ଜନତା ଓ ସରକାରଙ୍କ ଭିତରେ ସେତୁ ହେଉଛନ୍ତି ଜିଲ୍ଲାପାଳ। ସେଥିଲାଗି ତୁରନ୍ତ ନିଷ୍ପତ୍ତି ନେଇ ଯୋଜନା କାର୍ଯ୍ୟକାରୀ କରିପାରିଲେ ଲୋକେ ଉତ୍ତମ ପ୍ରଶାସନକୁ ଉପଲବ୍ଧି କରିପାରିବେ। ଜନପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦିଅନ୍ତୁ। ଏଭଳି ଢଙ୍ଗରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ନିଜର ଅନୁଭୂତି, ଅଭିଜ୍ଞତାରୁ ପ୍ରଶାସନିକ ସ୍ତରର ଅନେକ ତ୍ରୁଟିବିଚ୍ୟୁତିକୁ ସାମ୍ନାକୁ ଆଣି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୋହନ ସରକାରଙ୍କ ଶହେ ଦିନ ଭିତରେ କେତେ ଆକ୍ସନ ହେଲାଣି କହି କଟାକ୍ଷ କରିଛି ବିଜେଡି।
ଲୋକଙ୍କ ସରକାର। ସେଥିଲାଗି ଲୋକଙ୍କ ସହ ସମ୍ପର୍କ ମଝଭୁତ କରିବା ପ୍ରଶାସକଙ୍କ ଗୁରୁଦାୟିତ୍ୱ। କାରଣ ଜନତା ଓ ସରକାରଙ୍କ ଭିତରେ ପ୍ରଶାସନ ସେତୁ। ସେତୁ ଦୁର୍ବଳ ହେଲେ ପୁରା ବ୍ୟବସ୍ଥା ଓ ବିଶ୍ୱାସ ଭୁଷୁଡ଼ିପଡ଼ିବ। ସେଥିଲାଗି ଲୋକକଲ୍ୟାଣ ଲାଗି କରୁଥିବା ସରକାରଙ୍କ ଯୋଜନାକୁ ଅନ୍ତିମ ହିତାଧିକାରୀଙ୍କ ଯାଏ ପହଞ୍ଚାଇବାର ଗୁରୁଭାର ପ୍ରଶାସକଙ୍କ କାନ୍ଧରେ ଥାଏ। ଜନପ୍ରତିନିଧିଙ୍କୁ ଉଚିତ୍ ସମ୍ମାନ ଦିଅନ୍ତୁ। ଫିଲ୍ଡ ଭିଜିଟ୍ କରନ୍ତୁ। କ୍ଷମତାର ଅପବ୍ୟବହାର କରନ୍ତୁନି। ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ଏଭଳି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅପାରଗଙ୍କ ହାତକୁ ସରକାର ଚାଲିଯାଇଥିଲା। କିନ୍ତୁ ସେକାଳ ପଖାଳ ଏବେ ନାହିଁ। ଯାହା ପୂର୍ବ ସରକାରରେ ଥିଲା, ତାହା ବିସର୍ଜନ ହୋଇଯାଇଛି।
ଶିକ୍ଷା, ସ୍ୱାସ୍ଥ୍ୟ, ଜନଜାତିଙ୍କ ଜଙ୍ଗଲ ଅଧିକାରକୁ ଗୁରୁତ୍ୱ ଦେବା, ଧାନ ଚୋରା ଚାଲାଣ ରୋକିବା, ଯୋଜନାର ସଫଳ ରୂପାୟନ ସକାଶେ ବିଭିନ୍ନ ବିଭାଗ ଭିତରେ ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ ହେବନି ବୋଲି ଚରମବାଣୀ ଶୁଣାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନୁଧ୍ୟାନ କରି ଅନିୟମିତତା ଧରନ୍ତୁ ଓ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ, ପୂର୍ବ ସରକାରରେ ଥାନା ଅଧିକାରୀଙ୍କ ଆଚରଣ କେତେ କଠୋର ଥିଲା, ତାହାର ନଜିର ଦେଇ ସେ ନିଜେ ଭୁକ୍ତଭୋଗୀ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଥାନାରେ ଗେଟ୍ ଆଉଟ୍ ଶୁଣିବାକୁ ପଡ଼ିଥିଲା ଆଇଆଇସିଙ୍କଠୁ। ଥାନାକୁ ଯାଉଥିବା ଲୋକଙ୍କୁ ଉଚିତ୍ ବ୍ୟବହାର କର, କଥା ଶୁଣ।
ସେପଟେ ଶହେ ଦିନ ଭିତରେ ମୋହନ ସରକାର କେତେ ଆକ୍ସନ ନେଇଛନ୍ତି ବୋଲି ହିସାବ ମାଗିଛି ବିଜେଡି। ମୋହନ ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଛି।
ନିଜ ଅନୁଭୂତି ଓ ଅଭିଜ୍ଞତାରୁ ପ୍ରଶାସନିକସ୍ତରରେ ହେଉଥିବା ଅନେକ ତୃଟିବିଚ୍ୟୁତିର ନଜିର ଦେଇ ଜିଲ୍ଲପାଳମାନଙ୍କୁ ସଚେତନ କରିଛନ୍ତି ମୁଖ୍ୟମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now