ପାର୍ଟପ୍ଲଟ୍‌ କେଳେଙ୍କାରୀ-ଆକ୍ସନ ମୁଡରେ ସରକାର

ପାର୍ଟ-ପ୍ଲଟ୍ କେଳେଙ୍କାରୀରେ ଆକ୍ସନ ମୁଡ୍‌ରେ ସରକାର। ପ୍ରଥମ ଚୋଟ ପଡ଼ିଲା ଖଣ୍ଡଗିରି ସବ-ରେଜିଷ୍ଟ୍ରାର ବିଶ୍ୱଜିତ ପ୍ରଧାନଙ୍କ ଉପରେ। କଟକଣା ସମୟରେ ୪ହଜାରରୁ ଉର୍ଦ୍ଧ୍ୱ ପାର୍ଟ-ପ୍ଲଟ କିଣାବିକା ହୋଇଥିଲା। ବିଶ୍ୱଜିତଙ୍କୁ ସରକାର ନିଲମ୍ୱିତ କରିଛନ୍ତି। ନିଲମ୍ୱନ ଅବଧି ଭିତରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ କାମ କରିବେ ବିଶ୍ୱଜିତ୍। ଗତବର୍ଷ ଡିସେମ୍ୱର ୯ରେ ଖଣ୍ଡଗିରି ସବରେଜିଷ୍ଟ୍ରାରଙ୍କ ଅଫିସର କନିଷ୍ଠ କିରାଣୀ ଦେବଯାନୀ କର ପାର୍ଟ-ପ୍ଲଟ୍ ରେଜିଷ୍ଟ୍ରେସନ ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଚଢାଉ କରି ଭିଜିଲାନ୍ସ ଜବତ କରିଥିବା ୧୫ଲକ୍ଷ ନଗଦ ରାଶି କାହା ଲାଗି ଉଦ୍ଦିଷ୍ଟ ଥିଲା, ଏହାର ଖୋଳତାଡ଼ ଚାଲିଥିଲା। ତଳିଆ କର୍ମଚାରୀଙ୍କ ଜରିଆରେ ମୋଟାଅଙ୍କର ଅର୍ଥ ନେଇ କେବଳ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ନୁହଁନ୍ତି। ତାଙ୍କ ସମେତ ଏଭଳି ୩୧ ଅଧିକାରୀଙ୍କ ତାଲିକା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପାଖରେ ପହଞ୍ଚିଥିଲା। ସେତେବେଳେ ମନ୍ତ୍ରୀ କହିଥିଲେ, କଟକଣା ସମୟରେ ୨୨ହଜାର ୧୫୦ ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ ହୋଇଥିଲା। କେଉଁ ନିୟମ ଆଧାରରେ ଏ ସବୁ ପଞ୍ଜୀକରଣ ହେଲା। ଜରୁରୀକାଳୀନ ସମୟରେ ନିଜ ଜମିର କିଛି ଅଂଶ କିଣାବିକା କରିନପାରି ହନ୍ତସନ୍ତ ହେଉଛନ୍ତି ଲୋକେ। ନିୟମ ତ ସମସ୍ତଙ୍କ ଲାଗି ସମାନ। ଯଦି କରିବା କଥା ସମସ୍ତଙ୍କର ହୋଇଥାଆନ୍ତା। କିନ୍ତୁ ଯିଏ ହାତଗୁଞ୍ଜା ଦେଲା, ତାହାର କେମିତି ହେଲା କହି ରିପୋର୍ଟ ତଲବ କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆଉ ଏହାକୁ ଅନୁଧ୍ୟାନ କରିବା ପରେ ଆକ୍ସନ ନିଶ୍ଚିତ ବୋଲି କହିଥିବା ପୂଜାରୀ ଶେଷରେ ଆଗ ଖଣ୍ଡଗିରି ସବ୍‌-ରେଜିଷ୍ଟ୍ରାରଙ୍କ ଉପରେ ଆକ୍ସନ ନେଲେ।

ଜଟଣୀରେ ସର୍ବାଧିକ ୭ହଜାର୩ଶହ, ଭୁବନେଶ୍ୱରରେ ୭ହଜାର୨ଶହ, ଖଣ୍ଡଗିରିରେ ୪ହଜାର୫ଶହ, ଖୋର୍ଦ୍ଧାରେ ୧୩ଶହ, ବାଲିପାଟଣାରେ ୮୮୬ ଓ ବାଲିଅନ୍ତାରେ ୪୫୩ଟି ପାର୍ଟ-ପ୍ଲଟ୍ ପଞ୍ଜୀକୃତ ହୋଇଥିଲା। ପାର୍ଟ-ପ୍ଲଟ ବିକ୍ରି ଉପରେ ୨୦୨୨ରେ କଟକଣା ଲାଗିଥିଲା। ୨୦୨୨ରୁ ୨୦୨୪ ଭିତରେ କେଉଁ ଅଫିସ କେତେ ପାର୍ଟ-ପ୍ଲଟ ପଞ୍ଜୀକୃ କରିଛନ୍ତି, ତଥ୍ୟ ତଲବ ପରେ ପ୍ରଥମ ଆକ୍ସନ ନେଇଛନ୍ତି ସରକାର। ଲୋକଙ୍କ ସମସ୍ୟାକୁ ଦେଖି ପାର୍ଟ-ପ୍ଲଟ୍ ରେଜିଷ୍ଟ୍ରେସନ କୋହଳ କରିବାକୁ ସରକାର ଯୋଜନା କରିଛନ୍ତି। ନଗର ଉନ୍ନୟନ, ରାଜସ୍ୱ ଓ ଆଇନ ବିଭାଗ ମିଳିତ ଭାବେ ଏହାର ସମାଧାନ ଲାଗି ଅନେକ ଥର ବିଚାରବିମର୍ଶ କରିସାରିଲେଣି। ପାର୍ଟ-ପ୍ଲଟ୍ ରେଜିଷ୍ଟ୍ରେସନ ବି ଚାଲିବ ଆଉ ତା ସହ ସମାନ୍ତରାଳ ଭାବେ ଆକ୍ସନ ବି ଜାରି ରହିବ। ପାର୍ଟ-ପ୍ଲଟ ପଞ୍ଜୀକରଣ କେଳେଙ୍କାରୀ ନେଇ ରାଜସ୍ୱ ମନ୍ତ୍ରୀଙ୍କୁ ଆଗ ଓଡ଼ିଶା ବିକାଶ ଅଭିଯାନ ୧୦ଟି ଦଲିଲ ପ୍ରମାଣସ୍ୱରୂପ ଦେଇ ସମସ୍ତ ସବ-ରେଜିଷ୍ଟ୍ରାର ଅଫିସର ଗୁମର କଥା ଖୋଲିଥିଲା। ବିଡିଏ ଲେଆଉଟ୍ ଆପ୍ରୁଭାଲ ଦେଉନଥିଲା। ଏହା ଲୋକଙ୍କୁ ଶୋଷଣ ଲାଗି ସବ-ରେଜିଷ୍ଟ୍ରାର ଅଫିସକୁ ବଡ଼ ସହାୟକ ସାଜିଥିଲା।

ଲୋକେ ଜରୁରୀକାଳୀନ ସମୟରେ ଜମିର ଖଣ୍ଡେ ଅଂଶ ବିକି ନପାରି ହଇରାଣ ହରକତ ହେଉଛନ୍ତି। କିଣାବିକା କଟକଣାରୁ ସରକାର ବି କୋଟି କୋଟି ଟଙ୍କାର ରାଜସ୍ୱ ହରାଇଲେଣି। ଆଉ ସେପଟେ ଅଧିକାରୀଙ୍କ ପକେଟ କିନ୍ତୁ ଗରମ ହେବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *