ନିର୍ବାଚନ ମୈଦାନରେ ଏକାକୀ ଥରୁର

Spread the love

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ୨୪ ବର୍ଷ ପରେ ହେବାକୁ ଯାଉଛି। ଦେଶର ଏକମାତ୍ର ଗଣତାନ୍ତ୍ରିତ ଦଳର ସର୍ବୋଚ୍ଚ ପଦ ପାଇଁ ଲଢେଇ ହେଉଛି ଦୁଇ ଜଣଙ୍କ ମଧ୍ୟରେ। ମୈଦାନରେ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ଟକ୍କର ହେବ। ଫଳ ସମ୍ପୂର୍ଣ୍ଣ ରୂପେ ଏକତରଫା ହେବାକୁ ଯାଉଛି। ଗାନ୍ଧୀ ପରିବାରର ସମର୍ଥନ ଖଡଗେଙ୍କ ପାଖରେ ରହିଛି, ତେଣୁ ଦେଶର ପ୍ରାୟ ସବୁ ରାଜ୍ୟର ଦଳୀୟ ନେତାଙ୍କ ମତ ତାଙ୍କ ସପକ୍ଷରେ ରହିଛି। ସେପଟେ ନିର୍ବାଚନକୁ ନିରପେକ୍ଷ କରିବାକୁ ଥରୁର ସାର୍ବଜନୀନ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି।

ଖଡଗେଙ୍କ ପାଖରେ ରହିଛି ଗାନ୍ଧୀ ପରିବାରର ସମର୍ଥନ। ଆଉ ଥରୁର ହେଉଛନ୍ତି ଜି-୨୩ ଗୋଷ୍ଠୀର ନେତା।  ବିଭିନ୍ନ ରାଜ୍ୟ ପୂର୍ବରୁ ଗାନ୍ଧୀ ପରିବାରରୁ ଜଣଙ୍କୁ ଅଧ୍ୟକ୍ଷ ହେବାକୁ ଅପିଲ କରିଥିଲେ। ସେହି ସବୁ ରାଜ୍ୟ ଏବେ ଖଡଗେଙ୍କୁ ମତ ଦେବେ। ପ୍ରାର୍ଥୀଙ୍କ ନାମ ଘୋଷଣା ସରୁ ସରୁ କଂଗ୍ରେସର ଗୌରବ ବଲ୍ଲଭ, ଦିପେନ୍ଦର ଏସ ହୁଡ୍ଡା ଓ ସୟଦ ନାସିର ହୁସେନ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି ଖଡଗେଙ୍କ ପାଇଁ ପ୍ରଚାର କରିବାକୁ। ଥରୁର ମଧ୍ୟ ଫଳାଫଳକୁ ନେଇ ସଚେତନ ରହିଛନ୍ତି। ତଥାପି ନିରୁତ୍ସାହିତ ନୁହନ୍ତି। ଦଳରେ ପରିବର୍ତ୍ତନର ନାରା ଦେଇଛନ୍ତି ସେ। ଥରୁର ବ୍ରିଟେନର କଞ୍ଜରଭେଟିବ ପାର୍ଟିର ନେତୃତ୍ବ ଚୟନ ପ୍ରକ୍ରିୟାକୁ ଆପଣେଇବାକୁ ଆହ୍ବାନ ଦେଇଛନ୍ତି ଖଡଗେଙ୍କୁ। ସେ କହିଛନ୍ତି, ପ୍ରାର୍ଥୀଙ୍କ ମଧ୍ୟରେ ସାର୍ବଜନୀନ ବିତର୍କ ହେବା ଆବଶ୍ୟକ। ଏହି ପ୍ରିକ୍ରିୟା ଦ୍ବାରା ଲୋକଙ୍କର ପାର୍ଟି ପ୍ରତି ଆଗ୍ରହ ସୃଷ୍ଟି ହେବ। ପ୍ରାର୍ଥୀଙ୍କ ବିଚାରର ଆଦାନପ୍ରଦାନ ପାର୍ଟି ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି ଥରୁର। ଏହା ବ୍ୟତୀତ ଖଡଗେଙ୍କ ସମ୍ପର୍କ ବିଜୟକୁ ନେଇ ଥରୁର କହିଛନ୍ତି କି, କଂଗ୍ରେସ ପାର୍ଟିର ସଦସ୍ୟଙ୍କ ମଧ୍ୟରେ ନେହରୁ-ଗାନ୍ଧୀ ପରିବାର ପାଇଁ ସର୍ବଦା ଏକ ବିଶେଷ ସ୍ଥାନ ରହିଛି ।

ତେବେ ବିଶେଷଜ୍ଞଙ୍କ ମୁତାବକ ଖଡଗେଙ୍କୁ ପ୍ରାର୍ଥୀ କରି ଗାନ୍ଧୀ ପରିବାର ଜି-୨୩ ସମୂହଙ୍କୁ ମଧ୍ୟ ସମର୍ଥନ ଦେବାକୁ ବାଧ୍ୟ କରିଛି। ଖଡଗେଙ୍କ ପ୍ରସ୍ତାବକଙ୍କ ମଧ୍ୟରେ ଏକେ ଆଣ୍ଟୋନି, ଅମ୍ବିକା ସୋନି, ଅଶୋକ ଗେହଲଟ, ଦିଗବିଜୟ ସିଂହଙ୍କ ସହ ଜି-୨୩ର ନେତା ମୁକୁଲ ବାସନିକ, ଭୁପେନ୍ଦ୍ର ସିଂହ ହୁଡ୍ଡା, ଆନନ୍ଦ ଶର୍ମା, ମନୀତ ତିୱାରୀ ମଧ୍ୟ ରହିଛନ୍ତି। ଜି- ୨୩ର ସମର୍ଥନ ପାଇଁ ଏହି ଚାଲ ଚଲାଇଛନ୍ତି ସୋନିଆ ବୋଲି ମତ ପ୍ରକାଶ ପାଇଛି। ଖଡଗେଙ୍କ ପ୍ରସ୍ତାବକ ଲିଷ୍ଟ ଲମ୍ବା ରହିଛି। ବିଜୟ ରହିଛି ଖଡଗେଙ୍କ ପକ୍ଷରେ । ସେପଟେ ଥରୁରଙ୍କୁ ନାମାଙ୍କନ ଫେରାଇ ନେବାକୁ ଦଳ ପକ୍ଷରୁ ଚାପ ପକାଯାଉଛି। ଥରୁରଙ୍କ ସହ ଦଳର ବରିଷ୍ଠ ନେତା ଭେଟ କରି ନାମାଙ୍କନ ପ୍ରତ୍ୟାହାର କରିବାକୁ ପ୍ରବର୍ତାଉଛନ୍ତି। ଫଳାଫଳ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ସତ୍ତ୍ବେ କିନ୍ତୁ ଥରୁର ନିର୍ବାଚନ ଲଢିବାକୁ ବଦ୍ଧପରିକର ଥିବା କହିଛନ୍ତି। ଅନ୍ୟପଟେ ନିଜ ପ୍ରସ୍ତାବକଙ୍କ ନାମ ସାର୍ବଜନୀନ ନ କରିବାକୁ କହିଛନ୍ତି ଥରୁର । ତେବେ ୫ଟି ପ୍ରସ୍ତାବକ ରହିଛନ୍ତି ଥରୁରଙ୍କ ନିକଟରେ। 

ସେପଟେ ରବିବାର ଦିନ ମଲ୍ଲିକାର୍ଜ୍ଜୁନ ନିର୍ବାଚନ ଲଢିବା ଉପରେ କହିଛନ୍ତି କି, ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ କାହାକୁ ବିରୋଧ କରିବା ତାଙ୍କ ଲକ୍ଷ୍ୟ ନୁହେଁ। ବରଂ ସେ ଦଳକୁ ମଜଭୁତ କରିବାକୁ ମୈଦାନକୁ ଓହ୍ଲାଇଛନ୍ତି। ସେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ନାମ ନେଇ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି। ଦଳର ଜଣେ ବ୍ୟକ୍ତି ଗୋଟିଏ ପଦ ଫର୍ମୁଲାକୁ ମାନି ରାଜ୍ୟସଭାର ବିପକ୍ଷ ନେତା ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସବୁ ନିୟମ ମାନିଆସିଛନ୍ତି। ୫୦ ବର୍ଷର ରାଜନୈତିକ ଜୀବନ ଟ୍ରନ୍ସପେରାଣ୍ଟ ରହିଛି। ପିଲାଟି ଦିନରୁ ତାଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ରହିଥିବା ତଥା ବର୍ଷବର୍ଷ ଧରି ମନ୍ତ୍ରୀ ଓ ବିପକ୍ଷ ନେତା ଭାବେ କାର୍ଯ୍ୟ କରିଛନ୍ତି। ସାରା ଜୀବନ ପାର୍ଟି ପାଇଁ କାମ କରିଛି। ବିଜେପି ତଥା ସଂଘ ବିଚାରଧାରା ବିରୋଧରେ ଲଢି ଆସିଛି ବୋଲି ଖଡଗେ କହିବା ସହ ଦଳର ଆଦର୍ଶକୁ ଆଗେଇ ନେବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଦଳୀୟ ନେତାଙ୍କ ପ୍ରେରଣାରେ ସେ ଦଳକୁ ଆଗେଇ ନେବାକୁ ନିର୍ବାଚନ ଲଢୁଥିବା କହିଛନ୍ତି ଖଡଗେ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ୧୭ ଅକ୍ଟୋବରରେ ହେବାକୁ ଥିବା ବେଳେ ଫଳାଫଳ ୧୯ ଅକ୍ଟୋବରରେ ହେବ। କିନ୍ତୁ ଏହା ପୂର୍ବରୁ ଫଳାଫଳ ସର୍ବବିଦିତ ରହିଛି। ଥରୁରଙ୍କୁ ମାତ ଦେବାକୁ ଖଡଗେଙ୍କୁ ମୈଦାନକୁ ଓହ୍ଲାଯାଇଛି। କାରଣ ଖଡଗେଙ୍କ ୫୦ ବର୍ଷର ରାଜନୈତିକ ଜୀବନ କେବଳ କଂଗ୍ରେସରେ ହିଁ କଟିଛି। ସେ ନେହରୁ ଗାନ୍ଧୀ ପରିବାରର ଅନ୍ଧ ଭକ୍ତମାନଙ୍କ ମଧ୍ୟରୁ ଜଣେ। ତେଣୁ ତାଙ୍କୁ ମିଳିବ ଭବ୍ୟ ସମର୍ଥନ। ଆଉ ଦଳର କମାଣ ରହିବ ଗାନ୍ଧୀ ପରିବାର ନିକଟରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *