ସିବିଆଇ ତଦନ୍ତ ସପକ୍ଷରେ ନବ ଦାସଙ୍କ ପରିବାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲୋକସେବା ଭବନରେ ଭେଟି ମାମଲାର ସିବିଆଇ ତଦନ୍ତ ଲାଗି ଅନୁରୋଧ କରିଛନ୍ତି ପରିବାର। ମୁଖ୍ୟମନ୍ତ୍ରୀ ବି ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରି ପ୍ରକୃତ ଦୋଷୀକୁ ଖୋଜି ବାହାର କରାଯିବ ବୋଲି କଥା ଦେଇଛନ୍ତି। ନ୍ୟାୟ ମିଳିବାର ଭରସା ଦେଇଥିବାରୁ ପୁରା ପରିବାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ବି ଜଣାଇଛନ୍ତି।
ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମିନତୀ ଦାସଙ୍କୁ ପରାମର୍ଶ ବି ଦେଇଛନ୍ତି। ତେବେ ଏହାକୁ ନେଇ ଯେତିକି ରାଜନୀତି ତେଜିଛି। ତଦନ୍ତ କିଏ କରିବ ବୋଲି ପ୍ରଶ୍ନ ବି ସେତିକି ଉଠିଲାଣି। କାରଣ ସିବିଆଇ ତଦନ୍ତ ଲାଗି ଗୋଟିଏ ପଟେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ସେପଟେ ସମାନ୍ତରାଳ ଭାବେ କ୍ରାଇମବ୍ରାଞ୍ଚ ତାହାର ତନାଘନା ଜାରି ରଖିଛି। ପ୍ରଶ୍ନ ଉଠୁଛି, ତଦନ୍ତ ଯଦି ସିବିଆଇକୁ ଦେବାକୁ ସରକାର ମନସ୍ଥ କଲେଣି। ତାହେଲେ କ୍ରାଇମବ୍ରାଞ୍ଚ କରୁଛି କଅଣ। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ତ କହିଲେଣି, ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଲାଗି ସେ ଚାପ ପ୍ରୟୋଗ କରିବେ। ହତ୍ୟା ଷଡ଼ଯନ୍ତ୍ରର ଖୁଲାସା ହେବା ଦରକାର। ଦୁଇ ବର୍ଷ ପରେ ପରିବାର ସଦସ୍ୟଙ୍କ ଜ୍ଞାନଉଦୟ ହୋଇଛି। ଖଣି, କୋଇଲା, ପରିବହନ ନା ରାଜନୈତିକ ଷଡ଼ଯନ୍ତ୍ରରୁ ହତ୍ୟା ହୋଇଛି, ଗୁମର ଖୋଲିବା ଦରକାର। ବିଜେଡି କହିଛି, ସରକାର ସିବିଆଇ ତଦନ୍ତ କରିବାରେ ଅସୁବିଧା କେଉଁଠି। କିନ୍ତୁ ପରିବାରକୁ ଢାଲ କରି, ପରିବାରର ସହମତିରେ ହିଁ ତଦନ୍ତ ହେବାର ଆଳ ନେଇ କେବଳ ରାଜନୈତିକ ରୋଟି ସେକୁଛନ୍ତି। ସିବିଆଇ ତଦନ୍ତ ସରକାର କଲେ, ତାକୁ ସ୍ୱାଗତ କରିବ ବିଜେଡି। କଂଗ୍ରେସ କହିଛି, ଷଡ଼ଯନ୍ତ୍ରର ଦିଗ ଆଜିଯାଏ ଉନ୍ମୋଚନ ହୋଇପାରିଲାନି। ବିରୋଧୀ ଆସନରେ ଥିଲା ବେଳେ ସିବିଆଇ ତଦନ୍ତ ଲାଗି ଗଳା ଫଟାଉଥିବା ବିଜେପି ଏବେ ସରକାରରେ। ନବୀନ ସରକାରରେ କ୍ରାଇମବ୍ରାଞ୍ଚ ଲଗାଇ ତଦନ୍ତକୁ ଦିଗହରା କରିଦିଆଗଲା। ଏବେ ତା ହେଲେ ମୋହନ ସରକାର ସେଇ କ୍ରାଇମବ୍ରାଞ୍ଚକୁ ଲଗାଇ କଅଣ କରୁଛନ୍ତି। ସମୟ କହିବ, ମୋହନ ସରକାର କଥା କୁହା ନା କାମର ସରକାର। ଆଉ ନବଙ୍କ ପରିବାରର ରାଜନୈତିକ ଅସ୍ତିତ୍ୱ ବି ଏବେ ସଂକଟରେ। ସେଥିଲାଗି ସରକାର ବଦଳିବା ପରେ ବୋଧହୁଏ ନିଜର ବେପାର ସାମ୍ରାଜ୍ୟର ସୁରକ୍ଷାକବଚ ଖୋଜିବାକୁ ରାଜନୈତିକ ସୁରକ୍ଷା ଲୋଡ଼ୁଛନ୍ତି।
ହାଇପ୍ରୋଫାଇଲ ନବ ଦାସ ହତ୍ୟାକାଣ୍ଡରେ ମୁଖ୍ୟ ଓ ଏକମାତ୍ର ଅଭିଯୁକ୍ତ ଭାବେ ଏଏସଆଇ ଗୋପାଳ ଦାସକୁ ଜେଲ୍ ହୋଇଛି। କିନ୍ତୁ ସରକାରଙ୍କ ସିବିଆଇ ତଦନ୍ତ ପ୍ରତିଶୃତି ପରେ ସନ୍ଦେହ ପୁଣି ଉଠିଲାଣି। ଗୋପାଳ ସିନା ମାରିଲେ। କିନ୍ତୁ ଗୋପାଳଙ୍କ ହାତରେ ନବଙ୍କୁ ହତ୍ୟା କରାଇବା ପଛରେ କିଏ ସବୁ ଅଛନ୍ତି ମାଷ୍ଟରମାଇଣ୍ଡ୍। କେଉଁ କାରଣରୁ ସବୁଦିନ ଲାଗି ନବଙ୍କୁ ରାସ୍ତାରୁ ହଟାଇଦିଆଗଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now