ଶିକ୍ଷକ ଛାତ୍ର ଅନୁପାତିକ ହାରରେ କେବେ ସୁଦ୍ଧା ସମାନତା ଆଣିବେ ସରକାର। ଅଧିକା ପିଲା ଥିବା ସ୍କୁଲରେ ଶିକ୍ଷକ କମ୍ ଥିଲା ବେଳେ କମ୍ ପିଲା ଥିବା ସ୍କୁଲରେ ଅଧିକା ଶିକ୍ଷକ କାହିଁକି। ଏମିତି ଅସମାନତା ଶିକ୍ଷା ବ୍ୟବସ୍ଥାକୁ କୁଠାରଘାତ କରୁଛି। ବଦଳି ନୀତିରେ ବି କୌଣସି ସ୍ପଷ୍ଟତା ରଖାଯାଉନି। ଏ ସବୁ ଅବ୍ୟବସ୍ଥାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଘେରିଥିଲେ ଦଳମତ ନିର୍ବିଶେଷରେ ସଭ୍ୟ। ସେପଟେ ମନ୍ତ୍ରୀ ଗୃହରେ କଥା ଦେଇଛନ୍ତି, ଖୁବ୍ ଶୀଘ୍ର ରାସନାଇଲେଜସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।
କେଉଁଠି କମ୍ ପିଲାରେ ଅଧିକ ଶିକ୍ଷକ। କେଉଁଠି ପିଲା କମ୍, ଶିକ୍ଷକ ହାଉଯାଉ। ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏମିତି ଅସମାନତା ଶିକ୍ଷା ବ୍ୟବସ୍ଥାକୁ ଠପ୍ କରିଦେଲାଣି। ଏଥିରେ ସମାନତା ଅଣାଯାଉ। ରାସନାଇଲେଜସନ ବ୍ୟବସ୍ଥାରେ ଅଧିକ ସଂଖ୍ୟକ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳି କରି ଅଧିକ ସଂଖ୍ୟକ ପିଲାଥିବା ସ୍କୁଲରେ ନିଯୁକ୍ତି ଦିଆଯାଉ। ତା ହେଲେ ଯାଇ ଶିକ୍ଷାଦାନ ବ୍ୟବସ୍ଥିତ ହୋଇପାରିବ। ଏହା ସହ ବଦଳି ନୀତିରେ ବି ସଂସ୍କାର ଓ ସୁଧାର ଆସିବା ଦରକାର। ନିକଟରେ ଯଦିଓ ୧୬ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ ଲାଗି ସରକାର ପ୍ଲେସ୍ ଅଫ ପୋଷ୍ଟିଂ ଓ ଚଏସ ଲକିଂ କଲେଣି। କିନ୍ତୁ ଦୀର୍ଘ ଦିନ ହେଲା ଦୁର୍ଗମ ଓ ଦୂରରେ କାର୍ଯ୍ୟରତ ଶିକ୍ଷକଙ୍କୁ ଆଗ ନିକଟସ୍ଥ ସ୍କୁଲକୁ ବଦଳି କରିବା ପରେ ହିଁ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଓ ସେମାନଙ୍କ ସ୍କୁଲ ନିରୂପଣ ହେଉ। ଆଉ କିଏ କହିଥିଲେ, ସ୍ଥାନୀୟ ଭିତ୍ତିରେ ନିଯୁକ୍ତି ଦିଆଯାଉ। ବାହାର ଜିଲ୍ଲାର ଶିକ୍ଷକ ଧରାଧରି କରି ବଦଳି ପରେ ପଦବୀ ଖାଲି ପଡ଼ୁଛି। ଅନେକ ହେଡକ୍ୱାର୍ଟରକୁ ଡେପୁଟେସନରେ ଯାଇ ଆଉ ମୂଳ ସ୍କୁଲକୁ ଫେରିବାର ନାଁ ଧରୁନାହାନ୍ତି। ଦଳମତ ନିର୍ବିଶେଷରେ ଶିକ୍ଷକ ଅଭାବ, ବଦଳି ନୀତିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଘେରିଥିଲେ ସଭ୍ୟ।
ସେପଟେ ମୌଳିକ ପ୍ରଶ୍ନର ଉତ୍ତରରେ ଅଡ଼ି ବସିଥିଲେ ବିଜେଡି ବିଧାୟକ ପ୍ରତାପ ଦେବ। ଚଳିତ ବର୍ଷରୁ ରାସନାଇଲେଜସନ ବ୍ୟବସ୍ଥା ଆରମ୍ଭ କରିବେ କି ନାହିଁ ବୋଲି ପଚାରିବାରୁ ମନ୍ତ୍ରୀ ସ୍ପଷ୍ଟ କରିଥିଲେ, ଚଳିତବର୍ଷରୁ ହିଁ ରେସନାଇଲେଜସନ ଆରମ୍ଭ ହେବ। ଅସୁସ୍ଥତା, ମ୍ୟୁଚୁଆଲ୍ ମାମଲା ଓ ଦମ୍ପତ୍ତି ଶିକ୍ଷକ ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ ଆବଶ୍ୟକତାକୁ ଦେଖି ବଦଳି ନିଷ୍ପତ୍ତି ନିଆଯାଉଛି। ଜିଲ୍ଲାସ୍ତରର କମିଟି ଏହାର ବିଚାର କରୁଛି।
ଶିକ୍ଷକ ଅଭାବ, ଛାତ୍ର-ଶିକ୍ଷକ ଅନୁପାତିକ ହାରରେ ଅସମାନତା ଦୂର କରି ବଦଳୀ ନୀତିରେ ସ୍ୱଛତା ଆଣିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ଗୃହରେ କଥା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
Naxatra News is now on Whatsapp
Join and get latest news update delivered to you via whatsapp
Join Now