ଆଳୁ ସଙ୍କଟ ଆଉ କେତେ ଦିନ !

ଟଳିବ ଆଳୁ ସଙ୍କଟ। ଦିଦିଙ୍କ ସହ ମୋହନ ସରକାରଙ୍କ ବୁଝାମଣା ହୋଇଛି। ଏଣିକି ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ୱାଭାବିକ ହେବ। ଆଗ ଆଳୁ ଟ୍ରକ ଛାଡ଼ିବାକୁ ନାରାଜ ଦିଦି ଏବେ ରାଜି ହେବା ପଛରେ କୁଆଡ଼େ ରାଜନୀତି ଥିଲା ବୋଲି ଆକ୍ଷେପ କରିବାକୁ ପଛାଇନାହାନ୍ତି ଯୋଗାଣ ମନ୍ତ୍ରୀ। ମୋହନ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ ହୋଇଥିଲା। ବଜାରରେ କୃତ୍ରିମ ଅଭାବ ଜାଣିଶୁଣି କରିଗଲା ବୋଲି ଗମ୍ଭୀର ଆରୋପ ପାଲଟା ମନ୍ତ୍ରୀ ଲଦିଛନ୍ତି। ସେଥିଲାଗି ସରକାର ବିକଳ୍ପ ଭାବେ ୟୁପିରୁ ଆଳୁ ମଗାଇଥିଲେ। ପଡ଼ୋଶୀ ପଶ୍ଚିମବଙ୍ଗର ଦାଦାଗିରି ଆଗରେ ସବୁବେଳେ ଓଡ଼ିଶା ମୁଣ୍ଡ ନୁଆଁଇବ ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି। ବଜାରରେ ଆଳୁର ପରିମାଣ କମିଥିବାରୁ ଦର ବଢ଼ିଥିଲା। ଏବେ ସ୍ୱାଭାବିକ ହୋଇସାରିଛି। ଆଳୁ ଦର ଆହୁରି କମିବ।

ତେବେ ଯୋଗାଣ ମନ୍ତ୍ରୀଙ୍କ ଇଙ୍ଗିତ କାହା ଆଡ଼କୁ ଥିଲା ଆଉ ବୁଝିବାକୁ ବାକି ନଥିଲା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ଚିଠି ଓ ଅନୁରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଲା ଜୁଲାଇରେ ଆଳୁ ଟ୍ରକ ଛାଡ଼ିଥିଲେ ବୋଲି ବିଜେଡି କହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଦିଦିଙ୍କ ସହ କଥା ହୋଇ ଏ ସମସ୍ୟା ତୁଟାଇଥିଲେ ବୋଲି କେବଳ ତୁଛା ବାହାବା ନେଇଥିଲେ ସରକାର ବୋଲି ବିଜେଡି କହିଥିଲା। ଯଦି ବୁଝାମଣା ଠିକ୍ ଥିଲା, ତାହେଲେ ଏଥର ବି କାହିଁକି ଆଳୁ ଟ୍ରକ୍ ଛାଡୁନଥିଲେ ଦିଦି। ଯୋଗାଣ ମନ୍ତ୍ରୀଙ୍କ ବେଫିକର ମନ୍ତବ୍ୟ ଲୋକଙ୍କୁ ଆଘାତ ଦେଉଛି। ନିଜର ଅପାରଗତାକୁ ଲୁଚାଇବାକୁ ଏଭଳି ମନ୍ତବ୍ୟରୁ ନିବୃତ୍ତ ରୁହନ୍ତୁ ମନ୍ତ୍ରୀ ବୋଲି ବିଜେଡି ପରାମର୍ଶ ଦେଇଛି। କଂଗ୍ରେସ କହିଛି,ଗ୍ରାଉଣ୍ଡରେ ସ୍ଥିତି ପରଖନ୍ତୁ ମନ୍ତ୍ରୀ। ମନ୍ତ୍ରୀଙ୍କ କୌଣସି ଚେତାବନୀ କଳାବଜାରୀଙ୍କୁ କାଟୁ କରୁନି। ଆଳୁକୁ ନେଇ କିଏ ପ୍ରକୃତରେ ସଙ୍କଟ ସ୍ଥିତି ସୃଷ୍ଟି କରୁଛି ଲୋକେ ମର୍ମେ ମର୍ମେ ବୁଝିଲେଣି। ଆଳୁର ନିରନ୍ତର ଯୋଗାଣ, ବଜାରରେ ପର୍ଯ୍ୟାପ୍ତ ଉପଲବ୍ଧ ଓ କମ୍ ଦରରେ ଦେବାର ଦାୟିତ୍ୱ ହେଉଛି ସରକାରଙ୍କର।

ଆଳୁ ଦର ଅଚାନକ ୩୦ରୁ ୬୦କୁ ଛୁଇଁଥିଲା। ୟୁପିରୁ ଆଳୁ ଆସିଲାଣି କହି ସରକାର ଘୋଷଣା କରିବା ସହ କଳାବଜାରୀକୁ ରୋକିବାକୁ ଘନ ଘନ ବଜାରରେ ଚଢ଼ାଉକୁ ଖାତିର୍ କରିନାହାନ୍ତି ବେପାରୀ। ଏବେ ପଶ୍ଚିମବଙ୍ଗରୁ ପୁଣି ଆଳୁ ଆସିବା ସ୍ୱାଭାବିକ ହେବ କହି ମନ୍ତ୍ରୀଙ୍କ ମନ୍ତବ୍ୟ ଆଳୁ କଷ୍ଟକୁ କେତେଦୂର ଲାଘବ କରିବ, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *