ମନ୍ତ୍ରୀଙ୍କ ମହାନୀୟତା : ବିରୋଧୀଙ୍କୁ ପ୍ରଶଂସା

ବିରୋଧୀ ଦଳ ଯାହା କହୁଛନ୍ତି, ସେମାନେ ଜନତାର ସ୍ୱାର୍ଥ ସକାଶେ କହୁଛନ୍ତି। ସବୁ କଥାରେ ରାଜନୀତି କାହିଁକି ଖୋଜିବା। ବିରୋଧୀଙ୍କ ପ୍ରସ୍ତାବକୁ ସରକାର ସକରାତ୍ମକ ଢଙ୍ଗରେ ବିଚାର କରିବାର ଆବଶ୍ୟକତା ଅଛି। ଏନଏସି ମାନ୍ୟତା ନେଇ ଗଲା ସରକାର କରିଥିବା ଘୋଷଣାର କାର୍ଯ୍ୟକାରିତା କେତେ ବାଟ ଗଲା କହି ନଗର ଉନ୍ନୟନ ମନ୍ତ୍ରୀଙ୍କୁ ବିରୋଧୀ ଘେରିଥିଲେ ବି, ମନ୍ତ୍ରୀଙ୍କ ଏଭଳି ଢଙ୍ଗରେ ଉତ୍ତର ଦେଖି ତାଜୁବ୍ ହୋଇଯାଇଥିଲେ ସଦସ୍ୟଗଣ। ତେବେ କେମିତି ଥିଲା ଗୃହର ବାତାବରଣ, ଦେଖନ୍ତୁ ଏହି ରିପୋର୍ଟରେ।

(ଭିଓ୧) ଏନଏସି ମାନ୍ୟତା ଦିଆଯିବ ବୋଲି କହିଥିଲେ ଗଲା ସରକାର। ଏହା କେତେବାଟ ଗଲା। ୫୭ ନୂଆ ଏନଏସିକୁ ମାନ୍ୟତା ଦେବା ଉପରେ ନଗର ଉନ୍ନୟନ ବିଭାଗ କଅଣ କରୁଛି। ମାନ୍ୟତା ଦିଆଯିବ କି ନାହିଁ। ସ୍ପଷ୍ଟ କରନ୍ତୁ ସରକାର। ଜିଲ୍ଲାପାଳଙ୍କ ପ୍ରସ୍ତାବ କଅଣ ଏଯାଏ ଆସିନି। ଜନତାଙ୍କ ଆବେଗ ସହ କାହିଁକି ଖେଳୁଛନ୍ତି ସରକାର। ପ୍ରଶ୍ନ କାଳରେ ଏନଏସି ମାନ୍ୟତା ନେଇ ବିଶେଷ କରି ବିରୋଧୀ ଦଳ ସଦସ୍ୟ ଏମିତି ଗୁଡ଼ାଇତୁଡ଼ାଇ ପଚାରିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ। ଆଉ ବିରୋଧୀଙ୍କୁ ଯେଭଳି ଅନ୍ୟ ମନ୍ତ୍ରୀ ମାନେ ଅତୀତ ସରକାରର ଗୋହି ଖୋଳି ଟାର୍ଗେଟ କରିଆସିଛନ୍ତି। ସେମିତି କିଛି ନ କରି ଏନଏସିର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ ଉତ୍ତର ରଖିଥିଲେ ମନ୍ତ୍ରୀ। ଆଉ ତା ସହ ଯୋଡ଼ିଥିଲେ, ବିରୋଧୀ ଦଳର ସମସ୍ତ ପ୍ରସ୍ତାବ ଓ ପରାମର୍ଶକୁ ମୋହନ ସରକାର ସକରାତ୍ମକ ମାନସିକତାର ସହ ଗ୍ରହଣ କରିବେ। ଏନଏସି ମାନ୍ୟତା ଦେବାକୁ ଯାହା ମାନଦଣ୍ଡ ରହିଛି, ତାହା ଯଦି ପୂରଣ ହେଉଥିବ, ତେବେ ଏନଏସି ମାନ୍ୟତା ଦେବାକୁ ବିଚାର କରାଯିବ।

ମୂଳ ପ୍ରଶ୍ନକର୍ତ୍ତା ସଞ୍ଜିବ ମଲ୍ଲିକ ବନ୍ତକୁ ଏନଏସି ମାନ୍ୟତା କେବେ ଦିଆଯିବ ବୋଲି କହୁ କହୁ ଆମ ପ୍ରିୟ ପ୍ରଧାନମନ୍ତ୍ରୀ କହିଥିଲେ। ଆଉ ଏହାକୁ ହସି ହସି ଗ୍ରହଣ କରିଥିଲେ ମନ୍ତ୍ରୀ ମହାପାତ୍ର। ମନରେ ଥାଉ କି ନଥାଉ, ପ୍ରିୟ ପ୍ରଧାନମନ୍ତ୍ରୀଙ୍କ କାମକୁ ପ୍ରଶଂସା କଲେ। ଏ ସରକାର ଜନତାଙ୍କ ସରକାର। କାହାପ୍ରତି ଭେଦଭାବର ପ୍ରଶ୍ନ ଉଠୁନି। କାରଣ ବିଧାୟକମାନେ ଜନତାଙ୍କ ସ୍ୱାର୍ଥର ସ୍ୱର ଉଠାଉଛନ୍ତି। ଯଦିଓ ନିର୍ବାଚନକୁ ନେଇ ଗଲା ସରକାର ତରବରିଆ ଭାବେ ଏନଏସି ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏ ନେଇ କୌଣସି ପ୍ରକ୍ରିୟା ବିଧିବଦ୍ଧ ଆରମ୍ଭ ହେବାର ଖବର ସରକାରଙ୍କ ପାଖରେ ନାହିଁ।

ଗୃହରେ ଏନଏସି ମାନ୍ୟତା ନେଇ ଯେଭଳି ବିରୋଧୀ ନିଜର ସ୍ୱରକୁ ଶାଣିତ କରିଥିଲେ, ମନ୍ତ୍ରୀ ବି ଏକମତ ହୋଇ କହିଥିଲେ ଯେ, ଲାଗୁଛି ଯେମିତି ଧୀରେ ଧୀରେ ପଞ୍ଚାୟତଗୁଡ଼ିକ ଏନଏସି ଓ ମ୍ୟୁନିସିପାଲିଟି ହୋଇଯିବ। ବଡ଼ କଥା ଥିଲା ଯେ, ବିରୋଧୀଙ୍କୁ ବିଲକୁଲ ଆକ୍ଷେପ ନ କରି ସରକାରଙ୍କ ସହଯୋଗ ଓ ସକରାତ୍ନକ ମାନସିକତାକୁ ନେଇ ନିଆରା ଅନ୍ଦାଜରେ ହସି ହସି ଉତ୍ତର ରଖିଥିଲେ ମନ୍ତ୍ରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *