ନିବେଶକଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାଗ୍ରସ୍ତ

Spread the love

() ହିଣ୍ଡେନବର୍ଗ ରିସର୍ଚ୍ଚ ଓ ଏହାର ପ୍ରତିଷ୍ଠାତା ନୀଥନ ଆଣ୍ଡେରସନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଦୁଇଟି ମାମଲାର ଶୁଣାଣୀ ଆଜି ସୁପ୍ରିମକୋର୍ଟରେ ହୋଇଛି। ଆଦାନୀ ଗ୍ରୁପ ବିରୁଦ୍ଧରେ ପ୍ରକାଶିତ ହିଣ୍ଡେନବର୍ଗ ରିପୋର୍ଟ ଭାରତର ଭାବମୂର୍ତ୍ତିକୁ ନଷ୍ଟ ସହ ଅର୍ଥନୀତିକୁ କ୍ଷତି ପହଞ୍ଚାଇଛି ବୋଲି ଦୁଇ ଜଣ ଆଇନଜୀବି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଶିଳ୍ପପତି ଗୌତମ ଆଦାନୀଙ୍କ ସଂସ୍ଥା ଆଦାନୀ ଗ୍ରୁପ ବିରୁଦ୍ଧରେ ହିଣ୍ଡେନବର୍ଗ ରିସର୍ଚ୍ଚ ଓ ଏହାର ପ୍ରତିଷ୍ଠାତା ନୀଥନ୍ ଆଣ୍ଡରସନ ପ୍ରକାଶିତ କରିଥିବା ରିପୋର୍ଟ ବିରୁଦ୍ଧରେ ରୁଜୁ ହୋଇଥିବା ଦୁଇଟି ମାମଲାର ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ। ହିଣ୍ଡେନବର୍ଗ ରିପୋର୍ଟ ଭାରତର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ସହ ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ନିବେଶକମାନେ ବି କୋଟି କୋଟି ଟଙ୍କାର କ୍ଷତି ସହିଲେଣି। ଆଦାନୀ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ କରାଯାଇଥିଲା, ହିଣ୍ଡେନବର୍ଗ ତାହାର ପ୍ରମାଣ ସେବିକୁ ଦେଇପାରିନି। ବରଂ ହିଣ୍ଡେନବର୍ଗ ଆଦାନୀର ସେୟାରକୁ କୃତ୍ରିମ ଢଙ୍ଗରେ ଖସାଇବାକୁ ଷଡ଼ଯନ୍ତ୍ର କରିଛି। କେବଳ ଗୋଟିଏ ଉଦ୍ଦେଶ୍ୟ, ନିରୀହ ନିବେଶକଙ୍କୁ ଶୋଷଣ କରିବା। ହିଣ୍ଡେନବର୍ଗ ଏକ ସର୍ଟ ସେଲର ଫାର୍ମ ଅଟେ। ଯିଏ ଧାର ନେଇଥିବା ସେୟାରକୁ ଏମିତି ବାଗରେ ବିକେ, ଫଳରେ ତଳେ ଥିବା ସେୟାରକୁ ପୁଣି ଥରେ ବିକ୍ରି କରିହେବ।

ଏମିତିରେ ଯଦି ସେୟାର ଖସେ, ତେବେ ସର୍ଟ ସେଲର୍ସ ଭାବେ ଏହି ଫାର୍ମ ମୁନାଫା କମାଇବ। ତେଣୁ ଉକ୍ତ ସଂସ୍ଥା ବିରୁଦ୍ଧରେ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ଦୁଇ ଆବେଦନକାରୀ ଏମ.ଏଲ.ଶର୍ମା ଓ ବିଶାଳ ତିଓ୍ୱାରୀ ମାମଲା ରୁଜୁ କରିଥିଲେ। ଆଉ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସିଂହ ଓ ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲାଙ୍କ ଖଣ୍ଡପୀଠ ଏହାର ଜରୁରୀକାଳୀନ ଶୁଣାଣୀ କରିଛନ୍ତି। ଆଉ ସୁପ୍ରିମକୋର୍ଟ କହିଛନ୍ତି କି, କେମିତି ଭାରତୀୟ ନିବେଶକଙ୍କ ଟଙ୍କା ସୁରକ୍ଷା ରହିବ। ସେ ଦିଗରେ କେନ୍ଦ୍ର  ଓ ସେବିର ମତ ଲୋଡ଼ିଛନ୍ତି ଅଦାଲତ। ରୋଗୁଲୋଟୋରୀ ଫ୍ରେମଓ୍ୱାର୍କକୁ ସୁଦୃଢ଼ ଲାଗି ଏକ ବିଶେଷଜ୍ଞ କମିଟି ଗଠନ ଲାଗି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ହିଣ୍ଡେନବର୍ଗ ରିପୋର୍ଟ ପ୍ରଭାବରେ ଆଦାନୀର ସେୟାର ହ୍ରାସ ହୋଇଛି। କିନ୍ତୁ  ଏହାର ପ୍ରତିଫଳନ ନିବେଶକଙ୍କ ଉପରେ ପଡ଼ୁଥିବାରୁ ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ।

କେନ୍ଦ୍ର ମନ୍ତ୍ରଣାଳୟରୁ ଏ ପରିପ୍ରେକ୍ଷୀରେ କଅଣ ନିର୍ଦେଶ ଆସୁଛି, ସେ ବାବଦରେ ସଲିସିଟର ଜେନେରାଲ ଅଫ ଇଣ୍ଡିଆ ତୁଷାର ମେହେଟ୍ଟାଙ୍କୁ ଜଣାଇବାକୁ କହିଛନ୍ତି ଅଦାଲତ। ମାମଲାର ପରବର୍ତ୍ତୀ ଶୁଣାଣୀ ଫେବୃଆରୀ ୧୩ରେ ହେବ। ସେବିକୁ ପ୍ରତିନିଧିତ୍ୱ କରୁଥିବା ତୁଷାର ମେହେଟ୍ଟାଙ୍କୁ ସିଜେଆଇ କହିଥିଲେ କି, ଏହା କେବଳ ଏକ ମୁକ୍ତ ଆଲୋଚନା। ସେବି ବୋଧହୁଏ ଏହାର ଛାନଭିନ୍ କରୁଥିବ। କିନ୍ତୁ ଏହାକୁ ସର୍ଟ ସେଲ୍ କହି ନିବେଶକଙ୍କୁ କେହି ଚାପଗ୍ରସ୍ତ କରୁଥିଲେ,ଏହା ଚିନ୍ତାଜନକ। ଛୋଟ କ୍ଷେତ୍ରରେ ଏମିତି ହେଉଥିଲେ, କେହି ଚିନ୍ତା କରନ୍ତେନି। କିନ୍ତୁ ବୃହତ୍‌ ଆକାରରେ ଏଭଳି ହେଉଥିବା ରିପୋର୍ଟ ପ୍ରକାଶିତ ପରେ ମୋଟାମୋଟି ଭାବେ ଭାରତୀୟ ନିବେଶକ କ୍ଷତିଗ୍ରସ୍ତ ହେବେ।

ଲକ୍ଷ ଲକ୍ଷ କୋଟି ଟଙ୍କାର କ୍ଷତି ସହିବେ। ତା ହେଲେ କେମିତି ଭାରତୀୟ ନିବେଶକଙ୍କ ଟଙ୍କା ସୁରକ୍ଷିତ ହେବ, ତାକୁ ନେଇ ସନ୍ଦେହ କରିଛନ୍ତି ଅଦାଲତ। ହିଣ୍ଡେନବର୍ଗ ଯାହାକି ଭାରତୀୟ ଅଦାଲତର ପରିସୀମା ବାହାରେ। ସେଠି କେମିତି ରେଗୁଲେସନ ଚାଲିଛି ଏକଥା ଜାଣିବା ମୁସ୍କିଲ। ସେଥିଲାଗି ଆଗ ଭାରତୀୟ ନିବେଶକଙ୍କ ଟଙ୍କା ସୁରକ୍ଷିତ ନେଇ ମେକାନିଜିମ କଅଣ କରିଛ କହି କେନ୍ଦ୍ରକୁ ରିପୋର୍ଟ ମାଗିଛନ୍ତି ଅଦାଲତ। ଭବିଷ୍ୟତରେ ଯେଭଳି ନିବେଶକ କୌଣସିମତେ କ୍ଷତି ସହିବେନି, ସେ ଦିଗରେ କି ରୋଡମ୍ୟାପ୍ ହୋଇଛି, ଜାଣିବାକୁ ଚାହିଁଥିଲେ ଅଦାଲତ। ସେଥିଲାଗି ସୋମବାର ସରକାର ନିଜର ନିୟନ୍ତ୍ରଣ ମେକାନିଜିମ୍ ଧରି ଆସନ୍ତୁ। ଷ୍ଟକ ମାର୍କେଟରେ କେବଳ ବଡ଼ ବଡ଼ ନିବେଶକ ଟଙ୍କା ଲଗାଉନାହାନ୍ତି। ଏଠି ମଧ୍ୟବିତ୍ତ ନିବେଶକ ବି ଟଙ୍କା ନିବେଶ କରୁଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ପରାମର୍ଶ କରି ବାଟ ବାହାର ହେଉ। କାରଣ ଷ୍ଟକ୍ ମାର୍କେଟ ଭାବାବେଗରେ ଚାଲେ। ସେଥିଲାଗି ଏହା କୋଟି କୋଟି ନିବେଶକଙ୍କ ଭାବାବେଗକୁ ଆଘାତ ଦେଲେ ଚିନ୍ତାଜନକ ବୋଲି ଅଦାଲତ କହିଛନ୍ତି।

ଗଲା ଦୁଇ ସପ୍ତାହ ଧରି ଯେଭଳି ନିବେଶକଙ୍କ ଭିତରେ ଛନକା ପଶିଛି, ସେଥିଲାଗି ସମୟ ସହ ତାଳ ଦେଇ ସୁଦୃଢ ମେକାନିଜିମ ଦରକାର ବୋଲି କହିଛନ୍ତି ଅଦାଲତ। ଏହା ସହ ଦୁଇଟି ଯାକ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଯେଉଁଠି ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ବିରୁଦ୍ଧରେ ତଦନ୍ତ ସହ ଏହା ଷଡ଼ଯନ୍ତ୍ରର ଏକ ଅଂଶବିଶେଷ ବୋଲି ଦର୍ଶାଯାଇଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *