା, ରାଜ୍ୟ ଛାଡ଼ି ଗୁଜରାଟକୁ ଯାଉଥିବା ପୁଞ୍ଜିନିବେଶକୁ ମହାଅଗାଡ଼ି ମୁଦ୍ଦା କରିଥିଲା ବେଳେ ସରକାର ବିରୋଧୀ ଅସନ୍ତୋଷକୁ ଟାଳିବାକୁ ମହିଳାଙ୍କ ଲାଗି ମାସିକ ଭତ୍ତା, ଲଡକୀ ବହିନ ଯୋଜନାକୁ ଆୟୁଧ କରିଛି ମହାୟୁତି ମେଣ୍ଟ। ବିଶେଷ କରି ବିଦର୍ଭର ୬୨ ଆସନରେ ଯିଏ ଜିତିବ, ସେ ହିଁ ମହାରାଷ୍ଟ୍ରର ସିକନ୍ଦର ହେବ ବୋଲି ଆକଳନ କରାଯାଉଛି। ନିର୍ବାଚନ ପୂର୍ବରୁ ବିଜେପି ସାଧାରଣ ସମ୍ପାଦକ ବିନୋଦ ତାଓ୍ୱଡେ ଭୋଟରଙ୍କୁ ହୋଟଲରେ ୫ କୋଟି ଟଙ୍କା ବଣ୍ଟା ପ୍ରସଙ୍ଗକୁ ନେଇ ମୁଖ୍ୟ ଆୟୁଧ କରିଥିଲେ ବିରୋଧୀ ବହୁଜନ ବିକାଶ ଘାଡ଼ି। ସେପଟେ ବିନୋଦ ସଫେଇ ଦେଇଛନ୍ତି ଯେ, ସେ ଏତେ ନିର୍ବୋଧ ନୁହେଁ ଯେ, ହୋଟେଲରେ ଟଙ୍କା ବାଣ୍ଟିବେ। ସେ କେବଳ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାକୁ ଯାଇଥିଲେ। ବହୁଜନ ବିକାଶ ଘାଡ଼ି ନେତା ହିତେନ୍ଦ୍ର ଠାକୁରଙ୍କ ମାଲିକାନାରେ ଥିବା ହୋଟେଲକୁ ଯାଇ ସେଠାରେ ଟଙ୍କା ବାଣ୍ଟିବା କଥା କେହି ଭାବି ପାରିବେ କି ବୋଲି ପାଲଟା ପଚାରିଛନ୍ତି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଓ ଝାଡ଼ଖଣ୍ଡରେ ବଳକା ୩୮ ଆସନ ଲାଗି ଭୋଟିଂ ସରିଛି। ଉଭୟ ରାଜ୍ୟରେ ନିଜ ନିଜ ଆଦର୍ଶଗତ ପ୍ରସଙ୍ଗ ବ୍ୟତୀତ ମୁଖ୍ୟ ପ୍ରତିଦ୍ୱନ୍ଦୀ ପରସ୍ପର ସହ ପ୍ରତିଦ୍ୱନ୍ଦିତା କରି ମହିଳା, କୃଷକ, ବେରୋଜଗାର ଯୁବକଙ୍କ ଲାଗି ମାଗଣା ଦାନ ଓ କଲ୍ୟାଣକାରୀ ଯୋଜନାର ପ୍ରତିଶୃତି ଦେଇଛନ୍ତି। ଦେଖିବାର କଥା କିଏ ସାଜିବ ମହାରାଷ୍ଟ୍ରରେ ସିକନ୍ଦର ଓ ଝାଡ଼ଖଣ୍ଡରେ କିଏ ହେବ ଟାଇଗର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *