ବଦଳିଲା ପଞ୍ଚାୟତିରାଜ ଦିବସ-ତେଜିଲା ରାଜନୀତି

ପୁରୀ ତାଳବଣିଆଠାରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ। ୧୩ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ପଞ୍ଚାୟତରାଜ ଦିବସ ଦିନ ହିଁ ଓଡ଼ିଶାରେ ରାଜ୍ୟସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ ହୋଇଛି। ୬ ଲକ୍ଷ ହିତାଧିକାରୀ ଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ, ପିପିଏମଏସ ପୋର୍ଟାଲ ଉନ୍ମୋଚନ, ୬୧୩ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ,୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନକରାଯାଇଛି । ସେହିଭଳି ୨ ଲକ୍ଷରୁ ଉର୍ଦ୍ଧ୍ଵ ନୂତନ ସୁଭଦ୍ରା ହିତାଧିକାରୀ ଙ୍କୁ ୨ଶହ କୋଟି ପ୍ରଦାନ କରାଯାଇଛି। ୪୧୨୪ କୋଟି ଟଙ୍କା ମୂଲ୍ୟର ୩୧୪ ଟି ବ୍ଲକ ସ୍ତରୀୟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି  । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୩ କିଲୋ ୱାଟ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଛି। ଭଲ କାମ ପାଇଁ ଅସ୍ତରଙ୍ଗ ବ୍ଲକର ଏକ ପଞ୍ଚାୟତକୁ ପୁରସ୍କୃତ କରାଯାଇଛି।

ଓଡ଼ିଶା ପ୍ରଦେଶ ୮୦ ଭାଗ ଲୋକେ ଗାଁରେ ରୁହନ୍ତି । ଗାଁରେ ଅଧିକ ରୁ  ଅଧିକ ସୁବିଧା କିଭଳି ପହଞ୍ଚିବ ତାହା ପଞ୍ଚାୟତିରାଜ ଦିବସ ପାଳନର ଉଦ୍ଦେଶ୍ୟ ବୋଲି ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି। ଗତ ସରକାର ରାସ୍ତା, ପାଣି, ସରକାରୀ ସୁବିଧା କିଭଳି ପହଞ୍ଚିବ ସେ ଦିଗରେ କାମ କରିନଥିଲେ । ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଗାଁ ବ୍ୟକ୍ତି, ପରିବାର ଏବଂ ପଞ୍ଚାୟତ ସୁଦୃଢ଼ ହେବାର ସୋପାନ ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ କହିଛନ୍ତି।   ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ୬ଲକ୍ଷ ନୂତନ ରାସନ କାର୍ଡଧାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି । ଯେଉଁମାନେ ମୃତ୍ୟୁବରଣ କରିଛନ୍ତି କିମ୍ବା ପାଇବାକୁ ଅଯୋଗ୍ୟ ସେମାନଙ୍କୁ ଯୋଜନାରୁ ବାଦ୍ ଦିଆଯାଇଛି। ଇ କେ ୱାଇ ସି ମାଧ୍ୟମରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରାଯାଇଛି ।

ସେପଟେ ଆଜି ପଞ୍ଚାୟତିରାଜ ଦିବସ ପାଳନ ନେଇ ବିଜେଡିର ପ୍ରତିକ୍ରିୟା। ସରକାରଙ୍କର ଏଭଳି ଆଭିମୁଖ୍ୟ ବିଜୁ ବାବୁଙ୍କ ପ୍ରତି ଅପମାନ। ଓଡ଼ିଶାବାସୀଙ୍କ ପ୍ରତି ଅପମାନ। ପୂର୍ବରୁ ମାର୍ଚ୍ଚ ୫ ରେ ପାଳନ ହେଉଥିଲା ପଞ୍ଚାୟତିରାଜ ଦିବସ। ନୂଆ ସରକାର ଆସିବା ପରେ କ୍ୟାଲେଣ୍ଡରରେ ମାର୍ଚ୍ଚ ୫ ଉଲ୍ଲେଖ ଥିଲା। କିନ୍ତୁ ଅଚାନକ ତାରିଖ ପରିବର୍ତ୍ତନ କରିଥିଲେ ସରକାର। ସରକାରଙ୍କ ବଚନ ଓ ଆଚରଣ ଭିତରେ ବହୁତ ପାର୍ଥକ୍ୟ ରହିଛି।

ସ୍ୱାଧୀନ ଭାରତର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସରକାର ୧୯୫୩ ମସିହାରେ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ଅନେକ ସଂଶୋଧନ, ପରିବର୍ତ୍ତନ ଓ ପରୀକ୍ଷା ନିରୀକ୍ଷା ପରେ ୧୯୯୨ ଏପ୍ରିଲ ୨୪ରେ ସମ୍ବିଧାନର ୭୩ତମ ସଂଶୋଧନ ବଳରେ ଏହି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ ହେଲା। ସେଥିପାଇଁ ଏପ୍ରଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି। କିନ୍ତୁ ଓଡ଼ିଶାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହୋଇଆସୁଥିଲା। ହେଲେ ଚଳିତ ଥର ଠାରୁ ଏପ୍ରିଲ ୨୪ରେ ପାଳନ ହେବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର। ଯାହାକୁ ନେଇ ତେଜିଥିଲା ରାଜନୀତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *