ସୋନିଆଙ୍କ ପରାମର୍ଶରେ ଦଳ ନିଶ୍ଚିତ ଆଗକୁ ବଢ଼ିବ: ଖଡଗେ

Spread the love

() ଦୀର୍ଘ ବର୍ଷ ଧରି କଂଗ୍ରେସ କମାଣ୍ଡ ସମ୍ଭାଳିଥିଲେ ସୋନିଆ ଗାନ୍ଧୀ। ଆଉ ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ ଭାବେ ମଲ୍ଲିକାର୍ଜୁନ ଖଡଗେ ଆଜିଠୁ ଏହି ପଦ ସମ୍ଭାଳିଛନ୍ତି। ତେବେ ଏଆଇସିସି ମୁଖ୍ୟାଳୟରେ ଦାୟିତ୍ୱ ହସ୍ତାନ୍ତର ପରେ ବେଶ୍ ଆଶ୍ୱସ୍ତ ଓ ହାଲୁକା ଅନୁଭବ କରିଥିବା କଥା ସୋନିଆ କହିଥିଲା ବେଳେ ସୋନିଆ ଆଜି ବି ଦାୟିତ୍ୱରୁ ମୁକ୍ତ ହୋଇନାହାନ୍ତି କହି ଦଳ ସ୍ପଷ୍ଟ ସଙ୍କେତ ଦେଇସାରିଛି। ସୋନିଆଙ୍କୁ ସର୍ବସମ୍ମତକ୍ରମେ ଦଳର ମାର୍ଗଦର୍ଶକ ଭାବେ ପ୍ରସ୍ତାବ ପାରିତ ହୋଇଛି।

ବିନା ଗାନ୍ଧୀ ପରିବାରର ସହଯୋଗ ଓ ଟ୍ୟାଗଲାଇନରେ କଂଗ୍ରେସର ଅସ୍ତିତ୍ୱ ସଂକଟରେ। ଏ କଥା ଆଜି ବି ଦଳ ସ୍ପଷ୍ଟ ଭାବେ ଜଣାଇଦେଇଛି। ସୋନିଆଙ୍କ ବଳିଷ୍ଠ ନେତୃତ୍ୱ, ସମର୍ପଣ, ତ୍ୟାଗ ଓ ସର୍ବୋପରି ସତ୍ତା ପାଇଁ ନୁହେଁ, ବରଂ ସତ ପାଇଁ ନିରନ୍ତର ଲଢ଼େଇ। ଆଉ ରାହୁଲଙ୍କ ଜନତାକୁ ଦଳ ସହ ବାନ୍ଧି ରଖିବାକୁ ଭାରତ ଯୋଡ଼ ଯାତ୍ରା ଭଳି ଐତିହାସିକ ପଦକ୍ଷେପକୁ ଭୁରି ଭୁରି ପ୍ରଶଂସାରେ ଶତମୁଖ ହୋଇପଡ଼ିଥିଲା ଏଆଇସିସି ମୁଖ୍ୟାଳୟ। ବିଦାୟୀ ସଭାପତି ସୋନିଆ ଗାନ୍ଧୀଙ୍କୁ ଦଳର ମାର୍ଗଦର୍ଶକ ଭୂମିକାରେ ରଖିବାକୁ ପାରିତ ପ୍ରସ୍ତାବ ବେଳେ ଏଆଇସିସି ଅଫିସ ତାଳିମାଡ଼ ଓ ସୋନିଆ ଗାନ୍ଧୀ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା।

ସେପଟେ ସୋନିଆ କହିଛନ୍ତି, ସେ ଦୀର୍ଘବର୍ଷ ପରେ ଦାୟିତ୍ୱମୁକ୍ତ ହୋଇ ବେଶ୍ ଆଶ୍ୱସ୍ତ ଓ ହାଲୁକା ଅନୁଭବ କରୁଛନ୍ତି। ଖଡଗେଙ୍କ ଭଳି ଜଣେ ଦକ୍ଷ, ଅନୁଭବୀ ଓ ମାଟି ସହ ଯୋଡ଼ି ହୋଇଥିବା ନେତାଙ୍କୁ ବିବେକାନୁମୋଦିତ ଭୋଟ ବଳରେ ଦଳର ସର୍ବୋଚ୍ଚ ପଦବୀରେ ବସାଇଥିବାରୁ ସାଧୁବାଦ ଜଣାଇଛନ୍ତି। ଦଳ ଯେଭଳି ତାଙ୍କୁ ସମ୍ମାନ ଓ ସ୍ନେହ ଦେଇଆସିଛି, ସେ ଜୀବନର ଶେଷନିଃଶ୍ୱାସ ଯାଏ ଭୁଲିବେନି ବୋଲି କହିଛନ୍ତି ସୋନିଆ। ପରିବର୍ତ୍ତନ ଯେଭଳି ସଂସାରର ନିୟମ , ଠିକ୍‌ ସେଭଳି ଦଳ ସାମ୍ନାରେ ଅନେକ ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବାକୁ ହେବ ବୋଲି ଆହ୍ୱାନ ଦେଇଛନ୍ତି ସୋନିଆ। ଦେଶ ସାମ୍ନା କରୁଥିବା ଲୋକତାନ୍ତ୍ରିକ ମୂଲ୍ୟବୋଧର ସଙ୍କଟକୁ ରକ୍ଷା କରିବାକୁ ହେବ। କଂଗ୍ରେସ ଆଗରେ ଅନେକ ସଙ୍କଟ ଆସିଛି। ହେଲେ ଦଳ କେବେ ହାରି ମାନିନି। ଏବେ ବି ସେହି ଜୋସରେ ଆଗକୁ ବଢ଼ିବାକୁ ହେବ ବୋଲି କହିଛନ୍ତି ସୋନିଆ। ସେଥିଲାଗି ଏକତା, ମଝଭୁତ ସଂଗଠନ ଓ ପକ୍କା ସଂକଳ୍ପ ନେବାକୁ ହେବ ବୋଲି ବିଦାୟୀ ସଭାପତି ପରାମର୍ଶ ଦେଇଛନ୍ତି। ସେପଟେ ସୋନିଆଙ୍କ ପରାମର୍ଶ ଓ ବ୍ଲୁପ୍ରିଣ୍ଟକୁ ଧରି ଦଳ ନିଶ୍ଚିତ ଆଗକୁ ବଢ଼ିବ ବୋଲି କଥା ଦେଇଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ।

ଦୀର୍ଘ ୨୪ ବର୍ଷ ପରେ ଅଣଗାନ୍ଧୀ ପରିବାରରୁ ଜଣେ ଦଳର ସର୍ବୋଚ୍ଚ ପଦବୀରେ ବସିଲେ। ଦଳ ଏବେ ନିଜର ଅସ୍ତିତ୍ୱ ରକ୍ଷା ଲାଗି ଏକପ୍ରକାର ସଂଘର୍ଷ କହୁଛି କହିଲେ ଚଳେ। ଏଭଳି ସ୍ଥିତିରେ ଖଡଗେ ଓ ଗାନ୍ଧୀ ପରିବାରର ପରାମର୍ଶରେ ଦଳ ଆଗକୁ କେତେ ବଢ଼ୁଛି, ତାକୁ ନେଇ ସମସ୍ତଙ୍କ ନଜର।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *