ଟାଇମଲାଇନରେ ଟିପି- ସ୍କିମ୍ ସାର

ବଢୁଛି ଚାହିଦା। ହେଲେ ଧାର୍ଯ୍ୟ ସମୟରେ ସରୁନଥିବାରୁ ବଢ଼ୁଛି ବି ଅସନ୍ତୋଷ। ଭୁବନେଶ୍ୱର ଉପକଣ୍ଠରେ ଭୁବନେଶ୍ୱର ଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ଦେଇ ବିଡିଏ ଆରମ୍ଭ କରିଥିବା ଟିପି ସ୍କିମକୁ ନେଇ ଲୋକଙ୍କ ଭିତରେ ଏଭଳି ଭାବନା ରହିଛି। ମଳିପଡ଼ା ମୌଜାରେ ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିଲା ଏକଦା ବିଡିଏ। ଏପରିକି ଟିପି ନକ୍ସା ବି ଫାଡ଼ିଦେଇ ବିଡିଏ ଅଧିକାରୀଙ୍କୁ ତଡ଼ିଦେଇଥିଲେ। କାରଣ ଲୋକଙ୍କର ଥିଲା ଗୋଟିଏ ପ୍ରଶ୍ନ। ୨୦୧୬ରୁ ଆରମ୍ଭ ହୋଇଥିବା ଗୋଟିଏ ବି ଟିପି ସ୍କିମ୍ ସାରିପାରିନଥିବା ବିଡିଏକୁ କେଉଁ ଭରସାରେ ସେମାନେ ସହମତି ଦେବେ। ମଳିପଡ଼ାବାସୀଙ୍କ ରୋଷର ଶୀକାର ବିଡିଏ ସାମପୁରରେ କରିବାକୁ ଥିବା ଜମି ମାଲିକଙ୍କ ବୈଠକକୁ ବି ବାଧ୍ୟ ହୋଇଥିଲା ବାତିଲ୍ ଲାଗି। ହେଲେ ଏହାରି ଭିତରେ ବଦଳିଗଲାଣି ବିଡିଏ। କେମିତି ପ୍ରଥମ ୪ଟି ଟିପି ସାରିବ, ସେ ନେଇ ଦିନରାତି ଏକ୍ କରିଦେଇଛି। ଆଉ ଲୋକଙ୍କୁ ସଂଶୋଧିତ ନକ୍ସା ସହ ଜାଗାର ଦଖଲ ଦେବା କାମ ବି ସମାନ୍ତରାଳ ଜାରି ରଖିଛି ବିଡିଏ। ପୁରୁଣା ଢାଞ୍ଚାରେ କିନ୍ତୁ ଏଣିକି କାମ କଲେ ଚଳିବନି କହି ତାଗିଦ୍ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ପ୍ରତି ଟିପି ସ୍କିମ୍ ଟାଇମଲାଇନରେ ସାରିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ। ତା ସହ ଅଫିସରଙ୍କ ଉପରେ ଉତ୍ତରଦାୟିତ୍ୱ ବି ନ୍ୟସ୍ତ ହୋଇଛି। ବିଳମ୍ୱ ହେଲେ କୈଫୟତ ଦେବାକୁ ପଡ଼ିବ।

ମନ୍ତ୍ରୀଙ୍କ କହିବା କଥା, ଜାଗାର ୪୦ ପ୍ରତିଶତ ଆନୁସଙ୍ଗିକ ଭିତ୍ତିଭୂମି ଲାଗି ଦେଉଥିଲେ ବି ଲୋକ ଅଧିକ ଲାଭରେ ରହୁଛନ୍ତି। ରାସ୍ତା, ଡ୍ରେନ, ସ୍ୱେରେଜ, ବିଜୁଳି ଆଦି ସମସ୍ତ ଭିତ୍ତିଭୂମି ସହ ସାଇଜିଆ ପ୍ଲଟ ପାଉଥିବାରୁ ଟିପି ସ୍କିମ୍ ପ୍ରତି ଲୋକଙ୍କ ଚାହିଦା ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱରରେ ନୁହେଁ। କଟକ, ବ୍ରହ୍ମପୁର, ରାଉରକେଲା ଭଳି ମହାନଗର ନିଗମରେ ବି ଟିପି ସ୍କିମ୍ ଆରମ୍ଭ ହେବ। ଯୋଜନାବଦ୍ଧ ସହର ଗଢ଼ିବାର ମୂଳ ମାପକାଠି ହେବେ ଉଭା ହୋଇଛି ଟାଉନ ପ୍ଲାନିଂ ସ୍କିମ୍। ଟିପି ସ୍କିମ୍ ଲାଗି ହିଁ ବିନା ଜମି ଅଧିଗ୍ରହଣ ଓ କ୍ଷତିପୂରଣ ଝାମେଲାରେ ରିଂ ରୋଡ୍ ବି ସମ୍ଭବପର ହେଉଛି।

ଅହମଦାବାଦ ଢାଞ୍ଚାରେ ହେଉଥିବା ଟିପି ସ୍କିମ ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିବାରେ ଲାଗିଛି। ଟିପି ସ୍କିମ୍ ମଳିପଡା, ଅନ୍ଧାରୁଆ ଓ ଦାସପୁର ଯେହେତୁ ନ୍ୟୁ-ସିଟିର ଏଣ୍ଟ୍ରାନ୍ସ ପଏଣ୍ଟ। ସେଥିଲାଗି ଟିପି ସ୍କିମ୍ ସହ ନ୍ୟୁ-ସିଟିର ସମାନ୍ତରାଳ ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *