ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳା କର୍ମଚାରୀଙ୍କୁ ସିଡିପିଓ ଡାକ୍ତରଖାନା ଛାଡିନଥିବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ଘଟଣା । ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହାସହ କେନ୍ଦ୍ରାପଡ଼ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଅଭିଯୋଗ ଅନୁଯାୟୀ , ଡେରାବିଶ ବ୍ଲକ୍ ମହିଳା ଓ ଶିଶୁ ସମନ୍ବୟ ବିଭାଗରେ କାର୍ଯ୍ୟରତ ବରିଷ୍ଠ ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଗତ ଶୁକ୍ରବାର କାର୍ଯ୍ୟାଳୟରେ ଥିବାବେଳେ ହଠାତ୍ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେ ୭ ମାସର ଗର୍ଭବତୀ ଥିଲେ । ଯେତେବେଳେ ସେ, ସିଡିପିଓ ସ୍ନେହଲତା ସାହୁଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ମାଗିଥିଲେ, ସେ ଅନୁମତି ଦେଇ ନଥିଲେ, ଓଲଟା ଦୁର୍ବ୍ୟବହାର କରିଥିଲେ। ପରେ ଖବର ପାଇ ବର୍ଷାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ, ସେତବେଳକୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ ।
ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ବର୍ଷାଙ୍କ ପରିବାର ଲୋକେ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ। ସେପଟେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now