ଥମୁନି ରାଜସ୍ଥାନ କଂଗ୍ରେସ ବିବାଦ

Spread the love

ଜୟପୁର:  ଶେଷ ହୋଇଛି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନାମାଙ୍କନ। ନିର୍ବାଚନ ମୈଦାନରେ ଦଳର ଦୁଇ ବରିଷ୍ଠ ନେତା ଶଶୀ ଥରୁର ଓ ମଲିକାର୍ଜ୍ଜୁନ ଖଡଗେ । ନାମାଙ୍କନ ଘୋଷଣା ପରେ କଂଗ୍ରେସ ଭିତରେ ଦେଖାଦେଇଥିବା ଅସ୍ଥିରତାରେ ପୂର୍ଣ୍ଣଛେଦ ପଡିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଥମୁନି ବିବାଦ। ନିଜ ମୁଖ୍ୟମନ୍ତ୍ରୀ ପଦ ପାଇଲଟଙ୍କଠାରୁ ଛଡାଇଆଣିଥିଲେ ବି ଥମୁନି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ରାଗ । ପାଇଲଟଙ୍କ ଉପରେ ଉଦ୍‌ଗାରି ଚାଲିଛନ୍ତି ବିଷ। ସେପଟେ, ନିର୍ବାଚନରେ ପ୍ରତିଯୋଗୀଙ୍କ ମଧ୍ୟରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ଥରୁର।

ହେଲେ କଂଗ୍ରେସରେ ଥମୁନି ବିବାଦ। ମୁଖ୍ୟମନ୍ତ୍ରୀ ପଦରେ କାଏମ ରହିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଷ୍ପତ୍ତି ନେଇ ପାଇଲଟଙ୍କ ସବୁ ସ୍ବପ୍ନରେ ପାଣି ଢାଳିଦେଇଛନ୍ତି। କିନ୍ତୁ ନିଜେ ଥଣ୍ଡା ହେଉ ନାହାନ୍ତି। ଦଳର ସର୍ବୋଚ୍ଚ ପଦ ପାଇଲଟଙ୍କ ପାଇଁ ତାଙ୍କ ହାତରୁ ଚାଲିଯାଇଛି, ଏମିତି କିଛି ଭାବନାରେ ଶୋଇ ପାରୁନାହାନ୍ତି ଯେମିତି ଗେହଲଟ। ତେଣୁ ରବିବାର ସକାଳେ ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ବାଗୀ ବିଧାୟକଙ୍କ ଉପରେ ବିଷୋଦ୍‌ଗାର କରିଛନ୍ତି ଗେହଲଟ। ସେ କହିଛନ୍ତି କି, କଂଗ୍ରେସ ଇତିହାସରେ ପ୍ରଥମ ଘଟଣା କି, ଏକ ଲାଇନର ପ୍ରସ୍ତାବ ପାରିତ ହୋଇପାରିଲାନି। ଏଥିପାଇଁ ସେ ଦୁଃଖ ବ୍ୟକ୍ତ କରିଛନ୍ତି।

ସେ ଆଗକୁ କହିଛନ୍ତି କି, ୨୦୨୦ରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୧୮ ବିଧାୟକମାନଙ୍କ ସହ ହରିୟାଣା ଚାଲିଯାଇଥିଲେ। ସେହି ସମୟରେ ରାଜସ୍ଥାନ ସରକାର ଏକପ୍ରକାର ଭାଙ୍ଗିବା ଅବସ୍ଥାରେ ଥିଲା। କିନ୍ତୁ ପାର୍ଟିର ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ପାଇଲଟ ଫେରିଥିଲେ। ସରକାର ବଞ୍ଚିଯାଇଥିଲା। ସେତେବେଳେ ବିଧାୟକମାନଙ୍କୁ ମୁଁ ଅଭିଭାବକ ରୂପେ କାର୍ଯ୍ୟ କରିବି ବୋଲି କହିଥିଲି। ଯେତେବେଳେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବା ପୂର୍ବରୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ଡୋଟାସରାଙ୍କୁ ବିଧାୟକମାନଙ୍କୁ ବୁଝାଇବାକୁ ପଠାଇଲି ସେତେବେଳେ ବିଧାୟମାନେ ମୋ ପ୍ରତିଶ୍ରୁତିକୁ ନେଇ ଖପ୍ପା ଥିଲେ। ମୁଁ ଦିଲ୍ଲୀ ଚାଲିଗଲେ ସେମାନେ ରାଜ୍ୟରେ ଏକା ପଡିଯିବେ, ଏଇ ଭୟ ସେମାନଙ୍କୁ ଅତିଷ୍ଠ କରୁଥିଲା ବୋଲି ଗେହଲଟ ସାମ୍ବାଦିକଙ୍କୁ କହିଛନ୍ତି।

ଏହା ପୂର୍ବରୁ ଶନିବାର ପାଇଲଟଙ୍କୁ ଟାର୍ଗେଟ କରିବାକୁ ପଛାଇ ନଥିଲେ ଗେହଲଟ।  ଗେହଲଟ ପାଇଲଟ ଗୋଷ୍ଠୀ ଆଡକୁ ଇଙ୍ଗିତ କରି କହିଥିଲେ କି, ସମସ୍ତେ ଜାଣନ୍ତି କି, କିଛି ବିଧାୟକ ଅମିତ ଶାହା, ଜଫର ଇସଲାମ ଓ ଧର୍ମେନ୍ଦ୍ର ପ୍ରଧାନ ସହ ବସିଥିଲେ। ଶାହା ଆମ ବିଧାୟକଙ୍କୁ ମିଠା ଖୁଆଉଛନ୍ତି। ହେଲେ ସତ୍ୟର ହୋଇଛି ବିଜୟ। ସରକାର ବଞ୍ଚାଇଥିବା ବିଧାୟକମାନଙ୍କୁ ଆମେ କିପରି ଭୁଲି ପାରିବା? ମୁଁ କିପରି ସେହି ସହଯୋଗୀ ବିଧାୟକଙ୍କୁ ଭୁଲି ପାରିବି? ମୁଁ ସେମାନଙ୍କ ଅଭିଭାବକ। ଯଦି ହାତ ଗଣତି କିଛି ମୋ ବିରୋଧରେ କହୁଛନ୍ତି ସେଥିରେ ମୋର କିଛି ଯାଉନି। ରାଜ୍ୟରେ ସରକାରକୁ ୫ ବର୍ଷ ପୂରାଇ ନ ଦେବାକୁ ବିଜେପି ରିତିମତ ଚେଷ୍ଟା କରିଆସିଛି। ଆମ ବିଧାୟକମାନେ ବିଜେପି ସହ ଯୋଗସୂତ୍ରରେ ଥିଲେ ସରକାର ଭାଙ୍ଗିବାକୁ।

ଗେହଲଟଙ୍କ ଏପରି ବୟାନରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି, ଏବେ ମଧ୍ୟ ଗେହଲଟଙ୍କ ରାଗ ପାଇଲଟଙ୍କୁ ନେଇ ଥମିନି। ସେ ସରକାର ବଞ୍ଚାଇବାକୁ ଅଧ୍ୟକ୍ଷ ପଦକୁ ଏଡାଇ ଦେଇଥିଲେ, ନାଁ ମୁଖ୍ୟମନ୍ତ୍ରୀ ପଦ ସଚିନ ପାଇଲଟଙ୍କ ହାତକୁ ଚାଲି ନ ଯାଉ ସେଥିପାଇଁ ରାଜ୍ୟ କଂଗ୍ରେସରେ ସୃଷ୍ଟି କରିଥିଲେ ଅସ୍ଥିରତା ତାହା ସର୍ବବିଦିତ। ଗେହଲଟଙ୍କୁ ସୋନିଆ ଅଧ୍ୟକ୍ଷ ପଦ ପାଇଁ ମନୋନିତ କରିଥିଲେ। କାରଣ ଗେହଲଟ ଥିଲେ ଦଳର ଜଣେ ବରିଷ୍ଠ, ଅଭିଜ୍ଞତା ସମ୍ପନ୍ନ ନେତା। ତଥା ସୋନିଆ ତଥା ନେହରୁ ଗାନ୍ଧୀ ପରିବାରର ବିଶ୍ବସ୍ଥ। ସେପଟେ ଗେହଲଟ ଅଧ୍ୟକ୍ଷ ପଦ ସହ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ସକ୍ଷମ ଥିବା ମଧ୍ୟ କହିଥିଲେ। ଗେହଲଟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ସହ ଦେଶବ୍ୟାପୀ ସର୍ବୋଚ୍ଚ ପଦରେ ଆସିନ୍ନ ହେବାର ସ୍ବପ୍ନ ଦେଖିଥିଲେ। ହେଲେ ତାଙ୍କ ଏହି ସ୍ବପ୍ନ ପୂରା କରିବାକୁ ଦେଇ ନ ଥିଲେ ରାହୁଲ । ରାହୁଲ ଉଦୟପୁର ଶିବିରରେ ଦଳର ନିଷ୍ପତ୍ତି ଜଣେ ବ୍ୟକ୍ତି ଗୋଟିଏ ଆସନ କଥା ମନେ ପାଇବା ସହ ଅଧ୍ୟକ୍ଷ ପଦ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ।

କିନ୍ତୁ ଗେହଲଟଙ୍କୁ ଘାରିଥିଲା ମୁଖ୍ୟମନ୍ତ୍ରୀ ପଦ ପାଇଲଟଙ୍କ ହାତକୁ ଚାଲିଯିବା ଭୟ। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପାଇଲଟ ହିଁ ହୋଇଥାନ୍ତେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। କାରଣ ପାଇଲଟଙ୍କୁ ରହିଛି ରାହୁଲ ଓ ପ୍ରିୟଙ୍କାଙ୍କ ସମର୍ଥନ। ରାହୁଲଙ୍କ ସହ ପାଇଲଟ ମଧ୍ୟ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିଲେ। ସେପଟେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ। ଅନ୍ୟପଟେ ରାଜସ୍ଥାନରେ ତାଙ୍କ ବିଧାୟକଙ୍କ ଦ୍ବାରା ସୃଷ୍ଟି ହୋଇଥିଲା ହଟଚମଟ। ସମର୍ଥକଙ୍କ ସାମୂହିକ ଇସ୍ତଫା ଦଳ ସୁପ୍ରିମୋଙ୍କୁ ପକାଇ ଦେଇଥିଲା ଅଡୁଆରେ। ୨୦୨୦ରେ ଯେଉଁମାନେ ଦଳ ସହ ବିଶ୍ବାସଘାତକତା କରିଥିଲେ ସେମାନଙ୍କ ହାତକୁ ମୁଖ୍ୟମନ୍ତ୍ରୀ ପଦ ଯିବାକୁ ଘୋର ବିରୋଧ କରିଥିଲେ ଗେହଲଟ ସମର୍ଥକ।

ବିଧାୟକଙ୍କ ଏପରି ଆଚରଣରେ ଅପମାନିତ, କ୍ରୋଧାନ୍ବିତ ହୋଇଥିଲେ ପର୍ଯ୍ୟବେକ୍ଷକଦ୍ବୟ। ରାଜସ୍ଥାନରେ ଯାହା କିଛି ହୋଇଥିଲା ତାହା ଗେହଲଟଙ୍କ ଇଙ୍ଗିତରେ ହୋଇଥିବା ରାଜନୈତିକ ବିଶେଷଜ୍ଞଙ୍କୁ ମଧ୍ୟ  ହୃଦୟଜ୍ଞମ ହୋଇଥିଲା। ତେଣୁ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ତଥା ରାଜ୍ୟର ରାଜନୈତିକ ସଂକଟକୁ ନେଇ ଦଳର ଅନ୍ତରୀଣ ଅଧ୍ୟକ୍ଷା ମଧ୍ୟ ଅସନ୍ତୁଷ୍ଟ ଥିଲେ ଗେହଲଟଙ୍କ ଉପରେ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପଦର ଲାଳସା, ଅନ୍ୟପଟେ ହାଇକମାଣ୍ଡଙ୍କ କ୍ରୋଧ ଅଧ୍ୟକ୍ଷ ପଦ ଲଢିବାର ସବୁ ବାଟ ବନ୍ଦ କରିଦେଇଥିଲା। ହୁଏତ ଏହାକୁ ନେଇ ପୁଣି ଗେହଲଟଙ୍କ ରାଗ ପଞ୍ଚମରେ। ପାଇଲଟ ହିଁ ସବୁ ବେଳେ ତାଙ୍କ ବାଟରେ କଣ୍ଟା ହେଉଛନ୍ତି  ଗେହଲଟଙ୍କ ବାଟରେ।

Leave a Reply

Your email address will not be published. Required fields are marked *